ସମ୍ବଲପୁର: ସମ୍ବଲପୁରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆନ୍ଦୋଳନ ବେଳେ ପୁଲିସ ସହ ବିଜେପି କର୍ମୀଙ୍କ ଧସ୍ତାଧସ୍ତି ନେଇ ଟାଉନ୍ ଥାନାରେ ୨ଟି ଭିନ୍ନ ଭିନ୍ନ ମାମଲା ରୁଜୁ ହୋଇଛି। ଆକ୍ରମଣ ଅଭିଯୋଗ ଘଟଣାରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ନାଁରେ ଟାଉନ ଥାନାରେ ଧନୁପାଲି ଥାନା ଆଇଆଇସି ଅନୀତା ପ୍ରଧାନ ଏତଲା ଦେଇଛନ୍ତି। ଆଇଆଇସିଙ୍କ ଏତଲା କ୍ରମେ ଟାଉନ ଥାନା ପକ୍ଷରୁ ଜୟନାରାୟଣ ମିଶ୍ରଙ୍କ ନାଁରେ ଏକାଧିକ ଧାରାରେ ମାମଲା ରୁଜୁ କରାଯାଇଛି। ଜବାବରେ ବିଜେପି ମହିଳା ମୋର୍ଚ୍ଚାର ସମ୍ବଲପୁର ଶାଖା ପକ୍ଷରୁ ଆଇଆଇସି ଅନୀତା ପ୍ରଧାନଙ୍କ ନାଁରେ ଏତଲା ଦିଆଯାଇଛି।
ଆଇଆଇସି ଅନୀତା ପ୍ରଧାନ ଏତଲାରେ ଉଲ୍ଲେଖ କରିଛନ୍ତି, ବିଜେପି ସମ୍ବଲପୁର ଶାଖା ତରଫରୁ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ଧାରଣା ଦିଆଯାଇଥିଲା। ଏଥି ପାଇଁ ପୁଲିସ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଇଥିଲା। ମୁଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମୁତୟନ ଥିଲି। ଦିନ ପ୍ରାୟ ୧୨ଟା ୪୫ରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ନେତୃତ୍ବରେ ବିଜେପିର ରାଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ପହଞ୍ଚି ଥିଲା। ଆନ୍ଦୋଳନକାରୀମାନେ ସରକାର ଓ ପୁଲିସ ବିରୋଧରେ ଶ୍ଲୋଗାନ ଦେଉଥିଲେ। ସେମାନେ ଜିଲ୍ଲାପାଳ କାର୍ଯ୍ୟାଳୟ ସାମ୍ନାରେ ଏକ ବୈଠକ କରିଥିଲେ। ଏହା ପରେ ବିଜେପିର କର୍ମୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ମୁଖ୍ୟ ଫାଟକ ଦେଇ ପ୍ରବେଶ କରିବାକୁ ଉଦ୍ୟମ କରିଥିଲେ। ପୁଲିସ ସେମାନଙ୍କୁ ବିରୋଧ କରିଥିଲା। ମହିଳା କର୍ମୀମାନେ ପୁଲିସ ସାମ୍ନାକୁ ଆସିଥିଲେ। ଏହା ଦେଖି କିଛି ମହିଳା ପୁଲିସଙ୍କ ସହିତ ମୁଁ ଘଟଣାସ୍ଥଳକୁ ଯାଇଥିଲି। ପ୍ରାୟ ୨ଟାରେ ଜୟନାରାୟଣ ମିଶ୍ର ବେରିକେଡ ନିକଟକୁ ପହଞ୍ଚିଥିଲେ। ସେ ବିନା କାରଣରେ ମୋତେ ଖରାପ ଭାଷାରେ ଗାଳି ଦେଇଥିଲେ। ଚାପୁଡା ମାରିବାକୁ ଧମକ ଦେଇଥିଲେ। ତୁ କିଏ ବୋଲି କହିଥିଲେ। ଭଦ୍ରତାର ସହିତ ମୁଁ ତାଙ୍କୁ ଧନୁପାଲି ଆଇଆଇସି ବୋଲି କହିଥିଲି। ଏହା ପରେ ମଧ୍ୟ ବିରୋଧୀ ଦଳ ନେତା ଖରାପ ଭାଷାରେ ଗାଳି ଦେଇଥିଲେ। ଆଇଆଇସି ଅନୀତା ପ୍ରଧାନ ଏହି ଘଟଣାକୁ ନେଇ ସ୍ଥାନୀୟ ଆରଡିସିଙ୍କୁ ଭେଟିଛନ୍ତି। ସେ ଆରଡିସିଙ୍କ ନିକଟରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।
ଅନ୍ୟପଟରେ ଆଇଆଇସି ଅନୀତା ପ୍ରଧାନଙ୍କ ବିରୋଧରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଟାଉନ ଥାନାରେ ଏତଲା ଦିଆଯାଇଛି। ମହିଳା ମୋର୍ଚ୍ଚା ଜିଲ୍ଲା ସଭାପତି ଅନ୍ନପୂର୍ଣ୍ଣା ବାରିକ ଏତଲା ଦେବା ସହିତ କହିଛନ୍ତି, ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ବିଜେପି ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ଧାରଣା ଦେଇଥିଲା। ଧାରଣାରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର, ରେଙ୍ଗାଲି ବିଧାୟକ ନାଉରୀ ନାୟକ ଏବଂ ଜିଲ୍ଲା ସଭାପତି ଗିରିଶ ପଟେଲଙ୍କ ସମେତ ଦଳୀୟ କର୍ମୀ ଥିଲେ। କର୍ମୀମାନେ ସ୍ଥାନୀୟ ଆଶାପାଲି ସ୍କୁଲ ପାଖରୁ ଏକ ଶୋଭାଯାତ୍ରାରେ ବାହାରି ଶାନ୍ତିପୂର୍ଣ୍ଣ ଭାବେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପାଖରେ ପହଞ୍ଚିଲା ପରେ ପୁଲିସ କର୍ମଚାରୀମାନେ ବିନା କାରଣରେ ଦଳୀୟ ପଦାଧିକାରୀ ଏବଂ କର୍ମୀଙ୍କୁ ଠେଲାପେଲା କରିଥିଲେ। ଏହି ଘଟଣାକୁ ଆମେ ସମସ୍ତେ ବିରୋଧ କରିବାରୁ ଉପସ୍ଥିତ ଧନୁପାଲି ଥାନା ଅଧିକାରୀ ଅନୀତା ପ୍ରଧାନ ଆମକୁ ଗୁଳି ମାରିଦେବାକୁ ଧମକ ଦେଇଥିଲେ। ପୁଲିସ ବିରୋଧରେ ବେଶି କହୁଛ ପରିଣାମ ଭୋଗ କରିବ। ସେ ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଅଶ୍ବିନୀ ମାଝିଙ୍କୁ ଗୋଡରେ ଗୋଇଠା ମାରିବାରୁ ତଳେ ପଡ଼ିଗଲେ। ଜୟନାରାୟଣ ମିଶ୍ର ବିରୋଧ କରିବା ପାଇଁ ଆଗେଇ ଆସିବାରୁ ଶ୍ରୀମତୀ ପ୍ରଧାନ ଅନ୍ୟାୟ ଭାବେ ଠେଲାପେଲା କରି ଅପମାନ କରିଥିଲେ। ଏଥିରେ ଜୟନାରାୟଣ ମିଶ୍ର ଆଘାତ ପାଇଥିଲେ।
ଏହି ମାମଲା ନେଇ ସମ୍ବଲପୁର ଏସ୍ପି ବି ଗଙ୍ଗାଧର କହିଛନ୍ତି, ଠେଲାପେଲା ହୋଇଛି। ଆମେ ଘଟଣା ଉପରେ ନଜର ରଖିଛୁ। ତଦନ୍ତ ପରେ ପ୍ରକୃତ ଘଟଣା ଜଣାପଡ଼ିବ। ତଦନ୍ତରେ ଦୋଷୀ ସାବ୍ୟସ୍ତ ବ୍ୟକ୍ତିଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ।
ସୂଚନାଯୋଗ୍ୟ, ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ସମ୍ବଲପୁରରେ ବିଜେପି ପ୍ରତିବାଦ କରୁଥିବା ବେଳେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଧନୁପାଲି ଆଇଆଇସିଙ୍କୁ ଧକ୍କା ମାରିଥିବା ନେଇ ଅଭିଯୋଗ ହୋଇଥିଲା। ତେବେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଏହି ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/02/69df9465-e3b9-4b57-8167-077804be14a0.jpg)