ବିବାହ ବନ୍ଧନରେ ଦୁଇ ହାର୍ଡକୋର ମାଓବାଦୀ

ନୂଆପଡ଼ା : ଦିନେ ଥିଲେ ହାର୍ଡକୋର ମାଓବାଦୀ। ଏବେ ସାଜିଲେ ସାତଜନ୍ମର ସାଥୀ। ଏହି ଦୁଇ ମାଓବାଦୀଙ୍କ ବିବାହ ଉତ୍ସବ ନୂଆପଡ଼ା ପୁଲିସ୍‌ ପକ୍ଷରୁ ଜିଲ୍ଲାର ସଦର ମହକୁମା ସଳଧା ରିଜର୍ଭ ପୁଲିସ୍ ଶିବ ମନ୍ଦିରଠାରେ ଅନୁଷ୍ଠିତ ହୋଇଛି। ଏଥିରେ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ରାଜେଶ ପଣ୍ଡିତ ଯୋଗଦେଇ ଦମ୍ପତିଙ୍କୁ ଆଶୀର୍ବାଦ ଦେଇଛନ୍ତି।

ସୂଚନା ଅନୁସାରେ , ଡାଲମତୀ କମାର ଓ ରାହୁଲ ମୁସାକି ମାଓ ଆଦର୍ଶ ଓ ଅସ୍ତ୍ରକୁ ପରିତ୍ୟାଗ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇଛନ୍ତି। ନୂଆପଡ଼ା ଜିଲ୍ଲା ସିନାପାଲି ଥାନା କୁନ୍ଦେନଝରିଆ ଗାଁର ଡାଲମତୀ କମାର ଓରଫ୍ ମାଧୁରୀ ୨୦୧୬-୧୭ରେ ମୈନପୁର ମାଓବାଦୀ ଡିଭିଜନରେ ଯୋଗଦାନ କରିଥିଲେ। ସେଠାରେ ନିର୍ଯାତନା ସହି ନପାରି ନଭେମ୍ବର ୧୩ ତାରିଖ ନୂଆପଡ଼ା ଏସ୍‌ପିଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ। ସେହିପରି, ଛତିଶଗଡ଼ର ରାହୁଲ ମୁସାକି ଓରଫ ପିଣ୍ଟୁ ଗତ ସେପ୍ଟେମ୍ବର ୨୦୨୧ରେ କନ୍ଧମାଳ ଏସ୍‌ପିଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ। ସେ କେକେବିଏନ ମାଓ ସଂଗଠନରେ ଯୋଗଦେଇ କେକେବିଏନ କ୍ୟାଡର ମାଓବାଦୀ ବାଲକ୍ରିଷ୍ଣାର ଜଗୁଆଳ ଭାବେ କାର୍ଯ୍ୟ କରିଥିଲେ। ଏମାନଙ୍କ ନାମରେ ଲକ୍ଷାଧିକ ଟଙ୍କାର ପୁରସ୍କାର ଘୋଷଣା ହୋଇଥିଲା। ମାତ୍ର, ମାଓ ରାସ୍ତା ଛାଡ଼ିବା ପରେ ଦୁହେଁ ସମାଜର ମୁଖ୍ୟସ୍ରୋତକୁ ଫେରି ଆସିବା ସହ ପରସ୍ପରର ହାତ ଧରିବାକୁ ସ୍ଥିର କରିଥିଲେ।

ବୁଧବାର ରିଜର୍ଭଠାରେ ଥିବା ଶିବ ମନ୍ଦିର ପ୍ରାଙ୍ଗଣରେ ହିନ୍ଦୁ ସମାଜ ରୀତିନୀତି ଅନୁସାରେ ଉଭୟଙ୍କ ବିବାହ ଉତ୍ସବ କରାଯାଇଥିଲା। ଦିନ ୧୦ଟାରୁ ଆରମ୍ଭ ହୋଇଥିବା ବେଳେ ଅପରାହ୍ନ ୧ଟା ପର୍ଯ୍ୟନ୍ତ ବିବାହ ସମ୍ପନ୍ନ ହୋଇଥିଲା। ଖରିଆର ରୋଡ଼ ଜୋଙ୍କ ଥାନା ଅଧିକାରୀ କୈଲାସ ସେଠୀ ବରପିତା ହୋଇଥିବା ବେଳେ ନୂଆପଡ଼ା ଏସ୍‌ଡିପିଓ ପ୍ରଶାନ୍ତ ପଟ୍ଟନାୟକ କନ୍ୟାପିତା ଦାୟିତ୍ବ ତୁଲାଇଥିଲେ। ନୂଆପଡ଼ା ପୁଲିସ୍‌ ପକ୍ଷରୁ ଉଭୟଙ୍କୁ ବିଭିନ୍ନ ସାମଗ୍ରୀ ଦିଆଯାଇଥିଲା। ଏହିଅବସରରେ ‌ଭୋଜିଭାତର ମଧ୍ୟ ବ୍ୟବସ୍ଥା କରାଯାଇଥିଲା। ପୁଲିସ୍‌ର ଏଭଳି ବିବାହ ଉତ୍ସବ ଆୟୋଜନକୁ ନେଇ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି। ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ନୂଆପଡ଼ା ଏସ୍‌ପି ପ୍ରତ୍ୟୁଷ ଦିବାକରଙ୍କ ସହ ସିଆର୍‌ପିଏଫ୍‌ ଯବାନ ତଥା ଜିଲ୍ଲା ପୁଲିସ୍‌ର ବହୁ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର