ଦୁଇ ଅଗ୍ନିଶମ କର୍ମଚାରୀଙ୍କ ସାହସିକତା : ଋଷିକୁଲ୍ୟାରେ ୫ କିମି ପହଁରି ଯୁବକଙ୍କୁ ଉଦ୍ଧାର କଲେ

ଛତ୍ରପୁର : ଋଷିକୁଲ୍ୟାର ପ୍ରଖର ସ୍ରୋତରେ ଭାସିଯାଉଥିବା ଜଣେ ବ୍ୟକ୍ତିଙ୍କୁ ଗଞ୍ଜାମ ଜିଲ୍ଲା ଛତ୍ରପୁର ଅଗ୍ନିଶମ ବିଭାଗର ଦୁଇ କର୍ମଚାରୀ ୫ କିଲୋମିଟର ପହଁରି ଜୀବିତାବସ୍ଥାରେ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି। ଅଗ୍ନିଶମ ବିଭାଗର ତପନ କୁମାର ବେହେରା ଓ କାହ୍ନୁ ଶ୍ରୀଚନ୍ଦନ ପରିଡ଼ାଙ୍କ ଏହି ଦୁଃସାହସିକ ପଦକ୍ଷେପ ପାଇଁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି।

ଆଜି ସକାଳେ ଛତ୍ରପୁର ବ୍ଲକ୍ ମୁନିଷିପେଣ୍ଠର ଗ୍ରାମର ବାବୁଲି ବେହେରା ନାମକ ଜଣେ ବ୍ୟକ୍ତି ହଠାତ୍ ଅସାବଧାନତାବଶତଃ ଋଷିକୁଲ୍ୟା ନଦୀରେ ଭାସିଯାଇଥିଲେ। ସୂଚନା ପାଇ ଛତ୍ରପୁର ଆସିଷ୍ଟାଣ୍ଡ୍ ଫାୟାର୍ ଅଫିସର୍ ବିଶ୍ବନାଥ ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏଲ୍ଏଫ୍ଏମ୍ ମହେଶ୍ବର ପ୍ରଧାନ, ଡିଆରଏଚ୍ ରାକେଶ ମାନସିଂ, ତପନ କୁମାର ବେହେରା, କାହ୍ନୁ ଶ୍ରୀଚନ୍ଦନ ପରିଡ଼ା, ଉମାଶଙ୍କର ମାଝୀ ଓ ଗୋବର୍ଦ୍ଧନ ବେହେରା ସେଠାରେ ପହଞ୍ଚିଥିଲେ। ବାବୁଲା ପାଣିର ‌ପ୍ରଖର ସ୍ରୋତରେ କ୍ଷିପ୍ର ବେଗରେ ଭାସି ଯାଉଥିବା ବେଳେ ତାଙ୍କୁ ଉଦ୍ଧାର କରିବା ଏକ ଚ୍ୟାଲେଞ୍ଜ୍ ପାଲଟିଥିଲା। ହେଲେ ତପନ ଓ କାହ୍ନୁ ଏହି ଚ୍ୟାଲେଞ୍ଜକୁ ଗ୍ରହଣ କରିଥିଲେ। ବାବୁଲିଙ୍କୁ ଉଦ୍ଧାର କରିବାକୁ ଉଭୟ ଗଭୀର ପାଣିରେ ଲମ୍ଫ ମାରିଥିଲେ। ଆଉ ଭରା ନଦୀରେ ପ୍ରାୟ ୫ କି‌ଲୋମିଟର ପର୍ଯ୍ୟନ୍ତ ଉଭୟ ପହଁରି ଗଞ୍ଜାମ ଋଷିକୁଲ୍ୟା ନଦୀ ମୁହାଣ ନିକଟରେ ବାବୁଲିଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ। ତାଙ୍କୁ ଛତ୍ରପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେହିପରି ତପନ ମଧ୍ୟ ସାମାନ୍ୟ ଅସୁସ୍ଥ ଅନୁଭବ କରିଥିଲେ। ଚିକିତ୍ସା ପରେ ବାବୁଲି ଘରକୁ ଫେରିଛନ୍ତି। କାହ୍ନୁ ଓ ତପନଙ୍କ ଏହି ସାହସିକତା ପାଇଁ ବାବୁଲିଙ୍କ ଜୀବନ ବଞ୍ଚିଗଲା ବୋଲି ଦର୍ଶାଇ ବିଭାଗୀୟ ଅଧିକାରୀଙ୍କ ସମେତ ବିଭିନ୍ନ ବର୍ଗର ଲୋକେ ସେମାନଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି।

ସମ୍ବନ୍ଧିତ ଖବର