ରାଉରକେଲା: ଜାନୁଆରି ୧୩ ତାରିଖରୁ ରାଉରକେଲା ଓ ଭୁବନେଶ୍ବରରେ ଖେଳାଯିବାକୁ ଥିବା ପୁରୁଷ ହକି ବିଶ୍ବକପ୍‌ ପାଇଁ ଚଳଚଞ୍ଚଳ ହୋଇପଡ଼ିଛି ଇସ୍ପାତ ସହର। ବିଶ୍ବକପ୍‌ ପାଇଁ ଶନିବାର ଗ୍ରୁପ୍‌ ସି’ର ଦୁଇ ବିଦେଶୀ ଦଳ ନ୍ୟୁଜିଲାଣ୍ଡ୍‌ ଓ ମାଲେସିଆ ଦଳ ରାଉରକେଲାରେ ପହଞ୍ଚିଛନ୍ତି। ହକି ମହାକୁମ୍ଭ ପାଇଁ ପ୍ରଥମ ବିଦେଶୀ ଦଳଭାବେ ଶନିବାର ପୂର୍ବାହ୍ନ ପ୍ରାୟ ୧୨ଟା ୪୦ ମିନିଟରେ ପ୍ରଥମେ ନିକ୍‌ ଉଡ୍‌ସ ନେତୃତ୍ବାଧୀନ ନ୍ୟୁଜିଲାଣ୍ଡ୍‌ ଦଳ ପହଞ୍ଚିଥିଲା। ଅପରାହ୍ନ ପ୍ରାୟ ୪ଟା ୫ ମିନିଟ୍‌ରେ ମର୍‌ହାନ ଜଲିଲ୍‌ ନେତୃତ୍ବାଧୀନ ମାଲେସିଆ ଦଳ ପହଞ୍ଚିଥିଲା। ଉଭୟ ବିଦେଶୀ ଦଳ ଭୁବନେଶ୍ବରରୁ ସ୍ବତନ୍ତ୍ର ଚାଟାର୍ଡ‌୍ ଫ୍ଲାଇଟ୍‌ରେ ରାଉରକେଲା ବିମାନବନ୍ଦରରେ ପହଞ୍ଚିଥିଲେ। କଡ଼ା ସୁରକ୍ଷା ବଳୟ ଭିତରେ ଖେଳାଳିଙ୍କୁ ବିଶ୍ବ ଗ୍ରାମରେ ନିର୍ମିତ ଆକୋମୋଡେସନ କେନ୍ଦ୍ରକୁ ନିଆଯାଇଥିଲା।
ସ୍ଥାନୀୟ ବିର୍ସାମୁଣ୍ଡା ଷ୍ଟାଡିୟମରେ ନ୍ୟୁଜିଲାଣ୍ଡ୍‌ ଦୁଇଟି ଗ୍ରୁପ୍‌ ମ୍ୟାଚ୍‌ ଖେଳିବାକୁ ଥିବାବେଳେ ଶେଷ ମ୍ୟାଚ୍‌ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଖେଳିବ। ଜାନୁଆରି ୧୪ ତାରିଖରୁ ନ୍ୟୁଜିଲାଣ୍ଡ୍‌ ଦଳ ବିଶ୍ବକପ୍‌ ପଦାର୍ପଣକାରୀ ଚିଲି ବିପକ୍ଷରେ ଅଭିଯାନ ଆରମ୍ଭ କରିବ। ୧୬ ତାରିଖରେ ଦଳ ନେଦରାଲାଣ୍ଡ୍‌ ଓ ୧୯ ତାରିଖରେ ମାଲେସିଆକୁ ଭେଟିବ। ସେହିଭଳି ମାଲେସିଆ ୧୪ ତାରିଖରେ ନେଦରଲାଣ୍ଡ୍‌ ବିପକ୍ଷରେ ପ୍ରଥମ ମ୍ୟାଚ୍‌ ଖେଳିବ। ପରବର୍ତ୍ତୀ ଦୁଇ ମ୍ୟାଚ୍‌ରେ ୧୬ ତାରିଖରେ ଚିଲି ଓ ୧୯ ତାରିଖରେ ନ୍ୟୁଜିଲାଣ୍ଡ୍‌କୁ ଭେଟିବ। ନବନିର୍ମିତ ଅନ୍ତର୍ଜାତୀୟ ବିର୍ସା ମୁଣ୍ଡା ହକି ଷ୍ଟାଡିୟମକୁ ଉଭୟ ଦଳ କୋଚ୍‌, ଅଧିନାୟକ ଭୂୟସୀ ପ୍ରଶଂସା କରିଛନ୍ତି।

Advertisment

‘ରାଉରକେଲାସ୍ଥ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ବହୁତ ବଡ଼। ଏତେ ବଡ଼ ଷ୍ଟାଡିୟମରେ ଦର୍ଶକଙ୍କ ହଟ୍ଟଗୋଳ ବାଧା ସୃଷ୍ଟି କରିବ। ମ୍ୟାଚ୍‌ ସମୟରେ ସାଥୀ ଖେଳାଳିଙ୍କୁ ଶୁଣିବାରେ ଅସୁବିଧା ହେବ; ଯାହାକି ସମସ୍ୟା ସୃଷ୍ଟି କରିପାରେ। ତେବେ ଏତେ ବଡ଼ ଦର୍ଶକଙ୍କ ସମ୍ମୁଖରେ ଖେଳିବାକୁ ଦଳ ବେଶ୍‌ ଉତ୍ସାହିତ ଓ ପ୍ରସ୍ତୁତ ମଧ୍ୟ। ନିଜର ଶ୍ରେଷ୍ଠତ୍ବ ପ୍ରଦର୍ଶନ ପାଇଁ ଆମେ ବଦ୍ଧପରିକର।’
ନିକ୍‌ ଉଡ୍‌ସ, ଅଧିନାୟକ, ନ୍ୟୁଜିଲାଣ୍ଡ୍‌

‘ଦଳ ବୃହତ୍‌ ବିଜୟ ହାସଲ କରି ଚାମ୍ପିଅନ ହେବାକୁ ଲକ୍ଷ୍ୟ ରଖିଛି। ନିକଟ ଅତିତରେ ଦଳ ଭୁବନେଶ୍ବରରେ ପ୍ରୋ ଲିଗ୍‌ରେ ଭାଗନେବାକୁ ଆସିଥିବାବେଳେ ଏବେ ପୁଣି ବିଶ୍ବକପ୍‌ ପାଇଁ ଆସିଛୁ। ଏଠାକାର ଦର୍ଶକ, ପରିବେଶ ଅତ୍ୟନ୍ତ ଚମତ୍କାର ହୋଇଥିବାରୁ ଦଳ ଏଠାରେ ଖେଳିବାକୁ ପସନ୍ଦ କରିଥାଏ। ଆଜି ସନ୍ଧ୍ୟାରୁ ହିଁ ଦଳ ଅଭ୍ୟାସ ଆରମ୍ଭ କରି ପିଚ୍‌, ପରିବେଶ ସହ ଖାପ ଖୁଆଇବ।
ଗ୍ରେଗ୍‌ ନିକୋଲ, ମୁଖ୍ୟ କୋଚ୍‌, ନ୍ୟୁଜିଲାଣ୍ଡ୍‌

‘ପଡ଼ିଆରେ ଉନ୍ନତ ପ୍ରଦର୍ଶନ ପାଇଁ ଦଳ ପୂର୍ଣ୍ଣ ପ୍ରସ୍ତୁତ ଅଛି। ଆମ ଗ୍ରୁପ୍‌ରେ ନେଦରଲାଣ୍ଡ୍‌, ନ୍ୟୁଜିଲାଣ୍ଡ୍‌ ଭଳି ଶକ୍ତିଶାଳୀ ଦଳ ଅଛନ୍ତି। ଏହି ଦଳକୁ ପରାସ୍ତ କରିବା କଷ୍ଟକର। ତେବେ ଆମ ଖେଳାଳିଙ୍କ ଆତ୍ମବିଶ୍ବାସ୍‌ ଢ଼େର୍‌ ଉର୍ଦ୍ଧ୍ବରେ ଥିବାରୁ ଆଗାମୀ ମ୍ୟାଚ୍‌ ଗୁଡ଼ିକରେ ଦଳଗତ ପ୍ରଦର୍ଶନ ଉନ୍ନତମାନର ହେବ ଓ ଦଳଗତ ଚମତ୍କାର ଦେଖିବାକୁ ମିଳିବ।
ମର୍‌ହାନ ଜଲିଲ୍‌, ଅଧିନାୟକ, ମାଲେସିଆ

‘ଶାରୀରିକଭାବେ ଉପସ୍ଥିତ ରହି ପୂର୍ବରୁ ରାଉରକେଲା ଷ୍ଟାଡିୟମକୁ ଦେଖିନୁ, କିନ୍ତୁ ଫଟୋ, ଭିଡିଓ ମାଧ୍ୟମରେ ଷ୍ଟାଡିୟମ ବିଷୟରେ ଅବଗତ ଅଛୁ। ଏହି ପଡ଼ିଆରେ ହଜାର ହଜାର ଦର୍ଶକଙ୍କ ସମ୍ମୁଖରେ ଖେଳିବାକୁ ଆମେ ମଧ୍ୟ ଉତ୍ସାହିତ। ଆମ ଖେଳାଳିଙ୍କ ପାଖରେ ବିଚକ୍ଷଣ ପ୍ରତିଭା ରହିଛି; ଯାହାକି ବଡ଼ ମ୍ୟାଚ୍‌ ଜିତିବାରେ ସହାୟକ ହେବ। ଉନ୍ନତ ଭିତ୍ତିଭୂମି, ଅତ୍ୟାଧୁନିକ ସୁବିଧା ବିଶିଷ୍ଟ ଏହି ଷ୍ଟାଡିୟମରେ ବିଶ୍ବକପ୍‌ ଆୟୋଜନ କରିବା ହକି ଇଣ୍ଡିଆର ସ୍ବାଗତଯୋଗ୍ୟ ନିଷ୍ପତ୍ତି।
ଅରୁଲ ଆନ୍ଥୋନୀ, ମୁଖ୍ୟ କୋଚ୍‌, ମାଲେସିଆ