ରହସ୍ୟରେ ୨ ବାଳିକା ହକି ଖେଳାଳିଙ୍କ ମୃତ୍ୟୁ, ଝାଡ଼ଖଣ୍ଡରୁ ମିଳିଲା ଝୁଲନ୍ତା ଶବ

ରାଉରକେଲା/ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର ଦୁଇ ଜଣ ସ୍କୁଲ୍‌ ଛାତ୍ରୀଙ୍କ ମୃତଦେହ ଝାଡ଼ଖଣ୍ଡ ରାଜ୍ୟ ସିମ୍‌ଡେଗା ବୀରୁ ଆରାନୀ ଜଙ୍ଗଲ ଭିତରେ ଏକ ମହୁଲ ଗଛରେ ଝୁଲନ୍ତ ଅବସ୍ଥାରେ ଉଦ୍ଧାର ହୋଇଛି। ଉଭୟଙ୍କ ଶବ ଏକ ମହୁଲ ଗଛରେ ଝୁଲୁଥିଲା। ସିମଡେଗା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଉଭୟ ଛାତ୍ରୀଙ୍କ ପରିବାର ଲୋକେ କହିଛନ୍ତି। ଦୁହେଁ ହକି ଖେଳାଳି ଥିଲେ। ପାରିପାର୍ଶ୍ବିକ ସ୍ଥିତିରୁ ଦୁଇ ବାଳିକାଙ୍କୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦେବା ପାଇଁ ଗଛରେ ଟଙ୍ଗାଇ ଦିଆ ଯାଇଥିବା ସନ୍ଦେହ କରାଯାଉଛି।

ମିଳିଥିବା ସୂଚନା ଅନୁସାରେ, ମୃତ ଦୁଇ ଛାତ୍ରୀ ହେଲେ ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ସେଣ୍ଟମେରୀ କନ୍‌ଭେଣ୍ଟ ସ୍କୁଲ୍‌ର ନବମ ଶ୍ରେଣୀ ଛାତ୍ରୀ ଶ୍ରଦ୍ଧା ସାଲୋନି ସୋରେଙ୍ଗ (୧୪) ଏବଂ ପାନପୋଷ ସ୍ପୋର୍ଟସ୍‌ ହଷ୍ଟେଲ୍‌ ଛାତ୍ରୀ ସୁନନ୍ଦିନୀ ବାଗେ (୧୬)। ମୃତ ଶ୍ରଦ୍ଧାଙ୍କ ଘର ବୀରମିତ୍ରପୁର ସୀମାନ୍ତ ଝାଡ଼ଖଣ୍ଡ ରାଜ୍ୟ ଭୁକୁମୁଣ୍ଡା ପତ୍ରାଟୋଲିରେ। ଗତକାଲି ସ୍କୁଲ୍‌ ଯିବାକୁ କହି ଘରୁ ବାହାରି ସେ ଆଉ ଫେରି ନଥିଲେ। ସୁନନ୍ଦିନୀଙ୍କ ଘର ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ଥାନା ଅନ୍ତର୍ଗତ ଲଛଡା ଜିପିଟୋଲିରେ। ଆଜି ସକାଳେ ଉଭୟଙ୍କ ଶବ ମହୁଲ ଗଛର ଏକ ଡାଳରେ ଝୁଲୁଥିଲା। ଦୁଇ ଛାତ୍ରୀଙ୍କ ମୁହଁ ଘୋଡ଼ା ଯାଇଥିବା ଅବସ୍ଥାରେ ରଶିରେ ଝୁଲୁଥିଲା। ଦୁଇଜଣଙ୍କ ପାଦ ମାଟିକୁ ଛୁଇଁଥିଲା। ଜଣଙ୍କ ପାଦରେ ଚପଲ ଲାଗିଥିଲା ଏବଂ ଅନ୍ୟ ଜଣଙ୍କ ଠିକ୍‌ ପାଦ ତଳେ ଚପଲ ଥିଲା। ଚପଲ ପିନ୍ଧି ଗଛରେ ଚଢିବା ସହଜ ନୁହେଁ। ଉଭୟଙ୍କ ସ୍କୁଲ୍‌ ବ୍ୟାଗ୍‌ ସେହି ଗଛରେ ଓହଲା ହୋଇଥିଲା। ନିକଟରେ ଗୋଟିଏ ପାଣି ବୋତଲ, ଏକ ବିସ୍କୁଟ୍‌ ଜରି ଓ ଗୋଟିଏ ଶିବା ଛାପ ଖଇନି ଜରି ପଡ଼ିଥିଲା। ଏଥିରୁ ଏହି ଦୁଇ ଛାତ୍ରୀଙ୍କ ସହ ସେଠାରେ ଅନ୍ୟ କେହି ଉପସ୍ଥିତ ଥିବା ସନ୍ଦେହ କରାଯାଉଛି।

ଦୁଇ ଛାତ୍ରୀଙ୍କ ପରିବାର ଲୋକେ ଏହି ଆତ୍ମହତ୍ୟା ଖବର ପାଇ ଆଶ୍ଚର୍ଯ୍ୟ ହୋଇଥିଲେ। ସେମାନଙ୍କ ଆତ୍ମହତ୍ୟା କରିବାର କୌଣସି କାରଣ ନଥିବା ପରିବାର ଲୋକେ କହିଛନ୍ତି। ବୀରମିତ୍ରପୁରରେ ପାଠ ପଢୁଥିବା ଶ୍ରଦ୍ଧାଙ୍କ ଶରୀର ଅସୁସ୍ଥ ଥିବାରୁ ସେ ୫/୬ ଦିନ ହେଲା ସ୍କୁଲ ଆସି ନଥିଲେ। ଗତ ୬ ତାରିଖ ଦିନ ସେ ସ୍କୁଲ୍‌ ଆସି ଅସୁସ୍ଥ ହୋଇ ପଡ଼ିବାରୁ ଶିକ୍ଷକମାନେ ତାଙ୍କୁ ଡାକ୍ତରଖାନା ନେଇଥିଲେ। ପୁଣି ୮ ତାରିଖ ଦିନ ସେ ସ୍କୁଲକୁ ଆସିଥିଲେ। ପରେ ୯ ତାରିଖ ଦିନ ସକାଳେ ମଧ୍ୟ ସ୍କୁଲ୍‌ ଡ୍ରେସ୍‌ ପିନ୍ଧି ବ୍ୟାଗ୍‌ ଧରି ଘରୁ ବହାରିଥିଲେ। କିନ୍ତୁ ସ୍କୁଲ୍‌କୁ ଯାଇ ନଥିଲେ। ଦୁଇ ଛାତ୍ରୀ ସିମ୍‌ଡେଗା କାହିଁକି ଗଲେ ବୋଲି ପରିବାର ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଛି। ଯଦି ଆତ୍ମହତ୍ୟା କରିବାର ଥିଲା, ‌ତେବେ ସ୍ଥାନୀୟ ଅଞ୍ଚଳରେ ବି ସେମାନେ ଆତ୍ମହତ୍ୟା କରି ପାରିଥାନ୍ତେ ଏବଂ ପରିବାର ଲୋକଙ୍କ ପାଇଁ ‘ସୁଇସାଇଡ୍‌ ନୋଟ୍‌’ ବା ସେହିଭଳି କିଛି ଚିଠି ଛାଡ଼ିଥା’ନ୍ତେ। ଆଜି ଶ୍ରଦ୍ଧାଙ୍କ ଶବ ବ୍ୟବଚ୍ଛେଦ ହୋଇଛି। ସୁନନ୍ଦିତାଙ୍କ ପରିବାର ଲୋକେ ପହଞ୍ଚି ନଥିବାରୁ ଶବ ବ୍ୟବଚ୍ଛେଦ ହୋଇ ପାରିନାହିଁ। ଝାଡ଼ଖଣ୍ଡ ପୁଲିସ ଏହାର ଉଚ୍ଚସ୍ତରୀୟ ତଦନ୍ତ କରି ଦୁଇ ଛାତ୍ରୀଙ୍କ ମୃତ୍ୟୁ ରହସ୍ୟ ଉନ୍ମୋଚନ କରିବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର