ମାଲକାନଗିରି : ମାଲକାନଗିରି ଜିଲ୍ଲା ମୋଟୁ ତହସିଲ କାର୍ଯ୍ୟାଳୟର ସୁପରଭାଇଜରଙ୍କୁ ନକ୍ସଲ ନାଁରେ ଧମକ ଦେଇ ୫ ଲକ୍ଷ ଟଙ୍କା ବଟି ମାଗିବା ଘଟଣାରେ ମାଲକାନଗିରି ପୁଲିସ ୨ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ମାଲକାନଗିରି ତହସିଲ କାର୍ଯ୍ୟାଳୟର କନିଷ୍ଠ କିରାଣି କେଶବ ଖିଲ ଏବଂ ରାମଡୁ ଓରଫ ରାମ ଚନ୍ଦ୍ର ମାଝି। ସିନେମା ଶୈଳୀରେ ଦୁହେଁ ବାରମ୍ବାର ସ୍ଥାନ ପରିବର୍ତନ କରି ସୁପରଭାଇଜର ଡି. ଚିନ୍ନା ରାଓଙ୍କୁ ଫୋନ କରୁଥିଲେ। ଟଙ୍କା ନଦେଲେ ହତ୍ୟା କରିବୁ ବୋଲି ଚେତାବନୀ ମଧ୍ୟ ଦେଇଥିଲେ। ଦୁହିଁଙ୍କୁ ଧରିବା ପାଇଁ ପୁଲିସକୁ ବହୁ କସରତ କରିବାକୁ ପଡ଼ିଥିଲା।
ପୁଲିସ ସୂଚନା ଅନୁଯାୟୀ, ଚିନ୍ନା ରାଓଙ୍କୁ ଭିନ୍ନ ଭିନ୍ନ ନମ୍ବରରୁ ନକ୍ସଲ ନେତା ରାମୁଡ଼ୁ ନାଁରେ ଧମକପୂର୍ଣ୍ଣ ଫୋନ ଆସୁଥିଲା। ୫ ଲକ୍ଷ ଟଙ୍କା ନଦେଲେ ହତ୍ୟା କରାଯିବା ବୋଲି ଚେତାବନୀ ଦିଆଯାଉଥିଲା। ଏ ନେଇ ଚିନ୍ନା ରାଓ ମାଲକାନଗିରି ଥାନାରେ ଏତଲା ଦେଇଥିଲେ। ଥାନା ଆଇଆଇସି ସୌମେନ୍ଦୁ ଶେଖର ତ୍ରିପାଠୀ ଫୋନ ନମ୍ବରକୁ ଟ୍ରାକ କରି ମାଲକାନଗିରି ତହସିଲର କନିଷ୍ଠ କିରାଣି କେଶବ ଖିଲ ଏବଂ ରାମଡୁ ଓରଫ ରାମଚନ୍ଦ୍ର ମାଝି ଏଥିରେ ସଂପୃକ୍ତ ଥିବା ଜାଣିବାକୁ ପାଇଥିଲେ। ଅଭିଯୁକ୍ତଙ୍କୁ ଧରିବା ଲାଗି ପୁଲିସ ଜାଲ ବିଛାଇ ଗତକାଲି କୋରକୋଣ୍ଡା ନିକଟସ୍ଥ ନିର୍ଦ୍ଦିଷ୍ଟ ଏକ ପୋଲ ନିକଟରୁ ଟଙ୍କା ନେବାକୁ କହିଥିଲା। ପୂର୍ବରୁ ପ୍ରସ୍ତୁତ ହୋଇ ସାଧା ପୋଷାକରେ ଥିବା ଆଇଆଇସି ଶ୍ରୀ ତ୍ରିପାଠୀଙ୍କ ସହ ଡିଏସପି ପ୍ରଦୀପ କୁମାର ଦାସ, ସୁକାନ୍ତ କିଶୋର ପ୍ରଧାନ, ମାନସ ସ୍ବାଇଁଙ୍କ ସମେତ ଅନ୍ୟମାନେ ଅପେକ୍ଷା କରି ରହିଥିଲେ। ବହୁ ସମୟ ଅପେକ୍ଷା କରିବା ପରେ କନିଷ୍ଠ କିରାଣି କେଶବ ସେଠାକୁ ଆସିବାରୁ ପୁଲିସ ଚାରିପଟୁ ଘେରି ଯାଇ ତାଙ୍କୁ ଗିରଫ କରିଥିଲା। ପରେ କେଶବଙ୍କ ବୟାନ ଆଧାରରେ ଦ୍ବିତୀୟ ଅଭିଯୁକ୍ତ ରାମ ଚନ୍ଦ୍ର ମାଝିକୁ ବି ପୁଲିସ ଧରିଥିଲା। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏସପି ଜଗମୋହନ ମୀନା ଏହି ନକଲି ନକ୍ସଲଙ୍କୁ ଗଣମାଧ୍ୟମ ସାମ୍ନାରେ ଉପସ୍ଥିତ କରି ଘଟଣାର ପର୍ଦାଫାସ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/10/Mkg-Fake-naxal-arrested-1.jpg)
