କଟକ/ଜଗତସିଂହପୁର : କିଡ୍ନି ରୋଗକୁ ନେଇ ଏବେ ଚିନ୍ତା ବଢ଼ିବାରେ ଲାଗିଛି। କଟକର ବଡ଼ମ୍ବା-ନରସିଂହପୁର ଅଞ୍ଚଳରେ କିଡ୍ନି ରୋଗ ସାଧାରଣ ଲୋକଙ୍କ ପାଇଁ କାଳ ସାଜିଥିବା ବେଳେ ଏବେ କେତେଜଣ ବରିଷ୍ଠନେତା କିଡ୍ନି ରୋଗରେ ଆକ୍ରାନ୍ତ ହେବା ଘଟଣା ଉଦ୍ବେଗର କାରଣ ହୋଇଛି। ସେମାନଙ୍କ ମଧ୍ୟରୁ ଦୁଇଜଣ ପୂର୍ବତନ ମନ୍ତ୍ରୀ କିଡ୍ନି ପ୍ରତିରୋପଣ ପାଇଁ ଏବେ ରାଜ୍ୟ ବାହାରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି।
ପୂର୍ବତନ ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ସମୀର ଦେ କିଡ୍ନି ରୋଗରେ ଆକ୍ରାନ୍ତ ହୋଇ ଗୁରୁତର ହେବାପରେ ତାଙ୍କୁ କୋଲକାତାର ରବୀନ୍ଦ୍ରନାଥ ଟାଗୋର ଇଣ୍ଟରନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ କାର୍ଡିଆକ୍ ସାଇନ୍ସରେ ଭର୍ତ୍ତି କରାଯାଇଛି।
ତଥ୍ୟ ଅନୁଯାୟୀ, ଶ୍ରୀ ଦେଙ୍କର ଇତିମଧ୍ୟରେ କିଡ୍ନି ପ୍ରତିରୋପଣ ଶେଷ ହୋଇଥିବା ବେଳେ ସେ ଧୀରେଧୀରେ ସ୍ବାଭାବିକ ସ୍ଥିତିକୁ ଫେରୁଛନ୍ତି। ଚିକିତ୍ସା ସୁବିଧା ପାଇଁ ସେ ହସ୍ପିଟାଲରୁ ଡିସ୍ଚାର୍ଜ ହେବାପରେ ବି କୋଲକାତାର ସେହି ନିକଟବର୍ତ୍ତୀ ଅଞ୍ଚଳରେ ଆସନ୍ତା ଫେବ୍ରୁଆରି ମାସ ପର୍ଯ୍ୟନ୍ତ ରହିବେ ବୋଲି ଜଣାପଡ଼ିଛି। ସେହିଭଳି, ବାଲିକୁଦା-ଏରସମାର ବର୍ତ୍ତମାନର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାସ ମଧ୍ୟ କିଡ୍ନି ରୋଗରେ ଆକ୍ରାନ୍ତ ହୋଇ ଗୁରୁତର ହୋଇପଡ଼ିଛନ୍ତି। ତାଙ୍କୁ ବି ଏବେ ଚିକିତ୍ସା ପାଇଁ କୋଲକାତା ନିଆଯାଇଛି। କୋଲକାତାର ସେହି ରବୀନ୍ଦ୍ରନାଥ ଟାଗୋର ଇଣ୍ଟରନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ କାର୍ଡିଆକ୍ ସାଇନ୍ସରେ ତାଙ୍କର କିଡ୍ନି ପ୍ରତିରୋପଣ କରାଯିବ। ଏଥିପାଇଁ ସମସ୍ତ ଆନୁସଙ୍ଗିକ ପ୍ରକ୍ରିୟା ଶେଷ ହୋଇଥିବା ଜଣାପଡ଼ିଛି।
ଅନ୍ୟପକ୍ଷରେ, ଗୋଟିଏପଟେ କଟକ ବଡ଼ ମେଡିକାଲରେ ବିଶ୍ବସ୍ତରୀୟ ସ୍ବାସ୍ଥ୍ୟସେବା ବ୍ୟବସ୍ଥା କଥା କୁହାଯାଉଥିବା ବେଳେ ଅନ୍ୟପଟେ କିଡ୍ନି ପ୍ରତିରୋପଣ କରାଯାଉଥିଲେ ଏଠାରେ ଉନ୍ନତ ଚିକିତ୍ସା ବ୍ୟବସ୍ଥା ନାହିଁ। ଫଳରେ, ବାହାର ରାଜ୍ୟ ଉପରେ ଏଭଳି ଭରସା କରିବାକୁ ପଡ଼ୁଛି। କେବଳ ଭିତ୍ତିଭୂମୀୟ ଅଭିବୃଦ୍ଧି ନକରି ଚିକିତ୍ସା ସେବା ବ୍ୟବସ୍ଥାରେ ବି ବ୍ୟାପକ ସୁଧାର ଆଣିବା ସହିତ ଏହାକୁ ବିଶ୍ବସ୍ତରୀୟ କରିବା ଦିଗରେ ସରକାର ତ୍ବରାନ୍ବିତ ପଦକ୍ଷେପ ନେବାର ସମୟ ଆସିଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।