ଟ୍ୟାଙ୍କର୍‌ ଧକ୍କାରେ ଦୁଇ ପରୀକ୍ଷାର୍ଥୀଙ୍କ ମୃତ୍ୟୁ

କେନ୍ଦୁଝର : କେନ୍ଦୁଝର ସହର ଉପକଣ୍ଠ ରାମଚନ୍ଦ୍ରପୁର ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦୁଇଜଣ ଏଲ୍‌ଆଇ ପରୀକ୍ଷାର୍ଥୀଙ୍କ ମୃତ୍ୟୁ ଘଟିଛି। ଏଭଳି ଦୁଃଖଦ ଖବର ଜିଲ୍ଲାବାସୀକୁ ବ୍ୟଥିତ କରିଛି। ମିଳିଥିବା ସୂଚନା ଅନୁଯାୟୀ, ହରିଚନ୍ଦନପୁର କମଳାଙ୍ଗି ଗ୍ରାମର ସଞ୍ଜୟ କୁମାର ମହାନ୍ତ(୩୨) ଏବଂ ତାଙ୍କ ସାଙ୍ଗ ଝାଲକାଣି ଗ୍ରାମର ହୃଦାନନ୍ଦ ମହାନ୍ତ ଓରଫ୍ ବାବୁ (୩୧) ପ୍ରାଣୀଧନ ନିରୀକ୍ଷକ (ଏଲ୍‌ଆଇ) ଲିଖିତ ପରୀକ୍ଷା ଦେବାକୁ କେନ୍ଦୁଝର ସହରସ୍ଥିତ ଡିଏନ୍ ହାଇସ୍କୁଲ ପରୀକ୍ଷାକେନ୍ଦ୍ରକୁ ଆସୁଥିଲେ। ଏକ ବାଇକ୍‌ (ଓଡି୩୪-ଏନ-୬୨୦୨)ରେ ଆସୁଥିବାବେଳେ କେନ୍ଦୁଝର ସହର ନିକଟ ରାମଚନ୍ଦ୍ରପୁର ଠାରେ ପାରାଦୀପ ଅଭିମୁଖେ ଯାଉଥିବା ଏକ ଟ୍ୟାଙ୍କର ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ସଞ୍ଜୟଙ୍କ ମୃତ୍ୟୁ ଘଟିଥିବାବେଳେ ଗୁରୁତର ଅବସ୍ଥାରେ ହୃଦାନନ୍ଦଙ୍କୁ ଉଦ୍ଧାର କରାଯାଇ ୧୦୮ ଆମ୍ବୁଲାନ୍ସରେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ହୃଦାନନ୍ଦଙ୍କର ଅପରାହ୍ଣ ପ୍ରାୟ ସାଢ଼ ୪ଟା ବେଳେ ମୃତ୍ୟୁ ହୋଇଯାଇଥିଲା।

ତେବେ, ଦୁର୍ଘଟଣା ଘଟାଇଥିବା ଟ୍ୟାଙ୍କର (ଓଡି୦୯-କେ-୧୪୧୦)ଟି ଚମ୍ପଟ ମାରିଥିଲା। ତେବେ ଲୋକଙ୍କଠାରୁ ଖବରପାଇ ସଦଳବଳେ ପଣ୍ଡାପଡ଼ା ଥାନା ଅଧିକାରୀ ପ୍ରଶାନ୍ତକୁମାର ସେଠୀ ଗାଡ଼ିଟିକୁ ପଣ୍ଡାପଡ଼ା ନିକଟରେ ଅଟକାଇଥିଲେ। ପରେ ଗାଡ଼ିଟିକୁ ଟାଉନ ପୁଲିସକୁ ହସ୍ତାନ୍ତର କରିଛନ୍ତି। ଟାଉନ ଥାନା ଅଧିକାରିଣୀ ପ୍ରମୋଦିନୀ ସାହୁଙ୍କ ନିର୍ଦ୍ଦେଶକ୍ରମେ ସବ୍‌ଇନ୍ସପେକ୍ଟର ସୁନିଲ କୁମାର ନନ୍ଦ ଏବଂ ଅନ୍ୟ ପୋଲିସ କର୍ମଚାରୀ ପଣ୍ଡାପଡା ଥାନାକୁ ଯାଇ ଗାଡ଼ିର ଡ୍ରାଇଭର ଲଲିତ କୁମାର ମହାନ୍ତ ଏବଂ ହେଲପର ବିଚିତ୍ର କୁମାର ମହାନ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛନ୍ତି।

ସମ୍ବନ୍ଧିତ ଖବର