ପୁରୀ: ଶ୍ରୀମନ୍ଦିରରେ ପଶି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ବିଦେଶୀ। ମହାପ୍ରଭୁଙ୍କ ଦର୍ଶନ ସାରି ଉତ୍ତରଦ୍ବାର ଦେଇ ଫେରିବା ବେଳେ ଚର୍ଚ୍ଚାମାନେ ତାଙ୍କୁ ଧରିଛନ୍ତି। ଶ୍ରୀମନ୍ଦିରରେ ଅଣହିନ୍ଦୁ ପ୍ରବେଶ ନିଷେଧ ଥିବାବେଳେ ଦୁଇଜଣ ବିଦେଶୀ ସାଧୁ ବେଶରେ ଧୋତି, ଚୁଡ଼ିଦାର ପିନ୍ଧି ଏବଂ ମୁଣ୍ଡରେ ଗାମୁଛା ଘୋଡ଼ାଇ ଅତି ଚତୁରତାର ସହ ମନ୍ଦିରରେ ପଶିବା ଓ ଦର୍ଶନ ସାରି ଫେରିବା ପରେ ବି ପୁଲିସ ଏ ସଂପର୍କରେ ଜାଣି ନ ପାରିବା ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ମିଳିଥିବା ସୂଚନା ମୁତାବକ, ସୋମବାର ପୂର୍ବାହ୍ଣ ପ୍ରାୟ ୧୦ଟା ବେଳେ ଦୁଇ ବିଦେଶୀ ହିନ୍ଦୁ ବେଶରେ ଶ୍ରୀମନ୍ଦିରରେ ପଶି ଦର୍ଶନ ପରେ ଉତ୍ତରଦ୍ବାର ଦେଇ ବାହାରୁଥିଲେ। କିଛି ଚର୍ଚ୍ଚା ଏ ସମ୍ପର୍କରେ ଜାଣିବା ପରେ ଦୁଇଜଣଙ୍କୁ ଅଟକାଇ ପୁଲିସକୁ ଖବର ଦେଇଥିଲେ। 

Advertisment

ଦୁଇଜଣ ଚୁଟି ମୁଣ୍ଡନ କରିଥିଲେ। ସେମାନଙ୍କ ହାତରେ ମାଳି, ଦେହରେ ଧୋତି ଓ ଚୁଡ଼ିଦାର ରହିଥିଲା। ମୁଣ୍ଡରୁ ଦେହ ଏକ ଗାମୁଛାରେ ଘୋଡ଼ାଇ ହୋଇଥିଲେ। କେବଳ ମୁହଁ ସାମାନ୍ୟ ଦେଖା ଯାଉଥିଲା। ଚର୍ଚ୍ଚାମାନେ ଉଭୟଙ୍କୁ ଧରି ପୁଲିସ ଜିମା ଦେଇଥିଲେ। କିନ୍ତୁ ପୁଲିସ ଥାନାକୁ ନେବା ବଦଳରେ ସେମାନଙ୍କୁ ଛାଡ଼ି ଦେଇଥିଲା। ଜଣେ ଚର୍ଚ୍ଚା ଦୁଇ ବିଦେଶୀଙ୍କୁ ଅଟକାଇ ରଖିବାକୁ ଚେଷ୍ଟା କରିଥିଲେ ବି ପୁଲିସ କିମ୍ବା ଜେଟିପି କେହି ସହଯୋଗ କରୁନଥିବା ଦେଖିବାକୁ ମିଳିଥିଲା। ଶ୍ରୀମନ୍ଦିର ସୁରକ୍ଷା ଦିଗରେ ପୁଲିସ କେତେ ସତର୍କ ରହିଛି, ତାହା ଏହି ଘଟଣାରୁ ସ୍ପଷ୍ଟ ହେଉଛି।