ଶ୍ରୀଗୁଣ୍ଡିଚା ମନ୍ଦିରରେ ୨ ନକଲି ସେବାୟତ ଗିରଫ 

ପୁରୀ : ମାନ୍ୟବର ସୁପ୍ରିମ୍‌କୋର୍ଟଙ୍କ କଟକଣା ରହିଥିବାବେଳେ ଆଜି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅନଧିକାର ପ୍ରବେଶ କରିଥିବା ଦୁଇ ଜଣ ଯୁବକଙ୍କୁ ପୁଲିସ ଗିରଫ କରିଛି । ସେବାୟତ ବେଶରେ  ଶ୍ରୀଗୁଣ୍ଡିଚା ମନ୍ଦିର ଭିତର ବେଢ଼ା ମଧ୍ୟକୁ ପ୍ରବେଶ କରିଥିବା ଏହି ଦୁଇ ଜଣଙ୍କୁ ପୁଲିସ ପଚରାଉଚରା କରୁଛି। ଏହାକୁ ନେଇ କୁମ୍ଭାରପଡ଼ା ଥାନା ପୁଲିସ ୧୫୯/୨୦ ନମ୍ବରରେ ଏକ ମାମଲା ରୁଜୁ କରିଛି।
ଦୁଇ ଯୁବକ  ବାସେଳି ସାହି ଥାନା ଅନ୍ତର୍ଗତ ମାର୍କଣ୍ଡେଶ୍ବର ସାହିର ଦୁର୍ଗାପ୍ରସାଦ ମହାନ୍ତିଙ୍କ ପୁଅ ସ୍ମୃତି ରଞ୍ଜନ ମହାନ୍ତି(୨୨) ଓ କୁମ୍ଭାରପଡ଼ାର ଅଜୟ କୁମାର ମହାପାତ୍ରଙ୍କ ପୁଅ ଅଭିଜିତ ମହାପାତ୍ର(୨୨) ବୋଲି ଜଣାପଡ଼ିଛନ୍ତି। ପୁଲିସ ସୂତ୍ରରୁ ପ୍ରକାଶ,  କରୋନା ମହାମାରୀ ପାଇଁ ରଥଯାତ୍ରାକୁ କଟକଣା ମଧ୍ୟରେ କରିବା ପାଇଁ ମାନ୍ୟବର ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶକୁ ପାଳନ କରିବାକୁ ଯାଇ ପୁଲିସ ପ୍ରଶାସନ ପକ୍ଷରୁ ଶ୍ରୀଗୁଣ୍ଡିଚା ମନ୍ଦିର ଚାରିକଡ଼କୁ ସିଲ୍‌ କରିଦେବା ସହିତ ସେଠାରେ କର୍ଫ୍ୟୁ ଲାଗୁ କରାଯାଇଛି।
କେବଳ ପାଳିଆ ସେବାୟତ, ସଫେଇ କର୍ମଚାରୀ, ସୁଆର ସେବାୟତ ଓ ତାଙ୍କୁ ସହଯୋଗ କରୁଥିବା ଯୋଗାଣିଆମାନଙ୍କୁ ଶ୍ରୀଗୁଣ୍ଡିଚା ମନ୍ଦିରରେ ପ୍ରବେଶ ଅନୁମତି ମିଳୁଛି। ଏହି ସମୟରେ ସେବାୟତ ବେଶରେ ଏହି ଦୁଇ ଜଣ ଆଜି ଶ୍ରୀଗୁଣ୍ଡିଚା ମନ୍ଦିର ଭିତରକୁ ପ୍ରବେଶ କରିଥିଲେ। ଏମାନଙ୍କୁ ଜେଟିପିମାନେ ଚିହ୍ନଟ କରିପାରିନଥିଲେ। ତେବେ ଡିଉଟିରେ ଥିବା ପୁଲିସ ସେମାନଙ୍କୁ ଯାଞ୍ଚ କରିବା ସମୟରେ ସେମାନେ କୋଭିଡ୍‌ ପରୀକ୍ଷା କରାଇଥିବା ରିପୋର୍ଟ ଦେଖାଇଥିଲେ। ମାତ୍ର ସେମାନେ ସେବାୟତ ହୋଇନଥିବା ଜଣାପଡ଼ିବା ପରେ ଡିଉଟିରେ ଥିବା ପୁଲିସ ଏମାନଙ୍କୁ କୁମ୍ଭାରପଡ଼ା ଥାନା ଜିମାରେ ଦେଇଥିଲେ। ପୁଲିସ ଏହି ଦୁଇ ଜଣଙ୍କୁ ଗିରଫ କରିଛି।
ସମ୍ବନ୍ଧିତ ଖବର