ଦନ୍ତା ହାତୀର ମୃତ୍ୟୁ ଘଟଣାରେ ଦୁଇ ବନ ବିଭାଗ କର୍ମଚାରୀ ନିଲମ୍ୱିତ, ଏସିଏଫ୍ଓଙ୍କୁ କାରଣ ଦର୍ଶାଅ ନୋଟିସ୍

ନୀଳଗିରି : ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ କୁଲଡ଼ିହା ଅଭୟାରଣ୍ୟରେ ଏକ ଦନ୍ତା ହାତୀର ମୃତ୍ୟୁ ଘଟଣାରେ ଆଜି ଦୁଇ ଜଣ ବନ ବିଭାଗ କର୍ମଚାରୀଙ୍କୁ ନିଲମ୍ୱନ କରାଯାଇଥିବା ଜଣାଯାଇଛି। କାର୍ଯ୍ୟରେ ଅବହେଳା ଅଭିଯୋଗରେ ସେଦୁହିଁଙ୍କୁ ନିଲମ୍ୱିତ କରାଯାଇଛି। ନିଲମ୍ୱିତ ଦୁଇ ବନ ବିଭାଗ କର୍ମଚାରୀ ହେଲେ କୁଳଡିହା ଫରେଷ୍ଟର କିଶୋର ଚନ୍ଦ୍ର ଭୂୟାଁ ଓ ଫରେଷ୍ଟ ଗାର୍ଡ ଲାଲମୋହନ ସିଂହ।

ଡିଏଫ୍ଓ ବିଶ୍ୱରାଜ ପଣ୍ଡା ଉଭୟଙ୍କୁ କାର୍ଯ୍ୟରେ ଅବହେଳା ଯୋଗୁ ନିଲମ୍ୱନ କରାଯାଇଛି ବୋଲି ସୂଚନା ଦେଇଛନ୍ତି। ଏହାଛଡ଼ା ଏସିଏଫ୍ଓ ଲକ୍ଷ୍ମଣ କୁମାର ପ୍ରଧାନଙ୍କୁ ବି କାରଣ ଦର୍ଶାଅ ନୋଟିସ୍ ପଠାଯାଇଥିବା ବାଲେଶ୍ୱର ଡିଏଫ୍ଓ ବିଶ୍ୱରାଜ ପଣ୍ଡା କହିଛନ୍ତି।

ଏଠାରେ ସୂଚନାଯୋଗ୍ୟ ଯେ , ଗତ ୫ ତାରିଖରେ କୁଲଡ଼ିହା ଅଭୟାରଣ୍ୟରେ ଏହି ଦନ୍ତା ହାତୀର ମୃତ୍ୟୁ ଘଟିଥିଲା। ତାର ପଚା ଶରୀର ସେହି ଦିନ ମିଳିଥିଲା। ଏକଥାକୁ ଲୁଚାଇବାଲାଗି ଗଣମାଧ୍ୟମକୁ ହାତୀଠାରୁ ଦୂରରେ ରଖାଯାଇଥିଲା। ପରେ ଉକ୍ତ ହାତୀର ହାତୀର ଦାନ୍ତ ଉପାଡ଼ି ନେଇଥିବା ନେଇ ଖବର ମିଳିଥିଲା। ଏହାପରେ ବନ ବିଭାଗ ଘଟଣାର ତଦନ୍ତ କରି ହାତୀର ମୃତଦେହକୁ ବ୍ୟବଚ୍ଛେଦ କରିଥିଲା।ଏହାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖା ଦେଇଥିଲା। ଏହାପରେ ବନ ବିଭାଗ ପକ୍ଷରୁ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର