ବାହାଘର ଭୋଜି ବେଳେ ଅଘଟଣ : ପୋଖରୀରେ ବୁଡ଼ି ୨ ବାଳିକା ମୃତ

ଫୁଲବାଣୀ : ପରିବାର ସହ ଭୋଜି ଖାଇବାକୁ ଆସିଥିଲେ। ହେଲେ ଘଟିଗଲା ବଡ଼ ଅଘଟଣ। ପୋଖରୀରେ ବୁଡ଼ିଯାଇ ୨ ନାବାଳିକାଙ୍କ ଦୁଃଖଦ ମୃତ୍ୟୁ ଘଟିଛି। ଏହାପରେ ଧୂମ୍‌ଧାମ୍‌ରେ ଚାଲିଥିବା ଭୋଜିଭାତ ଅଧାରୁ ବନ୍ଦ ହୋଇଗଲା। ଏଭଳି ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କ୍ରାଣ୍ଡିବାଲି ପଞ୍ଚାୟତର କେଉଟମାରି ଗାଁରେ। ମୃତ ଦୁଇ ନାବାଳିକା ଦ୍ବୟ ହେଲେ, ରତଙ୍ଗ ଗାଁର ଦିଲ୍ଲୀପ ଦନ୍ତାଙ୍କ ୧୨ ବର୍ଷର ଝିଅ ରୁଚି ଓ କାଶିନିପଦର ଗାଁର କୁଶ ଅମାତଙ୍କ ୧୦ ବର୍ଷର ଝିଅ ଟ୍ବିଙ୍କିଲ୍‌।

ସୂଚନା ମୁତାବକ, କେଉଟମାରି ଗାଁକୁ ଏକ ବାହାଘର ଭୋଜି ଖାଇବାକୁ ରୁଚି ଓ ଟ୍ବିଙ୍କିଲ ପରିବାର ସହ ଆସିଥିଲେ। ସେପଟେ ଭୋଜିଭାତ ଧୂମ୍‌ଧାମ୍‌ରେ ଚାଲିଥିଲା। ପରିବାର ଲୋକଙ୍କ ଅଜାଣତରେ ରୁଚି ଓ ଟ୍ବିଙ୍କିଲ୍‌ ଖେଳୁ ଖେଳୁ ବୁଲିବାକୁ ବାହାରକୁ ପଳାଇ ଆସିଥିଲେ। ଗାଁ ପାଖରେ ଥିବା ଏକ ପୋଖରୀ ପାଖକୁ ଯାଇ ଖେଳୁଥିବା‌ ବେ‌ଳେ ଦୁହିଁଙ୍କ ଗୋଡ଼ ଖସି ଯାଇଥିଲା। ଦୁଇ ଜଣ ପାଣିରେ ବୁଡ଼ି ଯାଇଥିଲେ। ଏହି ଖବର ପ୍ରଚାରିତ ହେବା ମାତ୍ରେ ବାହାଘର ଭୋଜି ଖାଉଥିବା ସମସ୍ତେ ଆସି ପୋଖରୀରେ ଖୋଜିଖୋଜି କରିଥିଲେ। ପ୍ରାୟ ଅଧଘଣ୍ଟା ପରେ ରୁଚି ଓ ଟ୍ବିଙ୍କିଲଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରା ଯାଇଥିଲା। ସେମାନଙ୍କୁ ତୁରନ୍ତ ଗୋଛାପଡ଼ା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆ ଯାଇଥିଲା। ହେଲେ ଡାକ୍ତର ରୁଚି ଓ ଟ୍ବିଙ୍କିଲଙ୍କୁ ମୃତ ଘୋଷଣା କରିଥିଲେ। ଦୁଇ ନାବାଳିକାଙ୍କ ଅକାଳ ବିୟୋଗରେ ପରିବାର ସମେତ ବିଭିନ୍ନ ମହଲରେ ଶୋକର ଛାୟା ଖେଳି ଯାଇଛି।

ସମ୍ବନ୍ଧିତ ଖବର