ମାଓବାଦୀରୁ ସଂସାର ମଙ୍ଗ: ବିବାହ କଲେ ୨ ମହିଳା ମାଓବାଦୀ ନନ୍ଦିନୀ, କରୁଣା

କନ୍ୟାଦାନ କଲେ କନ୍ଧମାଳ ଏସ୍‌.ପି

ଫୁଲବାଣୀ : ହିଂସାର ବାଟ ଛାଡ଼ି କନ୍ଧମାଳ ଜିଲ୍ଲା ପୁଲିସ ନିକଟରେ ଆତ୍ମସମର୍ପଣ କରିଥିବା ଦୁଇ ମହିଳା ମାଓବାଦୀ ନନ୍ଦିନୀ ଓ କରୁଣା ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଫୁଲବାଣୀସ୍ଥିତ ପୁଲିସ ରିଜର୍ଭ ପଡ଼ିଆରେ ଥିବା ରାଧାକୃଷ୍ଣ ମନ୍ଦିର ପରିସରରେ ମହାଆଡ଼ମ୍ବର ସହକାରେ ଉଭୟଙ୍କ ବିବାହ ସଂପନ୍ନ ହୋଇଛି। ନନ୍ଦିନୀ ଦାରିଙ୍ଗବାଡ଼ିର ଯୁବକ ବିନୋଦଙ୍କ ହାତ ଧରିଥିବା ବେଳେ କରୁଣା ଘୁ.ଉଦୟଗିରିର ନଟେଶ୍ବରକୁ ଜୀବନସାଥୀ ଭାବେ ଗ୍ରହଣ କରିଛନ୍ତି। ଆଉ କନ୍ଧମାଳ ଏସ୍‌.ପି.ବିନୀତ ଅଗ୍ରୱାଲ୍ ଏହି ବିବାହ ଉତ୍ସବର ଆୟୋଜନ ସହ କନ୍ୟାଦାନ ମଧ୍ୟ କରିଛନ୍ତି।

ରବିବାର ଦିନ ଜିଲ୍ଲା ପୁଲିସ ପକ୍ଷରୁ ଉଭୟଙ୍କ ବିବାହ ପାଇଁ ବେଦୀ, ସାଜସଜ୍ଜାଠୁ ଆରମ୍ଭ କରି ଭୋଜି ଏବଂ ବରଯାତ୍ରୀ ସ୍ବାଗତ ଆଦି କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା। ଏହାସହ ବରପକ୍ଷକୁ ଉପହାର ସହିତ ଯାନିଯୌତୁକ ମଧ୍ୟ ପ୍ରଦାନ କରାଯାଇଥିଲା। ମନ୍ଦିର ପରିସରରେ ଆୟୋଜିତ ଭୋଜିରେ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ। ଜିଲ୍ଲାପାଳ ଆଶିଷ ଈଶ୍ବର ପାଟିଲଙ୍କ ସମେତ ବହୁ ଅଧିକାରୀ ଓ ପୁଲିସ କର୍ମଚାରୀ ବିବାହ ଉତ୍ସବରେ ସାମିଲ୍‌ ହୋଇଥିଲେ। ଏହି ୨ ମହିଳା ମାଓବାଦୀ ଏବଂ ସେମାନଙ୍କୁ ବିବାହ କରିଥିବା ଯୁବକମାନଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ସମସ୍ତ ପ୍ରକାର ସହଯୋଗ କରାଯିବ ବୋଲି ଏସ୍‌.ପି. ଶ୍ରୀ ଅଗ୍ରୱାଲ୍ କହିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ନନ୍ଦିନୀ ଓ କରୁଣା ରାଜ୍ୟ ସରକାରଙ୍କ ଆକର୍ଷଣୀୟ ପ୍ୟାକେଜ୍‌ରେ ଆକର୍ଷିତ ହୋଇ ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ମନ ବଳାଇ କନ୍ଧମାଳ ଏସ୍‌.ପି.ଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ।

ସମ୍ବନ୍ଧିତ ଖବର