ପୋଖରୀରେ ଗାଧୋଇବା କାଳ ହେଲା, ପାଣିରେ ବୁଡି ଦୁଇ ଝିଅଙ୍କ ମୃତ୍ୟୁ 

ବାଲେଶ୍ୱର: ସଦର ଥାନା ଅନ୍ତର୍ଗତ ରସାଲପୁର ଗ୍ରାମରେ ଆଜି ଏକ ଦୁଃଖଦ ଘଟଣା ଘଟିଛି। ପୋଖରୀରେ ବୁଡି ଏହି ଗାଁର ଦୁଇ ବାଳିକାଙ୍କର ମୃତ୍ୟୁ ହୋଇଯାଇଛି। ଏହି ଦୁଇ ଜଣ ହେଉଛନ୍ତି ସେହି ଗ୍ରାମର ଅନନ୍ତ ଦାସଙ୍କ ଝିଅ ଉର୍ମିଳା(୧୨ ବର୍ଷ) ଓ ଭୂଜି ଦାସଙ୍କ ଝିଅ ପୂର୍ଣ୍ଣିମା(୧୨ ବର୍ଷ)।
ସୂଚନା ମୁତାବକ ଆଜି ପୂର୍ବାହ୍ନରେ ଘର ପଛପଟରେ ଥିବା ପୋଖରୀକୁ ଏହି ଦୁଇ ଝିଅ ଗାଧୋଇବାକୁ ଯାଇଥିଲେ । ତେବେ ଦୁଇ ଜଣଙ୍କ ପାଦ ଖସିଯାଇଥିଲା ଆଉ ସେମାନେ ପାଣିରେ ବୁଡିଯାଇଥିଲେ । ପରେ ବହୁ ସମୟ ଧରି ଘରକୁ ଫେରିନଥିବା ଦେଖି ପରିବାର ଲୋକେ ଖୋଜାଖୋଜି କରିଥିଲେ।
ତେବେ କିଛି ସମୟ ପରେ ଘର ପଛ ପାଖ ପୋଖରୀରେ  ଦୁଇଜଣଙ୍କର ମୃତଦେହ ପାଣିରେ ଭାସୁଥିବାର ଦେଖିବାକୁ ମିଳିଥିଲା।  ଏହାପରେ ପରିବାର ଲୋକ ଏମାନଙ୍କୁ ବାଲେଶ୍ୱର ଜିଲ୍ଲା ହସ୍ପିଟାଲକୁ ଆଣିଥିଲେ। ତେବେ ଡାକ୍ତର  ଦୁହିଁଙ୍କୁ ମୃତ ଘୋଷଣା କରିଥିଲେ । ଏହା ଜଣା ପଡ଼ିବାପରେ ଗାଁରେ ଶୋକର ଛାୟା ଖେଳିଯାଇଛି |
ସମ୍ବନ୍ଧିତ ଖବର