ଡ୍ୟୁଟି ପାଇଁ ବାହାଘର ସ୍ଥଗିତ ରଖିଲେ ୨ ମହିଳା ପୁଲିସ, ଟ୍ବିଟ୍‌ କରି ପ୍ରଶଂସା କଲେ ପୁଲିସ ଡିଜି

କାର୍ଡ ବାଣ୍ଟି ସାରିଥିଲେ; ବିବାହ ସାମଗ୍ରୀ ବି କିଣା ସରିଥିଲା

ରାଉରକେଲା,: ଆଉ କିଛି ଦିନ ପରେ ହାତରେ ଲାଗିଥାନ୍ତା ମେହେନ୍ଦି। ବୋହୂବେଶରେ ଯାଇଥାନ୍ତେ ଶାଶୂ ଘରକୁ। ମନରେ ଥିଲା ଅସୁମାରୀ ସ୍ବପ୍ନ। କାର୍ଡ୍‌ ବି ଛପା ସରିଥିଲା। ପ୍ରିୟଜନଙ୍କୁ ବିବାହ ନିମନ୍ତ୍ରଣ ବି ମିଳି ସାରିଥିଲା। ଏମିତିକି ବିବାହ ସାମଗ୍ରୀ ମଧ୍ୟ ପ୍ରାୟ ଅଧା କିଣି ସାରିଥିଲେ। ଠିକ୍‌ ଏତିକିବେଳେ କରୋନା ଭୂତାଣୁ ମହାମାରୀର ରୂପ ନେଲା। ଓଡ଼ିଶାରେ ମଧ୍ୟ କରୋନା ନିଜର କାୟାବିସ୍ତାର ଆରମ୍ଭ କରିସାରିଥିଲା। ତେବେ ବିବାହ କରିବା ଅପେକ୍ଷା ଜନସାଧାରଣଙ୍କ ସେବା କରିବାକୁ ଅଗ୍ରାଧିକାର ଦେଲେ ଦୁଇ ମହିଳା ପୁଲିସ କର୍ମଚାରୀ। କରୋନା ମୁକାବିଲା ପାଇଁ ଚାଲିଥିବା ଲଢ଼େଇରେ ସାମିଲ କରିବାକୁ ଆଗେଇ ଆସିଲେ। ଭାବି ଶ୍ବଶୁର ଘର ଲୋକଙ୍କୁ ବୁଝାସୁଝା କରି ବିବାହ ଘୁଞ୍ଚାଇ ଦେଇଛନ୍ତି। ବିବାହ ଅପେକ୍ଷା ଜନସେବାକୁ ବାଛିଥିବା ସୁନ୍ଦରଗଡ଼ ପୁଲିସ ଜିଲ୍ଲା ଅନ୍ତର୍ଗତ ବୀରମିତ୍ରପୁର ଥାନାରେ କାର୍ଯ୍ୟରତ କନଷ୍ଟେବଲ ସୁନୀତା ଅଢ଼ା ଓ କୁଆରମୁଣ୍ଡା ଫାଣ୍ଡିରେ ହୋମ୍‌ଗାର୍ଡଭାବେ କାର୍ଯ୍ୟରତ ତିଳୋତ୍ତମା ମେହେର ଏବେ ପ୍ରେରଣାର ଉତ୍ସ ପାଲଟିଛନ୍ତି। ଉଭୟଙ୍କୁ ଓଡ଼ିଶା ଡିଜିପି ଶ୍ରୀ ଅଭୟଙ୍କଠାରୁ ଆରମ୍ଭ କରି ପ୍ରତ୍ୟେକ ବର୍ଗର ଲୋକ ଏଭଳି ନିଷ୍ପତ୍ତି ପାଇଁ ପ୍ରଶଂସା କରିଛନ୍ତି।

କୁତ୍ରା ପୁରୁକାପାଲୀରେ ଜନ୍ମିତ ସୁନୀତା ୨୦୧୦ରେ ପୁଲିସ‌ରେ ଭର୍ତ୍ତି ହୋଇଥିଲେ। ପ୍ରଥମେ ସୁନ୍ଦରଗଡ଼ ରିଜର୍ଭ ପୁଲିସ୍‌ରେ ଟ୍ରେନିଂ ନେବାପରେ ୨୦୧୬ ଅଗଷ୍ଟ ମାସରେ ବୀରମିତ୍ରପୁର ଥାନାରେ କନଷ୍ଟେବଲ ଭାବେ ଯୋଗଦେଇଥିଲେ। ଗତ ମାର୍ଚ୍ଚ ପହିଲାରେ ସୁନ୍ଦରଗଡ଼ ସଦର ବ୍ଲକ୍‌ ଅନ୍ତର୍ଗତ କୁସୁମମୁଡ଼ାର ମୂଳନିବାସୀ ତଥା ଭୁବନେଶ୍ବର କମିସନରେଟ୍‌ ପୁଲିସ୍‌ରେ କନଷ୍ଟେବଲ ଭାବେ କାର୍ଯ୍ୟରତ ଅଶୋକ ପ୍ରଧାନଙ୍କ ସହ ବିବାହ ସ୍ଥିର ହୋଇଥିଲା। ଏପ୍ରିଲ ୨୪ ତାରିଖରେ ବିବାହ ତାରିଖ ଧାର୍ଯ୍ୟ ହୋଇଥିବାରୁ କାର୍ଡ ବି ଛପା ସରିଥିଲା। ଏମିତିକି ସୁନା ଗହଣା, ପଲଙ୍କ ତିଆରି ସମେତ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ ମଧ୍ୟ କିଣା ସରିଥିଲା। ଠିକ୍‌ ଏହି ସମୟରେ କିନ୍ତୁ କରୋନା ରାଜ୍ୟରେ ଆତଙ୍କ ଖେଳାଇବା ଆରମ୍ଭ କରିଥିଲା। ଏଣୁ ଏଭଳି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ଉଭୟେ ସୁନୀତା ଓ ତାଙ୍କ ଭାବି ସ୍ବାମୀ ଅଶୋକ ବାହାଘର ଅପେକ୍ଷା ଡ୍ୟୁଟିକୁ ପ୍ରାଧାନ୍ୟ ଦେଇଥିଲେ। କରୋନା ମୁକାବିଲାରେ ନିଜକୁ ନିୟୋଜିତ କରିବାକୁ ଉଭୟେ ବିବାହ ଘୁଞ୍ଚାଇବାକୁ ନିଷ୍ପତ୍ତି ନେଇଛନ୍ତି। କରୋନା ମହାମାରୀର ଅନ୍ତ ହେବାପରେ ଉଭୟେ ବିବାହ ବନ୍ଧନରେ ଆବଦ୍ଧ ହେବେବୋଲି ପରିବାରବର୍ଗଙ୍କୁ ଅବଗତ କରିବାପରେ ବିବାହକୁ ସ୍ଥଗିତ ରଖାଯାଇଛି।

‌କୁଆରମୁଣ୍ଡା ଫାଣ୍ଡିର ହୋମ୍‌ଗାର୍ଡ ତିଳୋତ୍ତମା ମେହେର ମଧ୍ୟ ଏତେବେଳକୁ ନବବଧୂ ପାଲଟି ସାରନ୍ତେଣି। କୁଆରମୁଣ୍ଡାରେ ଜନ୍ମଗ୍ରହଣ କରିଥିବା ତିଳୋତ୍ତମା ୨୦୦୬ ମସିହାରେ ପୁଲିସରେ ଯୋଗଦେଇଥିଲେ। ସୁନ୍ଦରଗଡ଼ ଜାମତଲିଆ ଗ୍ରାମର କୈଳାସ ମେହେରଙ୍କ ସହ ତିଳୋତ୍ତମାଙ୍କ ବିବାହ ଠିକ୍‌ ହୋଇଥିଲା। ଏପ୍ରିଲ ୧୧ ତାରିଖରେ ଝାରସୁଗୁଡ଼ାର ସରବାହାଲରେ ବିବାହ ଉତ୍ସବ ଆୟୋଜିତ ହୋଇଥାନ୍ତା। ତିଳୋତ୍ତମାଙ୍କ ବାପାଙ୍କ ମୃତ୍ୟୁପରେ ସରବାହାଲରେ ରହୁଥିବା ତାଙ୍କ ଦାଦା ଏହି ବିବାହ କରାଇଥାନ୍ତେ। ଗତ ଫେବ୍ରୁଆରି ୨୮ ତାରିଖରେ ନିର୍ବନ୍ଧ ହୋଇଥିଲା। କାର୍ଡ ବି ବଣ୍ଟା ହୋଇ ସରିଥିଲା। ଏମିତିକି କିଛି ବିବାହ ସରଞ୍ଜାମ କିଣାକିଣା ପ୍ରାୟ ଶେଷ ହୋଇସାରିଥିବାବେଳେ ପ୍ରସ୍ତୁତି ବି ସରିବା ଉପରେ ଥିଲା। ତେବେ ମାର୍ଚ୍ଚ ତୃତୀୟ ସପ୍ତାହ ବେଳକୁ ଓଡ଼ିଶାରେ କରୋନା ପଜିଟିଭ୍‌ଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ସେମାନେ ଡ୍ୟୁଟିକୁ ଗୁରୁତ୍ବ ଦେଇଥିଲେ। ଏଣୁ ବିବାହ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଥିଲେ। ବିବାହକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତତ ସ୍ଥଗିତ ରଖିବା ସହ ଡ୍ୟୁଟିରେ ଯୋଗ ଦେଇଥିଲେ ତିଳୋତ୍ତମା। ସୁନୀତା ଓ ତିଳୋତ୍ତମା ‘ଡ୍ୟୁଟି ଆଗ, ବିବାହ ପଛ’ ନିଷ୍ପତ୍ତି କେବଳ ଜନସାଧାରଣ, ଅନ୍ୟ ପୁଲିସ କର୍ମଚାରୀଙ୍କୁ ପ୍ରେରଣା ଦେଇନି, ବରଂ ନିଷ୍ଠାପର ଓ ଉତ୍ସର୍ଗୀକୃତ ସେବାର ପ୍ରକୃତ ପରିଭାଷାକୁ ବ୍ୟାଖ୍ୟା କରୁଛି।

ସମ୍ବନ୍ଧିତ ଖବର