ଟ୍ରାକ୍ଟର ଓଲଟି ୨ ମହିଳା ଶ୍ରମିକ ମୃତ

ମୁନିଗୁଡ଼ା : ରାୟଗଡା ଜିଲ୍ଲା ମୁନିଗୁଡା ଏଚ୍‌ପି ଗ୍ୟାସ୍ ସିଲିଣ୍ଡର୍ ଗୋଦାମ ନିକଟରେ ରବିବାର ସକାଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଇଟା ବୋଝେଇ ଟ୍ରକ୍ଟର ଭାରସାମ୍ୟ ହରାଇବାରୁ ଡାଲା ଓଲଟି ପଡ଼ି ଦୁଇ ମହିଳା ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଟ୍ରାକ୍ଟରକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁଯାୟୀ, ମୁନିଗୁଡ଼ା ନିକଟସ୍ଥ ଟିକରପଡ଼ା ଅଞ୍ଚଳର ଗୋଟିଏ ଟ୍ରାକ୍ଟର ମେରକାମଣ୍ଡଳି ଗାଁରୁ ଇଟା ଲୋଡ୍‌ କରିଥିଲା। ଇଟା ନେଇ ୩ଜଣ ମହିଳା ଶ୍ରମିକଙ୍କ ସହ ପୁଣି ମୁନିଗୁଡ଼ା ଫେରିବା ସମୟରେ ରାସ୍ତାରେ ଭାରସାମ୍ୟ ହରାଇଥିଲା। ଯାହାଫଳରେ, ଟ୍ରାକ୍ଟର ଡାଲା ସଂପୂର୍ଣ୍ଣ ଓଲଟି ଯାଇଥିଲା। ପ୍ରାଣ ବିକଳରେ ଡାଲାରେ ବସିଥିବା ଜଣେ ମହିଳା ଶ୍ରମିକ ଡେଇଁ ପଡ଼ିଥିଲେ। ତଥାପି ତଳେ ପଡ଼ି ଆହତ ହୋଇଥିଲେ। ଅନ୍ୟ ଜଣେ ମହିଳା ଶ୍ରମିକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନା ନିଆଯାଇଥିଲେ ସୁଦ୍ଧା ଡାକ୍ତର ମୃତ ଘୋଷଣା କରିଥିଲେ। ତୃତୀୟ ମହିଳା ଶ୍ରମିକ ଟ୍ରାକ୍ଟର ଡାଲା ତଳେ ଚାପି ହୋଇ ରହିଥିଲେ। ମେସିନ୍‌ ଲଗାଇ ଡାଲା ଟେକିବା ବେଳକୁ ମହିଳା ଶ୍ରମିକଙ୍କ ମୃତ୍ୟୁ ହୋଇଯାଇଥିଲା। ମୃତ ମହିଳା ଶ୍ରମିକ ଦ୍ବୟ ଇଲମେ ସିକକା ଏବଂ ଲୋକେ ନୁଣ୍ଡୃକା ଡଙ୍ଗରିଆ କନ୍ଧ ସଂପ୍ରଦାୟର ବୋଲି ଜଣାପଡ଼ିଛି। ଉଭୟଙ୍କ ଘର ମେରକାମଣ୍ଡଳି ଗାଁରେ ବୋଲି ସୂଚନା ମିଳିଛି। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି ଏବଂ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ। ମୃତକ ଦ୍ବୟ ଅତ୍ୟନ୍ତ ଗରିବ ହୋଇଥିବାରୁ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି।

ସମ୍ବନ୍ଧିତ ଖବର