ନରସିଂହପୁର : ପୋଖରୀରେ ବୁଡ଼ି ଦୁଇ ଛାତ୍ରୀ ମୃତ

ନରସିଂହପୁର : କଟକ ଜିଲ୍ଲା ନରସିଂହପୁର ଥାନା ଅନ୍ତର୍ଗତ ଭୁସକା ଗ୍ରାମର ଶାଳୁଆବନ୍ଧ ପୋଖରୀରେ ବୁଡ଼ି ଆଜି ଦୁଇଜଣ ତୃତୀୟ ଶ୍ରେଣୀ ଛାତ୍ରୀ ପ୍ରାଣ ହରାଇଛନ୍ତି। ପରିବାର ଲୋକଙ୍କ ଅଗୋଚରରେ ଛାତ୍ରୀଦ୍ବୟ ପୋଖରୀକୁ ଗାଧୋଇବା ପାଇଁ ଯାଇଥିବାବେଳେ ଏଭଳି ଅଘଟଣ ଘଟିଥିବା ଜଣାପଡ଼ିଛି। ଏହି ଖବର ପ୍ରଚାରିତ ହେବା ପରେ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

ଦୁଇଦିନ ତଳେ କାନପୁର ଥାନା ଅନ୍ତର୍ଗତ ରଙ୍ଗଡ଼ାବ ଗ୍ରାମର ସୁଧୀର ସାହୁଙ୍କ ଝିଅ ପୂଜାରାଣୀ ସାହୁ(୯ବର୍ଷ) ପରିବାର ଲୋକଙ୍କ ସହ ନରସିଂହପୁର ଥାନା ଭୁସକା ଗ୍ରାମସ୍ଥିତ ମାମୁଁ ସୁଧୀର ରାଉଳଙ୍କ ଘରକୁ ବୁଲିବା ପାଇଁ ଯାଇଥିଲେ। ଆଜି ସକାଳ ୮ଟାରେ ପୂଜାରାଣୀ ଓ ଉକ୍ତ ଗ୍ରାମର ଶିବସୁନ୍ଦର ପ୍ରଧାନଙ୍କ ଝିଅ ଶରଧା ପ୍ରଧାନ(୯ବର୍ଷ ) ପରିବାରବର୍ଗଙ୍କ ଅଜାଣତରେ ଗାଁମୁଣ୍ଡ ଶାଳୁଆବନ୍ଧ ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ। ସ୍କୁଲ ଯିବା ସମୟ ହେବାରୁ ପରିବାର ଲୋକ ସେମାନଙ୍କୁ ଖୋଜାଖୋଜି କରିଥିଲେ। ମାତ୍ର ସେମାନଙ୍କ ପତ୍ତା ମିଳି ନ ଥିଲା। ଶେଷରେ, ଗ୍ରାମବାସୀ ପୋଖରୀ ପାଣିରୁ ଉଭୟଙ୍କୁ ଚେତାଶୂନ୍ୟ ଅବସ୍ଥାରେ ଉଦ୍ଧାର କରିଥିଲେ। ହସ୍ପିଟାଲରେ ଡାକ୍ତର ଦୁହିଁଙ୍କୁ ମୃତ ବୋଲି ଘୋଷଣା କରିଥିଲେ।

ଦୁଇଛାତ୍ରୀଙ୍କ ମୃତ୍ୟୁ ଖବର ଜଣାପଡ଼ିବା ପରେ ସ୍ଥାନୀୟ ବିଧାୟକ ଦେବୀପ୍ରସାଦ ମିଶ୍ର, ବ୍ଲକ୍‌ ଅଧ୍ୟକ୍ଷ କିଶୋର ଚନ୍ଦ୍ର ମିଶ୍ର, ତହସିଲଦାର ଆକାଶ ରଞ୍ଜନ ସାହୁ, ଜିଲ୍ଲା ପରିଷଦ ସଭ୍ୟ ନିର୍ମଳ କୁମାର ଜେନା ପ୍ରମୁଖ ଡାକ୍ତରଖାନାରେ ପହଞ୍ଚି ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ। ବ୍ଲକ୍‌ ଶିକ୍ଷାଧିକାରୀ ସୁଶ୍ରୀ ସୁଜାତା ପ୍ରିୟଦର୍ଶିନୀ ପଣ୍ଡା ମଧ୍ୟ ସମବେଦନା ଜଣାଇଛନ୍ତି।

ସମ୍ବନ୍ଧିତ ଖବର