ଗନ୍ଧମାର୍ଦ୍ଧନରେ ଗୁଳି ବିନିମୟ: ଏସ୍‌ଓଜି ଯବାନଙ୍କ ଗୁଳିରେ ୨ ମହିଳା ମାଓବାଦୀ ନିହତ

ଭୁବନେଶ୍ବର: ବଲାଙ୍ଗୀର ଓ ବରଗଡ଼ ଜିଲ୍ଲାକୁ ଲାଗିଥିବା ଗନ୍ଧମାର୍ଦ୍ଧନ ପାହାଡ଼ ଅଞ୍ଚଳରେ ଆଜି ସୁରକ୍ଷା ବାହିନୀ (ଏସ୍‌ଓଜି ଯବାନ) ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ପୁଲିସର ଗୁଳିରେ ୨ ଜଣ ମହିଳା ନକ୍ସଲଙ୍କ ମୃତ୍ୟୁ ଘଟିଛି। ୨ ମହିଳା ନକ୍ସଲଙ୍କ ମୃତଦେହ ଉଦ୍ଧାର ହୋଇଛି। ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ସୁନୀଲ କୁମାର ବଂଶଲ ଏହି ସୂଚନା ଦେଇଛନ୍ତି।

ଡିଜିପି କହିଛନ୍ତି ଯେ, ଗନ୍ଧମାର୍ଦ୍ଧନ ପାହାଡ଼ରେ ମାଓବାଦୀମାନେ ଥିବା ନେଇ ଏସ୍‌ଓଜି ଯବାନଙ୍କୁ ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଥିଲା। ଏହି ସୂଚନା ଆଧାରରେ ସୁରକ୍ଷାକର୍ମୀମାନେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ତେବେ ସୁରକ୍ଷାକର୍ମୀଙ୍କୁ ଦେଖି ନକ୍ସଲମାନେ ବିଚଳିତ ହୋଇଯାଇଥିଲେ। ସେମାନେ ପୁଲିସ ଉପରକୁ ଗୁଳି ଚଳାଇଥିଲେ। କିନ୍ତୁ ପୁଲିସର ପାଲଟା ଗୁଳିରେ ୨ ଜଣ ନକ୍ସଲ ନିହତ ହୋଇଥିଲେ। ଏହି ଗୁଳି ବିନିମୟ ପ୍ରାୟ ଅଧଘଣ୍ଟା ଧରି ଜାରି ରହିଥିଲା। ଗୁଳି ବିନିମୟ ପରେ ଘଟଣାସ୍ଥଳରୁ ମାଓବାଦୀଙ୍କ ‌ୟୁନିଫର୍ମ, ୨ଟି ଇନ୍‌ସାସ୍ ରାଇଫଲ ଜବତ ହୋଇଛି। ଜଣାପଡ଼ିଛି ଯେ, ମାଓବାଦୀ ଦ୍ବୟ ଏସିଏମ୍‌ ରାଙ୍କର ଥିଲେ। ସେମାନେ ଛତିଶଗଡ଼ର ବୋଲି ଜଣାପଡ଼ିଛି। ନିହତ ହୋଇଥିବା ମାଓବାଦୀମାନେ ବଲାଙ୍ଗୀର-ବରଗଡ଼-ମହାସମୁନ୍ଦ ଡିଭିଜନରେ ମୁତୟନ ଥିଲେ।

୨ ଜଣ ମାଓବାଦୀଙ୍କ ଉପରେ ୪ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା। ଘଟଣାସ୍ଥଳରେ ୫ଟି ଏସଓଜି ଟିମ ନିୟୋଜିତ ଥିଲେ।

ଦୁଇ ମହିଳା ମାଓବାଦୀଙ୍କ ମଧ୍ୟରୁ ଜଣଙ୍କ ନାମ ରୋଶନି ବୋଲି ଜଣା ପଡ଼ିଥିବା ବେଳେ ତାଙ୍କ ଘର ଛତିଶଗଡର ବସ୍ତର ଅଞ୍ଚଳରେ ବୋଲି ସୂଚନା ମିଳିଛି । ଗୁଳିବିନିମୟ ସମୟରେ ଘଟଣାସ୍ଥଳରେ ୪୦ରୁ ଊର୍ଦ୍ଧ୍ୱ  ମାଓବାଦୀ ସେଠାରେ ଉପସ୍ଥିତ ଥିଲେ। ଏସଓଜି ଯବାନମାନଙ୍କ ଧୁଆଁଧାର ଗୁଳି ଚାଳନାରେ ବହୁ ମାଓବାଦୀ ଆହତ ହୋଇଥିବା ମଧ୍ୟ ଜାଣିବାକୁ ମିଳିଛି । ଏହି ଏସଓଜିମାନେ ହେଲେ ଭୁବନେଶ୍ୱର ଚନ୍ଦକା ଡିଭିଜନରୁ ହରିଶଙ୍କର ଅଞ୍ଚଳକୁ ଟ୍ରେନିଂ ଲାଗି ଆସି କୁମ୍ବିଂ ବେଳେ ସଫଳତା ହାସଲ କରିଛନ୍ତି ।

ଗନ୍ଧମାର୍ଦ୍ଧନ ପାହାଡ଼ ଅଞ୍ଚଳରେ ସୁରକ୍ଷା ବାହିନୀ ନିୟମିତ ଭାବେ ସର୍ଚ୍ଚ ଅପରେସନ ଜାରି ରଖିବ। ମାଓବାଦୀଙ୍କୁ ନିକଟରେ ଅପିଲ କରାଯାଇଛି ଯେ, ସେମାନେ ହିଂସା ଛାଡ଼ନ୍ତୁ। ସରକାରଙ୍କ ବିକାଶ କାମରେ ଭାଗିଦାରୀ ହୋଇ ମୂଳସ୍ରୋତରେ ସାମିଲ ହୁଅନ୍ତୁ ବୋଲି ଡିଜିପି ଶ୍ରୀ ବଂସଲ କହିଛନ୍ତି।

ସମ୍ବନ୍ଧିତ ଖବର