ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଜରପଡା ଥାନା କୁଶିକିଳା ଗାଁରେ ଅଭାବନୀୟ ଘଟଣା। ଦୀର୍ଘଦିନର ପାରିବାରିକ ଜମି ଭାଗବଣ୍ଟା ବିବାଦ ଓ ୫୦ ଟଙ୍କା ଚୋରିରୁ ବଚସା ହୋଇଥିଲା। ବଚସାରୁ ଉତ୍ତେଜିତ ହୋଇ ଯୁବକଙ୍କ ଟାଙ୍ଗୀଆ ଚୋଟ ଆକ୍ରମଣରେ ସମ୍ପର୍କୀୟ ମା, ପୁଅ ଗୁରୁତର ଆହତ ହୋଇଛନ୍ତି। ସେପଟେ ଆକ୍ରମଣକାରୀ ଯୁବକଙ୍କ ବାପା ଓ ମା ଆହତ ହୋଇଛନ୍ତି।

Advertisment

ସୂଚନା ଅନୁସାରେ ଭୋଳେଶ୍ୱର ସାହୁ(୫୫) ଓ ଭୁବନି ସାହୁ୪୬) ଦୁଇଭାଇ ଓ ଦୁଇ ପରିବାର ଗୋଟିଏ ଅଗଣାରେ ରହୁଛନ୍ତି। ଦୁଇଭାଇଙ୍କ ମଧ୍ୟରେ ପାରିବାରିକ ଜମି ଭାଗବଣ୍ଟା ନେଇ ୧୦ ବର୍ଷ ହେବ ବିବାଦ ରହିଛି। ଦୁଇଦିନ ପୂର୍ବରୁ ଭୋଳେଶ୍ୱରଙ୍କ ଘରୁ ୫୦ ଟଙ୍କା ଚୋରି ହୋଇଥିଲା। ଚୋରି ନେଇ ଭୋଳେଶ୍ୱରଙ୍କ ପତ୍ନୀ ଲବଙ୍ଗ ଭୁବନିଙ୍କ ପରିବାରକୁ ଦେଖେଇ ଗାଳିଗୁଲଜ କରିଥିଲେ। ଏହାକୁ ନେଇ ଦୁଇ ପରିବାର ମଧ୍ୟରେ ଆଜି ସକାଳ ସାଢେ ୬ ଟାରେ ବଚସା ଅରମ୍ଭ ହୋଇଥିଲା। ବଡଭାଇ ଭୋଳେଶ୍ୱର ଉତ୍ତେଜିତ ହୋଇ ସାନଭାଇ ଭୁବନୀଙ୍କୁ ଆକ୍ରମଣ କରିଥିଲେ। ସ୍ୱାମୀକୁ ଆକ୍ରମଣ ଦେଖି ପ୍ରତିରୋଧ ପାଇଁ ତାଙ୍କ ପତ୍ନୀ ମିନତି ସାହୁ ପହଂଚିବାରୁ ତାଙ୍କୁ ମଧ୍ୟ ଭୋଳେଶ୍ୱର ଆକ୍ରମଣ କରିଥିଲେ।

ବାପା ଓ ମାଙ୍କୁ ଆକ୍ରମଣରେ ଉତ୍ତେଜିତ ହୋଇ ପୁଅ ଚିଣ୍ଟୁ(୨୦) ଟାଙ୍ଗିଆ ଧରି ଘଟଣାସ୍ଥଳରେ ପହଞ୍ଚିଥିଲେ। ପୁଅ ଚିଣ୍ଟୁ ଭୋଳେଶ୍ୱରଙ୍କ ପୁଅ ଲିକୁ ଓ ପରେ ପତ୍ନୀ ଲବଙ୍ଗକୁ ଟାଙ୍ଗିଆରେ ପ୍ରାଣାନ୍ତକ ଆକ୍ରମଣ କରିଥିଲେ। ଆକ୍ରମଣରେ ଚିଣ୍ଟୁ ଓ ଲବଙ୍ଗ ଗୁରୁତର ଆହତ ହୋଇଥିଲା ବେଳେ ଭୋଳେଶ୍ୱର ଘଟଣାସ୍ଥଳରୁ ଦୌଡି ପଳେଇଥିଲେ।

ଆକ୍ରମଣରେ ଗୁରୁତର ଆହତ ଅବସ୍ଥାରେ ଲବଙ୍ଗ ଓ ପୁଅ ଚିଣ୍ଟୁ କୋଶଳା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିଲେ। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ଭୁବନେଶ୍ୱରର ଏକ ଘରୋଇ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତରିତ ହୋଇଛନ୍ତି। ଭୁବନି ଓ ପତ୍ନୀ ମିନତୀ ମଧ୍ୟ ଆହତ ହୋଇ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଘଟଣାରେ ଭୁବନି ବଡଭାଇ ଭୋଳେଶ୍ୱରଙ୍କ ନାଁରେ ଆକ୍ରମଣ ନେଇ ଅଭିଯୋଗ କରିଛନ୍ତି।