ବାଇକ୍ ଦୁର୍ଘଟଣାରେ ଦୁଇ ସାଙ୍ଗ ମୃତ : ପୁରୀ ବୁଲିବାକୁ ଯାଉଥିଲେ, ବାଟରେ ଚାଲିଗଲା ଜୀବନ

ପୁରୀ : ଗୁରୁବାର ଭୋର ପୁରୀ ମାଳତୀପାଟପୁର ଓଭରବ୍ରିଜ୍ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଦୁଇ ଜଣ ସାଙ୍ଗ ପ୍ରାଣ ହରାଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରୁ ଜଣେ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ। ଅନ୍ୟ ଜଣକ ରାସ୍ତା କଡ଼ରେ ଥିବା ପାଣି ଭର୍ତ୍ତି ଗାତରେ ବୁଡ଼ି ପ୍ରାଣ ହରାଇଛନ୍ତି। ଗୁରୁତର ଯୁବକ ଜଣକ ଭୁବନେଶ୍ବରସ୍ଥିତ ଏକ ଘରୋଇ ହସ୍‌ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଦୁଇ ମୃତକଙ୍କ ମଧ୍ୟରୁ ଜଣକର ଘର ଭଦ୍ରକ ଜିଲ୍ଲାରେ ହୋଇଥିବା ବେଳେ ଅନ୍ୟ ଜଣକର ଘର କଟକ ଜିଲ୍ଲାରେ ବୋଲି ଜଣାପଡ଼ିଛି।

ଭୁବନେଶ୍ବର ସହିଦନଗରରେ ଥିବା ବି-୨୧ ପାର୍ଲରରେ ପାଞ୍ଚ ଜଣ ସାଙ୍ଗ କାମ କରୁଥିଲେ। ଗତକାଲି ଟିପୁ ବାରିକଙ୍କର ଜନ୍ମ ଦିନ ଥିଲା। ତେଣୁ ସାଙ୍ଗମାନେ ମିଶି ଗତକାଲି ରାତିରେ ଏକ ପାର୍ଟିର ଆୟୋଜନ କରିଥିଲେ। ସେଠାରେ ଖାଇବା ପିଇବା ସରିବା ପରେ ବିଳମ୍ବିତ ରାତିରେ ସମସ୍ତେ ପୁରୀ ଯିବାକୁ ବାହାରିଥିଲେ। ଚନ୍ଦନ ବାରିକ ଓ ଟିପୁ ବାରିକ ଗୋଟିଏ ବାଇକ୍‌ରେ (ଓଡି୦୫ଏଲ୍-୧୭୯୭) ଓ ଅନ୍ୟ ତିନି ଜଣ ବିଶ୍ବନାଥ, ରୁଦ୍ରପ୍ରତାପ ଏବଂ ରାକେଶ ମିଶି ଅନ୍ୟ ଗୋଟିଏ ବାଇକ୍‌‌ (ଓଡି୨୨ଏଲ୍-୪୨୧୨)ରେ ଆସୁଥିଲେ। ତେବେ ଭୋର୍‌ ପ୍ରାୟ ସାଢ଼େ ୩ଟା ସମୟରେ ସେମାନେ ମାଳତୀପାଟପୁର ବସ୍‌ଷ୍ଟାଣ୍ଡରେ ପହଞ୍ଚିବା ପରେ ବାଟ ଭୁଲି ମାଳତୀପାଟପୁର ଓଭରବ୍ରିଜ୍‌ ଉପରକୁ ଚାଲି ଯାଇଥିଲେ। ଆଗରେ ପଲସର୍‌ ବାଇକ୍‌ (ଓଡି୨୨ଏଲ୍-୪୨୧୨) ଯାଉଥିବା ବେଳେ ଏହାକୁ ଚଳାଉଥିଲେ ରାକେଶ ବାରିକ। ସେଥିରେ ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ଥାନା ଛତାବର ଗ୍ରାମର ଦୀନବନ୍ଧୁ ବାରିକଙ୍କ ପୁଅ ବିଶ୍ବନାଥ ବାରିକ (୨୦) ଏବଂ କଟକ ଜିଲ୍ଲା ମାହାଙ୍ଗା ଥାନା ବୁନପୁର ଉତ୍ତର ସାହି ଗ୍ରାମର ରୁଦ୍ରପ୍ରତାପ ବାରିକ (୨୧) ବସିଥିବା ବେଳେ ଦ୍ବିତୀୟ ବାଇକ୍‌ରେ ଅନ୍ୟ ଦୁଇ ସାଙ୍ଗ ଟିପୁ ବାରିକ ଓ ଚନ୍ଦନ ବାରିକ ଯାଉଥିଲେ। ପଲସର୍‌ ବାଇକ୍‌ର ବେଗ କ୍ଷିପ୍ର ଥିବାରୁ ଓଭରବ୍ରିଜ୍‌ ହମ୍ପସ୍‌ ନିକଟରେ ବାଇକ୍ ଚାଳକ ରାକେଶ ଭାରସାମ୍ୟ ହରାଇଥିଲେ। ଆଉ ବାଇକ୍‌ଟି ଡାହାଣପଟ ବ୍ୟାରିକେଡ଼ରେ ଖୁବ୍ ଜୋରରେ ପିଟି ହୋଇଥିଲା। ଫଳରେ ବାଇକ୍‌ ପଛରେ ବସିଥିବା ବିଶ୍ବନାଥ ରାସ୍ତାକଡ଼କୁ ଛିଟ୍‌କି ପଡ଼ି ଘଟଣାସ୍ଥଳରେ ପ୍ରାଣ ହରାଇଥିବା ବେଳେ ରୁଦ୍ରପ୍ରତାପ ରାସ୍ତା କଡ଼ରେ ଥିବା ପାଣିଭର୍ତ୍ତି ଏକ ଗାତ ଭିତରେ ପଡ଼ିଯାଇଥିଲେ।

ଖବର ପାଇ ପିସିଆର୍‌ ଭ୍ୟାନ୍‌ ଘଟଣାସ୍ଥଳରୁ ରାକେଶଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା। ପରେ ରୁଦ୍ରପ୍ରତାପଙ୍କୁ ପାଣି ଭିତରୁ ଖୋଜିବାକୁ ଆରମ୍ଭ ହୋଇଥିଲା କସରତ। ପାଖାପାଖି ଦୁଇ ଘଣ୍ଟା ପରେ ଭୋର ପ୍ରାୟ ଛଅଟା ବେଳକୁ ପୁଲିସ ରୁଦ୍ରପ୍ରତାପଙ୍କର ଶବକୁ ପାଣି ଭିତରୁ ପାଇଥିଲା। ସଦର ଥାନା ପୁଲିସ ଦୁଇଟି ଯାକ ଶବକୁ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଗୁରୁତର ଆହତ ରାକେଶଙ୍କ ଘର ଭଦ୍ରକ ଜିଲ୍ଲା ତିହିଡିରେ ହୋଇଥିବା ବେଳେ ଟିପୁ ବାରିକଙ୍କ ଘର କେନ୍ଦ୍ରାପଡ଼ା ଓ ଚନ୍ଦନ ବାରିକଙ୍କ ଘର ଛତାବର ଗ୍ରାମରେ ବୋଲି ଜଣାପଡିଛି।

ସମ୍ବନ୍ଧିତ ଖବର