ସୋର : ଗୁରୁବାର ସାରା ବିଶ୍ବରେ ସୁରକ୍ଷିତ ମାତୃତ୍ବ ଦିବସ ପାଳନ କରାଯାଉଥିବା ବେଳେ ଆମ ସମାଜରେ ଶିଶୁକନ୍ୟା ଯେ ଏବେ ବି ଅଲୋଡ଼ା ତାହାର ଏକ କରୁଣ ଚିତ୍ର ଦେଖିବାକୁ ମିଳିଛି। ସୋର ଥାନା ଅନ୍ତର୍ଗତ ଅନନ୍ତପୁର –ବାସୁଦେବପୁର ରାସ୍ତା ଗୁଡ୍ ନିକଟରୁ ଆଜି ସକାଳେ ଦୁଇଟି ନବଜାତ ଶିଶୁକନ୍ୟା ଉଦ୍ଧାର କରାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ରାସ୍ତାରେ ଗୁଡ୍ ଗ୍ରାମର ଉଦ୍ଧବ ନାୟକ ଯାଉଥିବା ବେଳେ ମିରିଗାଁ ଛକ ରାସ୍ତାପାର୍ଶ୍ବରେ ଥିବା ଏକ ନିଛାଟିଆ ସ୍ଥାନରେ ଦୁଇ ଶିଶୁକନ୍ୟାଙ୍କ କାନ୍ଦ ଶୁଣିବାକୁ ପାଇଥିଲେ। ସେଠାରୁ ସେମାନଙ୍କୁ ଉଦ୍ଧାର କରି ଅନନ୍ତପୁର ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରାଇବା ପରେ ଘରକୁ ଆଣି ଘରେ ଯତ୍ନର ସହ ରଖିଥିଲେ। ଖବର ପାଇ ଅନନ୍ତପୁର ଫାଣ୍ତି ପୁଲିସ ଘଟଣାସ୍ଥଳକୁ ଯାଇଥିବା ବେଳେ ଚାଇଲଡ୍ ଲାଇନ୍ କର୍ତ୍ତୃପକ୍ଷ ଏହି ଦୁଇ ଶିଶୁକନ୍ୟାଙ୍କୁ ଭେଟିନଥିବା ଜଣାପଡ଼ିଛି। ତେବେ ଡିସିପିଓ ଯୁବକ ମାଝିଙ୍କଠାରୁ ମିଳିଥିବା ସୂଚନା ଅନୁସାରେ, ଏହି ଖବର ସ୍ଥାନୀୟ ଅଞ୍ଚଳରେ ପ୍ରଚାରିତ ହୋଇଯିବା ପରେ ଦୁଇ ଶିଶୁକନ୍ୟାଙ୍କ ମଧ୍ୟରୁ ଜଣକୁ ସୋର ଶିରାପୁର ଅଞ୍ଚଳର ଲକ୍ଷ୍ୟ ଜେନା ଓ ଅନ୍ୟଜଣକୁ ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନ୍ତ ଅନ୍ତର୍ଗତ ଇରମ୍ର ଶମ୍ଭୁନାଥ ସେଠୀ ନେଇଯାଇଥିଲେ। ସଂଧ୍ୟାରେ ଲକ୍ଷ୍ୟ ଜେନା ନେଇଥିବା ଶିଶୁଟିକୁ ଚିକିତ୍ସା ପାଇଁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରୁ ଗୁରୁତର ଅବସ୍ଥାରେ ଶିଶୁଟିକୁ ବାଲେଶ୍ବରର ଏକ ଘରୋଇ ନର୍ସିଂହୋମ୍କୁ ନିଆଯାଇଥିଲା। ସେଠାରେ ଡାକ୍ତର ଶିଶୁକନ୍ୟାଟିକୁ ମୃତ ଘୋଷଣା କରିଥିଲେ। ପରବର୍ତ୍ତୀ ସମୟରେ ମୃତ ଶିଶୁଟିର ସତ୍କାର ହୋଇଯାଇଥିବା ଜଣାପଡ଼ିଛି। ଅନ୍ୟ ଶିଶୁଟି ସୁସ୍ଥ ଥିବା ବେଳେ ପୁଲିସ ଓ ଚାଇଲ୍ଡ ଲାଇନ୍ ତାକୁ ଠାବ କରିବାକୁ ଚେଷ୍ଟା କରୁଛନ୍ତି। ସେମାନଙ୍କୁ ଏମିତି ଅବସ୍ଥାରେ କିଏ କାହିଁକି ପକାଇଥିଲା ସେ ନେଇ ସ୍ଥାନୀୟ ଅଞ୍ଚଳରେ ନାନାକଥା ଶୁଣିବାକୁ ମିଳୁଛି।