୨ ଦନ୍ତାହାତୀ ହତ୍ୟା ଓ ଦାନ୍ତ ଲୁଟ୍‌ ଘଟଣା: ୨ ବନପାଳ, ୨ ବନରକ୍ଷୀ ନିଲମ୍ବିତ

ଜଗନ୍ନାଥପ୍ରସାଦ/ଭଞ୍ଜନଗର : ଗଞ୍ଜାମ ଉତ୍ତର ଘୁମୁସର ବନଖଣ୍ଡରେ ଗୁଳିକରି ଓ ବିଦ୍ୟୁତ୍‌ ତାର ଲଗାଇ ଦୁଇଟି ଦନ୍ତାହାତୀକୁ ହତ୍ୟା କରାଯାଇଛି। ସେମାନଙ୍କ ଦାନ୍ତକୁ ବି କାଟି ନିଆଯାଇଛି। ଏହି ଘଟଣାରେ ବନବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ୨ଜଣ ବନପାଳ ଓ ୨ଜଣ ବନରକ୍ଷୀଙ୍କୁ ନିଲମ୍ବିତ କରାଯାଇଛି। ଅନ୍ୟପକ୍ଷରେ, ଏହି ଘଟଣାରେ ସମ୍ପୃକ୍ତ ତସ୍କର୍‌ଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଥିବା ଜଣାପଡ଼ିଛି।

ଚଳିତ ମାସ ୬ ତାରିଖରେ ମୁଜାଗଡ଼ ରେଞ୍ଜ୍‌ ଅଞ୍ଚଳରେ ଦନ୍ତାହାତୀକୁ ମାରି ଦାନ୍ତକୁ କାଟି ନେଇଥିଲେ ତସ୍କର୍‌। ଏହି ଘଟଣାରେ ବନବିଭାଗ ତିନି ଜଣଙ୍କୁ ଗିରଫ କରିଥିଲା ଓ ଦୁଇଟି ଦାନ୍ତ ଉଦ୍ଧାର କରିଥିଲା। ତେବେ, କାର୍ଯ୍ୟରେ ଅବହେଳା ଦର୍ଶାଇ ମୁଜାଗଡ଼ ସେକ୍‌ସନ୍‌ର ବନପାଳ ସୁକାନ୍ତ କୁମାର ନାୟକ ଏବଂ ବନରକ୍ଷୀ ଶ୍ରୀମନ ପ୍ରଧାନଙ୍କୁ ଆଜି କାର୍ଯ୍ୟରୁ ନିଲମ୍ବନ କରାଯାଇଛି। ସମାନ ଢଙ୍ଗରେ କନ୍ଧନୂଆପଲ୍ଲୀ ଦନ୍ତା ହତ୍ୟା ଓ ଦାନ୍ତ ଲୁଟ୍‌ ଘଟଣାରେ ଆଜି ବେଲଗୁଣ୍ଠା ସେକ୍ସନର ବନପାଳ ସୁରଭି ତ୍ରିପାଠୀ ଏବଂ ବିଡିପୁର ବିଟ୍‌ର ବନରକ୍ଷୀ ଧନୁର୍ଦ୍ଧର ବେହେରାଙ୍କୁ ମଧ୍ୟ ନିଲମ୍ବିତ କରାଯାଇଛି।

ସମ୍ବନ୍ଧିତ ଖବର