କଳା ପ୍ରତି ସମର୍ପିତ ପରିବାର : ବାପାଙ୍କ ସହ ତବଲା ବଜାଉଛନ୍ତି ୨ଝିଅ

ଜୟପୁର : କୋରାପୁଟ ଜିଲ୍ଲାର ଜଣେ ପରିଚିତ କଳାକାର ଭାବେ ଜୟପୁର ସହର ତବଲା ବାଦକ ତରୁଣ ପାଣି। ରାଜ୍ୟର ବିଭିନ୍ନ କୋଣରେ ନିଜ ପ୍ରତିଭାର ପରିଚୟ ସେ ଅନେକ ଥର ଦେଇ ସାରିଛନ୍ତି। ରାଜ୍ୟ ବାହାରକୁ ବି ଯାଇ ପ୍ରଶଂସିତ ହୋଇଛନ୍ତି। ବାଲ୍ୟ ଜୀବନ ଅତିସଂଘର୍ଷପୂଣ୍ଣ ଥିଲା। କଳାକାର ହେବାର ନିଶା ପିଲାଟି ଦିନରୁ ହିଁ ରହିଥିଲା। ତେଣୁ ଗୁରୁ ଶେଖର ଦଳପତି ଓ ଭରତ ଚଲାଣଙ୍କ ଠାରୁ ତବଲା ଶିଖିଥିଲେ। ନିୟମିତ ସାଧାନା ଯୋଗୁଁ ବର୍ତମାନ ଆକାଶବାଣୀ ଜୟପୁର କେନ୍ଦ୍ରର ସ୍ବୀକୃତି ପ୍ରାପ୍ତ ‘ବି’ ଗ୍ରେଡ କଳାକାର। କିନ୍ତୁ ପରିବାର ଆର୍ଥିକ ସ୍ଥିତି ସେତେଟା ଭଲ ନଥିବାରୁ ନିଶାକୁ ପେସାରେ ପରିବର୍ତନ କରିପାରି ନଥିଲେ। ବାଧ୍ୟ ହୋଇଥିଲେ ଅଟୋରିକ୍ସା ଚଳାଇବାକୁ।

ପରିବାର କହିଲେ ମା’, ପତ୍ନୀ ଏବଂ ଦୁଇ ଝିଅ। ଅଭାବରେ ରହିବା ସତ୍ତ୍ବେ ତରୁଣ ତବଲାକୁ ଛାଡ଼ିପାରି ନାହାନ୍ତି। ଏପରିକି ତାଙ୍କଠାରୁ ଦୁଇ ଝିଅ ବି ଏହି କଳା ପାଇଛନ୍ତି। ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ବାପାଙ୍କ ତବଲା ବାଦନ ଦେଖିବା ପରେ ସେମାନେ ବି ଏହି କଳାକୁ ଆପଣାଇଛନ୍ତି। ଏବେ ବୁଲୁଙ୍କ ଗୁରୁ ଭରତଙ୍କ ନିକଟରୁ ଶିକ୍ଷା ନେଉଛନ୍ତି। ବଡ ଝିଅ ସଂଧ୍ୟା ଜୟପୁର ବ୍ଲକର ଜୟନ୍ତଗିରି ଆଦର୍ଶ ବିଦ୍ୟାଳୟରେ ସପ୍ତମ ଶ୍ରେଣୀରେ ପଢ଼ୁଛି। ସାନଝିଅ ସାଲୋନୀ ଜୟପୁର ଜୟନଗର ପ୍ରାଥମିକ ବିଦ୍ୟାଳୟରେ ଚତୁର୍ଥ ପଢ଼ୁଛି। ଉଭୟ ବାପାଙ୍କ ପାଦଙ୍କ ଅନୁସରଣ କରି ତବଲା ବଜାଇବା ଶିଖୁଛନ୍ତି। ଏପରିକି ଅବିଭକ୍ତ କୋରାପୁଟ ଜିଲ୍ଲାରେ କେହି ମହିଳା ତବଲା ବାଦକ ନଥିବା ଏମାନେ ହେବେ ପ୍ରଥମ ପିଢ଼ି। ସଂଧ୍ୟା ତିନିତାଲ, କାଇଦା, ଠେକା ଆଦି ଶିକ୍ଷା ନେଇଛନ୍ତି। ସ୍କୁଲରେ ହେଉଥିବା ବିଭିନ୍ନ ଉତ୍ସବରେ ଭାଗନେଇ ପ୍ରଶଂସିତ ବି ହୋଇଛନ୍ତି। ଏହି କଳାକାରଙ୍କ ପରିବାରକୁ ଯଦିଓ ସରକାରୀ ପ୍ରୋତ୍ସାହନ ମିଳିନାହିଁ। ତଥାପି ଲୋପ ପାଇ ଆସୁଥିବା ବାଦ୍ୟଯନ୍ତ୍ର ତବଲାକୁ ବଂଚାଇ ରଖିବା ତାଙ୍କ ଲକ୍ଷ୍ୟ ବୋଲି କହିଛନ୍ତି ବୁଲୁ। ବାପାଙ୍କ ଲକ୍ଷ୍ୟକୁ ଆଗକୁ ବଢ଼ାଇବା ସହ ଅବିଭକ୍ତ କୋରାପୁଟ ଜିଲ୍ଲାର ପ୍ରଥମ ମହିଳା ତବଲା ବାଦକ ଖ୍ୟାତି ଅର୍ଜନ କରିବାକୁ ଦୁଇ ଝିଅ କହିଛନ୍ତି। ଝିଅ ବି ପୁଅଙ୍କ ଠାରୁ କମ୍ ନୁହନ୍ତି ଏହା ପ୍ରମାଣ କରିବା ଆମ ଲକ୍ଷ୍ୟ ବୋଲି କହିଛନ୍ତି ସଂଧ୍ୟା। କଳା ପାଇଁ ସମର୍ପିତ ଏହି ପରିବାର ଲକ୍ଷ୍ୟ ପୂରଣ କରିବା ଦିଗରେ ସରକାରୀ ସହାୟତା ଯୋଗାଇ ଦେବାକୁ ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର