ସ୍କୁଲ୍‌ରେ ବାଡ଼ିଆପିଟା ହେଲେ ୨ ଶିକ୍ଷୟିତ୍ରୀ

ମୋବାଇଲରେ ଫଟୋ ଉଠାଇବାକୁ ନେଇ ହାତାହାତି, ଉଭୟ ଆହତ, ଥାନାରେ ଅଭିଯୋଗ

ଭୋଗରାଇ/କମର୍ଦ୍ଦା : ପୂର୍ବ ଶତ୍ରୁତାରୁ ସ୍କୁଲରେ ବାଡ଼ିଆପିଟା ହେଲେ ୨ ଶିକ୍ଷୟିତ୍ରୀ। ବିଳମ୍ବରେ ସ୍କୁଲ ଆସିଥିବା ଜଣେ ଶିକ୍ଷୟିତ୍ରୀଙ୍କ ଫଟୋ ଅନ୍ୟ ଜଣେ ଶିକ୍ଷୟିତ୍ରୀ ତାଙ୍କ ମୋବାଇଲରେ ଉଠାଇବାକୁ ନେଇ ଏଭଳି ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିବା ଜଣାପଡ଼ିଛି। ସେପଟେ ବିଦ୍ୟାଳୟରେ ଶୃଙ୍ଖଳା ଭଙ୍ଗ କରିଥିବା ଏହି ୨ ଶିକ୍ଷୟିତ୍ରୀଙ୍କ ବଦଳି ଦାବିରେ ସ୍କୁଲ ଫାଟକରେ ତାଲା ପକାଇଛନ୍ତି ଅଭିଭାବକ ଓ ଉତ୍ତ୍ୟକ୍ତ ଗ୍ରାମବାସୀ।

ସୂଚନା ଅନୁସାରେ, ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ ନାଚିନ୍ଦା ପଞ୍ଚାୟତ ଉଲୁଡ଼ା ଗ୍ରାମର ବନମାଳୀ ମାଝୀ ପ୍ରାଥମିକ ବିଦ୍ୟାଳୟକୁ ଶୁକ୍ରବାର ସହକାରୀ ଶିକ୍ଷୟିତ୍ରୀ ସୀତାଞ୍ଜଳି ଧଳ ବିଳମ୍ୱରେ ଆସିବାରୁ ଅନ୍ୟଜଣେ ସହକାରୀ ଶିକ୍ଷୟିତ୍ରୀ ଇନ୍ଦୁମତୀ ବେହେରା ତାଙ୍କ ମୋବାଇଲରେ ତାଙ୍କର ଫଟୋ ଉଠାଇଥିଲେ। ଏହାକୁ କେନ୍ଦ୍ରକରି ଉଭୟଙ୍କ ମଧ୍ୟରେ ପ୍ରଥମେ ତୁ ତୁ ମେଁ ମେଁ ଓ ପରେ ଏହା ଉଗ୍ରରୂପ ଧାରଣ କରି ରକ୍ତାକ୍ତ ସଂଘର୍ଷ ପର୍ଯ୍ୟନ୍ତ କଥା ଯାଇଥିଲା। ଏଥିରେ ଉଭୟ ଆହତ ହୋଇଛନ୍ତି। ଖବର ପାଇ ଅଭିଭାବକ ଓ ଗ୍ରାମବାସୀ ସ୍କୁଲରେ ପହଞ୍ଚି ଉଭୟ ଶିକ୍ଷୟିତ୍ରୀଙ୍କୁ ସେଠାରୁ ବାହାର କରିବା ସହିତ ସେମାନଙ୍କ ବଦଳି ଦାବିରେ ଫାଟକରେ ତାଲା ପକାଇ ଧାରଣାରେ ବସିଥିଲେ। ପରେ ଘଟଣାରେ ଶିକ୍ଷୟିତ୍ରୀ ଶ୍ରୀମତୀ ଧଳ ଓ ଶ୍ରୀମତୀ ବେହେରା କମର୍ଦ୍ଦା ଥାନାରେ ପରସ୍ପରଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଥିବା ସୂଚନା ମିଳିଛି। ଖବର ଲେଖାହେବା ପର୍ଯ୍ୟନ୍ତ କମର୍ଦ୍ଦା ଥାନାରେ ମାମଲା ରୁଜୁ ହୋଇନଥିଲା। ସେପଟେ ଘଟଣା ସମ୍ପର୍କରେ ଭୋଗରାଇ ଗୋଷ୍ଠୀ ଶିକ୍ଷାଧିକାରୀ ମିହିର କୁମାର ପ୍ରଧାନଙ୍କୁ ପଚାରିବାରୁ ତାଙ୍କ ନିକଟରେ ଏନେଇ କୌଣସି ଅଭିଯୋଗ ହୋଇନି, ଅଭିଯୋଗ ଆସିଲେ ଘଟଣାର ତଦନ୍ତ କରି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର