ପୋଖରୀରେ ବୁଡ଼ି ଦୁଇ ବାଳିକାଙ୍କ ଜୀବନ ଗଲା

ଯୋରନ୍ଦା : ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଅନ୍ତର୍ଗତ କରମୂଳ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଗାଁ ହରିଜନ ସାହିର ଦୁଇଜଣ ନାବାଳିକା ଆଜି ‌ମଧ୍ୟାହ୍ନରେ ପୋଖରୀରେ ଗାଧୋଇବା ବେଳେ ବୁଡ଼ି ଯାଇ ପ୍ରାଣ ହରାଇଛନ୍ତି। ଏହି ଘଟଣା ଅଂଚଳରେ ଶୋକର ଛାୟା ଖେଳାଇ ଦେଇଛି।

ସୂଚନା ଅନୁସାରେ, କରମୂଳ ଗାଁର ବିପିନ ମଳିକଙ୍କ ଝିଅ ଅନୀତା (୧୧) ଓ ଅନ୍ତର୍ଯ୍ୟାମୀ ମଳିକଙ୍କ ଝିଅ ଲକ୍ଷ୍ମୀପ୍ରିୟା (୮) ଗାଁର ନାଟୁଆ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ସେସମୟରେ ଉଭୟଙ୍କ ବାପାମାଆମାନେ ବାଦାମ ଚାଷ ପାଇଁ ନିଜନିଜର ଜମିକୁ ଯାଇଥିଲେ। ଉକ୍ତ ପୋଖରୀରେ ନୂଆ ମାଟି କାମ ହୋଇଥିବାରୁ ତାର ଗଭୀରତା ସଂପର୍କରେ ଦୁଇ ନାବାଳିକା ଜାଣିପାରି ନ ଥିଲେ। ଫଳରେ ସେମାନେ ପୋଖରୀରେ ଗାଧୋଉଥିବାବେଳେ ଗଭୀର ପାଣିରେ ବୁଡ଼ି ଯାଇଥିଲେ। ଏହି ଦୁଇ ନାବାଳିକାଙ୍କ ବାପା ମା ଘରକୁ ଫେରିବା ପରେ ଝିଅମାନଙ୍କୁ ନ ପାଇ ପୋଖରୀକୁ ଖୋଜିବାକୁ ଯାଇଥିଲେ। ହେଲେ କୌଣସି ଖୋଜଖବର ନମିଳିବାରୁ ପୋଖରୀରେ ଉଭୟେ ବୁଡ଼ି ଯାଇଥିବା ସନ୍ଦେହ କରି ଗ୍ରାମବାସୀଙ୍କ ସହ ପାଣିରେ ଖୋଜାଖୋଜି କରିଥିଲେ। ପ୍ରଥମେ ଅନୀତାଙ୍କୁ ପାଣି ଭିତରୁ ଉଦ୍ଧାର କରି ସଙ୍ଗେ ସଙ୍ଗେ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନା ନେଇଯାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଗଁଦିଆ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ପୋଖରୀ ଭିତରୁ ଲକ୍ଷ୍ମୀପ୍ରିୟାଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରିଥିଲେ। ପରେ ଗଁଦିଆ ଥାନା ଅଧିକାରୀ ନିର୍ମଳା ଗୋଚ୍ଛାୟତ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ଅନୀତା କରମୂଳ ପ୍ରାଥମିକ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀରେ ପଢୁଥିବା ବେଳେ ଲକ୍ଷ୍ମୀପ୍ରିୟା ତୃତୀୟ ଶ୍ରେଣୀର ଛାତ୍ରୀ।

ସମ୍ବନ୍ଧିତ ଖବର