ସାମାନ୍ୟ କଥାକୁ ନେଇ ରଶିରେ ଝୁଲିପଡ଼ିଲେ ଦୁଇ ପଡ଼ୋଶୀ ଝିଅ

ଜଗନ୍ନାଥପ୍ରସାଦ: ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ୍‌ରେ ଆଜି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସାମାନ୍ୟ କଥାକୁ ନେଇ ଜଗନ୍ନାଥପ୍ରସାଦ ଥାନା ଅଧୀନ ଛାମୁଣ୍ଡା ପଞ୍ଚାୟତ କରଡ଼ାପଲ୍ଲୀର ଦୁଇଜଣ ପଡ଼ୋଶୀ ଝିଅ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେବା ଆଲୋଡ଼ନ ସୃଷ୍ଟି କରିଛି।
ସୂଚନାନୁସାରେ, କରଡ଼ାପଲ୍ଲୀ ଦଳିତ ସାହିର ସ୍ୱର୍ଗତ ଚୋରିଆ ନାଇକଙ୍କ ଝିଅ ଲିଜା (୧୮) ଆଜି ସକାଳ ୯ଟାରେ ଘରେ କେହି ନଥିବା ବେଳେ ମୋବାଇଲ୍‌ରେ ଜଣେ ଯୁବକଙ୍କ ସହ କଥା ହେଉଥିଲେ। ପଡ଼ୋଶୀ ପ୍ରସନ୍ନ ନାଇକଙ୍କ ସାନ ଝିଅ ସ୍ବର୍ଣ୍ଣଲତା (ପୂଜା, ୧୭) ଏହା ଦେଖି ଘର ଲୋକଙ୍କୁ ସବୁ କହିଦେବି ବୋଲି କହିଥିଲା। ଏଥିରେ ଭୟଭୀତ ହୋଇ ଲିଜା ତାଙ୍କ ଘର ଭିତରେ ବେକରେ ରଶି ଲଗାଇ ଝୁଲି ପଡ଼ିଥିଲେ। କିନ୍ତୁ ପୁଲିସର ଅଜାଣତରେ ଲିଜାଙ୍କ ଶବକୁ ପରିବାରବର୍ଗ ଓ ଗ୍ରାମବାସୀ ପୋଡ଼ିଦେଇଥିଲେ।
ତେବେ ଏହି ସମୟରେ ଲିଜାଙ୍କ ପରିବାରଲୋକେ ତାଙ୍କ ଝିଅର ମୃତ୍ୟୁ ପାଇଁ ପୂଜାକୁ ଦାୟୀ କରି ଗାଳିଗୁଲଜ କରିଥିଲେ। ଫଳରେ ଅପମାନ ସହି ନପାରି ପୂଜା ମଧ୍ୟ ଆଜି ସକାଳ ସାଢ଼େ ୧୧ଟାରେ ନିଜ ଘର ଭିତରେ ରଶି ଲଗାଇ ଝୁଲିପଡ଼ିଥିଲେ। ଜଗନ୍ନାଥପ୍ରସାଦ ପୁଲିସ ଘଟଣାସ୍ଥଳରେ ପହଞ୍ଚି ପୂଜାର ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ପଠାଇଛି। ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ଏନେଇ କେସ୍ ନମ୍ବର ୩ ଅନୁସାରେ ଅପମୃତ୍ୟୁ ମାମଲା ରୁଜୁ ସହ ତଦନ୍ତ ଜାରି ରହିଛି।
ସମ୍ବନ୍ଧିତ ଖବର