କଟକ-ମହାନଦୀବିହାର: ବିଜେପିର ମିଶ୍ରଣପର୍ବରେ ଆଜି ଦୁଇ ଗୋଷ୍ଠୀ ଭିତରେ ଗଣ୍ଡଗୋଳ ଉଗ୍ରରୂପ ନେଇଛି। ଗୋଟିଏ ଗୋଷ୍ଠୀର କର୍ମୀ ଏହି ଘଟଣାରେ ରକ୍ତାକ୍ତ ହୋଇଛନ୍ତି। ଏସଂପର୍କରେ ମାଲଗୋଦାମ ଥାନାରେ ଅଭିଯୋଗ ହୋଇଛି। ଆଜି କଟକର କଲେଜ ଛକ ନେତାଜୀ ପ୍ରତିମୂର୍ତ୍ତି ନିକଟରେ ବିଜେପିର ଏକ ମିଶ୍ରଣ ପର୍ବ ହୋଇଥିଲା। ଏଥିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପିର କଟକ ଲୋକସଭା ପ୍ରାର୍ଥୀ ଭର୍ତ୍ତୃହରି ମହତାବ, ଚୌଦ୍ବାର-କଟକ ବିଧାନସଭା ପ୍ରାର୍ଥୀ ନୟନ କିଶୋର ମହାନ୍ତି, ଦଳର ରାଜ୍ୟ ସାଧାରଣ ସଂପାଦକ ଯତୀନ ମହାନ୍ତି, ସୁଦୀପ୍ତ ରାୟ, କର୍ପୋରେଟର ଗଗନ ଓଝା, ଦୀପକ ଦାସ ପ୍ରମୁଖ ମଞ୍ଚରେ ଉପସ୍ଥିତ ଥିଲେ। ରେଭେନ୍ସା ଛାତ୍ର ସଂସଦର ପୂର୍ବତନ ସଭାପତି ଶୁଭେନ୍ଦୁ ମହାନ୍ତି, ଜ୍ୟୋତିରଂଜନ ରାୟ (ଜୁଲୁ)ଙ୍କ ନେତୃତ୍ବରେ ବିଭିନ୍ନ ଅଞ୍ଚଳର ନେତା ଓ କର୍ମୀ ବିଜେପିରେ ସାମିଲ ହୋଇଥିଲେ।
କିନ୍ତୁ ସେହି ସମୟରେ ମଞ୍ଚ ତଳେ ଧର୍ମେନ୍ଦ୍ର ପ୍ରଧାନ ଓ ଭର୍ତ୍ତୃହରି ମହତାବ ଜିନ୍ଦାବାଦ ନାରା ଦେଇ ବିଧାୟକ ପ୍ରାର୍ଥୀ ନୟନ କିଶୋର ମହାନ୍ତିଙ୍କ ବିରୋଧରେ କିଛି ବିଜେପି କର୍ମୀ ସ୍ଲୋଗାନ ଦେଇଥିଲେ। ନୟନ ମହାନ୍ତିଙ୍କୁ ଦଳ ଚୌଦ୍ବାର-କଟକରୁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ତାଙ୍କୁ ଟିକେଟ ଦିଆ ନଯାଉ ବୋଲି ସେହି କର୍ମୀମାନେ ନାରାବାଜି କରିଥିଲେ। ଏହି ଘଟଣାକୁ ନେଇ ସେଠାରେ ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଥିଲା। ଫଳରେ ସମାବେଶରେ ଏକାଠି ହୋଇଥିବା ଅନ୍ୟ ବିଜେପି କର୍ମୀମାନେ ତାଙ୍କୁ ବିରୋଧ କରିବା ଫଳରେ ଠେଲାପେଲା ହୋଇଥିଲା। ଏହି ଘଟଣାରେ ଚୌଦ୍ବାର ଆଗ୍ରାହାଟର ବିବେକ ଜେନାଙ୍କର ମୁଣ୍ଡ ଫାଟି ଯାଇଥିବା ବେଳେ ଅନ୍ୟ କେତେକ ମହିଳା ଓ ଯୁବକ ଆହତ ହୋଇଥିଲେ। ଆହତ ଯୁବକ ଓ ତାଙ୍କ ସହଯୋଗୀମାନେ ପରେ ମାଲଗୋଦାମ ଥାନାକୁ ଯାଇ ଏ ସଂପର୍କରେ ଅଭିଯୋଗ କରିବା ପରେ ପୁଲିସ ମାମଲାର ତଦନ୍ତ ଆରମ୍ଭ କରିଛି।