ପାଣି ପାଇଁ ଦୁଇ ମହିଳା ଗୋଷ୍ଠୀ ମାର୍‌ପିଟ

ବଡ଼ବିଲ: କେନ୍ଦୁଝର ଜିଲ୍ଲା ବଡ଼ବିଲ ୩ ନମ୍ବର ୱାର୍ଡ ଠାକୁରାଣୀ ଅଞ୍ଚଳରେ ପାନୀୟଜଳ ସଂଗ୍ରହକୁ ନେଇ ଦୁଇ ମହିଳା ଗୋଷ୍ଠୀ ମଧ୍ୟରେ ମାରପିଟ୍‌ ହୋଇଛି। ଉଭୟ ଗୋଷ୍ଠୀର ୪ଜଣକୁ ପୁଲିସ ଅଟକ ରଖି ପଚରାଉଚରା କରୁଛି। ଓଏମ୍‌ଡିସି କମ୍ପାନି ପକ୍ଷରୁ ଠାକୁରାଣୀ ଅଞ୍ଚଳରେ ଏକ ବୋର୍‌ୱେଲ ଖୋଳାଯାଇ ସ୍ଥାନୀୟ ଜନସାଧାରଣଙ୍କୁ ପିଇବାପାଣି ଯୋଗାଇ ଦିଆଯାଉଛି। ଏକ ଟ୍ୟାପ୍‌ ଖରାପ ହୋଇଯାଇଥିବାରୁ ପାନୀୟଜଳ ପାଇବାରୁ ଲୋକେ ବଞ୍ଚିତ ହୋଇଥିଲେ। ଓଏମ୍‌ଡିସି କମ୍ପାନିକୁ ଏନେଇ ଲୋକେ ବାରମ୍ବାର ଜଣାଇଥିଲେ ହେଁ କମ୍ପାନି କର୍ତ୍ତୃପକ୍ଷ କର୍ଣ୍ଣପାତ କରୁନଥିଲେ।

ଆଜି ଏକ ମହିଳା ଗୋଷ୍ଠୀ ନିଜ ହାତରୁ ଟଙ୍କା ଖର୍ଚ୍ଚ କରି ଟ୍ୟାପ୍‌ ଲଗାଇବା ସମୟରେ ଉକ୍ତ ଅଞ୍ଚଳର ଆଉ ଏକ ମହିଳା ଗୋଷ୍ଠୀ ତାଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲେ। ଆକ୍ରମଣରେ ଉଭୟ ଗୋଷ୍ଠୀର ଏକାଧିକ ମହିଳା ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସୀମା ଗୁପ୍ତା ଓ ପୁଷ୍ପା ଦେବୀଙ୍କ ଅବସ୍ଥା ଗୁରୁତର ରହିଛି। ଉଭୟଙ୍କୁ ବଡ଼ବିଲ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଏନେଇ ଉଭୟ ପକ୍ଷରୁ ବଡ଼ବିଲ ଥାନାରେ ଏତଲା ଦିଆଯାଇଛି। ପୁଲିସ କେସ୍‌ ନମ୍ବର ୧୯୮ ଓ ୧୯୯/୨୦୨୪ରେ ଏକ ମାମଲା ରୁଜୁ କରିଛି। ୪ଜଣକୁ ଅଟକ ରଖି ପଚରାଉଚରା କରୁଛି।

ସମ୍ବନ୍ଧିତ ଖବର