ହାଟଡିହି : କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ମଧୁବନ ଗାଁରେ ପୋଖରୀରେ ବୁଡ଼ିଯିବାରୁ ଦୁଇଜଣ ନାବାଳିକାଙ୍କ ଜୀବନ ଚାଲିଯାଇଛି। ସେମାନଙ୍କୁ ଉଦ୍ଧାର କରି ନିକଟସ୍ଥ ହଦଗଡ଼ ଡାକ୍ତରଖାନାକୁ ନିଆଯାଇଥିଲା। ମାତ୍ର ସେଠାରେ ଡାକ୍ତର ନଥିଲେ। ସେଠାରୁ ଏକ ଅଟୋ ଡାକି ଦୁଇ ଝିଅଙ୍କ ବାପାମା’ ସେମାନଙ୍କୁ ଆନନ୍ଦପୁର ଡାକ୍ତରଖାନାକୁ ନେଉଥିଲେ। ବିଡ଼ମ୍ବନା ଅଧାବାଟରେ ଅଟୋଟି ଦୁର୍ଘଟଣାଗ୍ରସ୍ତ ହୋଇ ଓଲଟି ପଡ଼ିଥିଲା। ଫଳରେ ଦୁଇ ଝିଅଙ୍କ ମା’ ମଧ୍ୟ ଗୁରୁତର ହୋଇଛନ୍ତି।
ମୃତ ଦୁଇ ନାବାଳିକା ହେଲେ ସୋସୋ ଥାନା ମଧୁବନ ଗାଁର ରବୀନ୍ଦ୍ର ମହାକୁଡ଼ଙ୍କ ଝିଅ ସୁନୀତା ମହାକୁଡ଼ (ପଞ୍ଚମ ଶ୍ରେଣୀ) ଓ କବିମନ୍ୟୁ ନାଏକଙ୍କ ଝିଅ ଅନସୂୟା ନାଏକ (ଚତୁର୍ଥ ଶ୍ରେଣୀ ଛାତ୍ରୀ)। ଆଜି ଶନିବାର ଥିବାରୁ ଦୁହେଁ ସକାଳୁଆ ସ୍କୁଲ ଯାଇଥିଲେ। ଛୁଟି ପରେ ଘରକୁ ଫେରି ଦିନ ୧୨ଟାରେ ଗାଁ ପୋଖରୀକୁ ସାଙ୍ଗହୋଇ ଗାଧୋଇବାକୁ ଯାଇଥିଲେ। ଗୋଡ଼ ଖସିଯିବାରୁ ଗଭୀର ପାଣିରେ ଦୁହେଁ ବୁଡ଼ିଯାଇଥିଲେ। ସେଠାରେ ଗାଧୋଉଥିବା ଅନ୍ୟ ପିଲାଙ୍କ ପାଟିତୁଣ୍ଡ ଶୁଣି ଗାଁ ଲୋକେ ପହଞ୍ଚି ଦୁଇ ଝିଅଙ୍କୁ ଉଦ୍ଧାର କରିଥିଲେ। ଦୁହିଁଙ୍କୁ ପ୍ରଥମେ ହଦଗଡ଼ ଡାକ୍ତରଖାନାକୁ ପଠାଇଥିଲେ। ସେଠାରେ ଡାକ୍ତର ନଥିବାରୁ ତାଙ୍କୁ ତୁରନ୍ତ ଏକ ଅଟୋରେ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାନୁ ନିଆଯାଉଥିଲା। ମାତ୍ର ବିଧିର ବିଧାନ ଏପରି ଯେ ଅଟୋରେ ସେମାନଙ୍କୁ ନେଉଥିଲାବେଳେ ପୁରୁଣାପାଣି ଗାଁ ନିକଟରେ ଦୁର୍ଘଟଣା ଘଟିଥିଲା। ଅଟୋଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା। ଏଥିରେ ଦୁଇ ନାବାଳିକାଙ୍କ ମା’ ପଦ୍ମିନୀ ଓ ନନ୍ଦିନୀ ଗୁରୁତର ଆହତ ହୋଇଛନ୍ତି। ସାଙ୍ଗରେ ଥିବା ସୁନୀତାଙ୍କ ବାପା ରବୀନ୍ଦ୍ର ସାମାନ୍ୟ ଆହତ ହୋଇଛନ୍ତି। ଡାକ୍ତରଖାନାରେ ଦୁଇ ମା’ ଚିକିତ୍ସାଧୀନ ଅଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/07/drown-1.jpg)