ଚିକିଟି: ବିଷାକ୍ତ ମଦ ପିଇ ବ୍ରହ୍ମପୁର ବଡ଼ଡାକ୍ତରଖାନାରେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ଗଞ୍ଜାମ ଜିଲ୍ଲା ଚିକିଟି ଏନ୍ଏସି ଜେନାପୁର ଗ୍ରାମର ଜୁର ବେହେରା (୬୦) ଓ ଲୋକନାଥ ବେହେରା ଓରଫ୍ ମାଲ (୩୪)ଙ୍କର ମୃତ୍ୟୁ ଘଟିଛି। ଜୁର ଆଇସିୟୁରେ ଭର୍ତ୍ତି ହୋଇଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ପ୍ରାଣ ହରାଇଥିଲେ। ସେହିପରି ଆଜି ସନ୍ଧ୍ୟାରେ ମେଡିସିନ୍ ୱାର୍ଡରେ ଲୋକନାଥଙ୍କ ମୃତ୍ୟୁ ଘଟିଛି। ଉଭୟଙ୍କ ଶବ ବ୍ୟବଚ୍ଛେଦ ପରେ ଗାଁକୁ ଅଣାଯାଇ ଅନ୍ତିମ ସତ୍କାର କରାଯାଇଛି। ଖବର ଲେଖାଯିବା ସୁଦ୍ଧା ବ୍ରହ୍ମପୁର ବଡ଼ଡାକ୍ତରଖାନାରେ ୧୩ ଜଣ ଅସୁସ୍ଥଙ୍କ ଚିକିତ୍ସା ଜାରି ରହିଛି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ଆଇସିୟୁରେ ଅଛନ୍ତି। ସେହିପରି ପ୍ରଦୀପ ବେହେରାଙ୍କ ଅବସ୍ଥା ଅତି ସଂକଟାପନ୍ନ ଥିବାରୁ ତାଙ୍କୁ ଆଇସିୟୁରୁ ଭେଣ୍ଟିଲେଟର୍କୁ ସ୍ଥାନାନ୍ତର କରାଯାଇଛି। ଆସନ୍ତାକାଲି ରାଜ୍ୟ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଅସୁସ୍ଥଙ୍କୁ ଭେଟିବାକୁ ବ୍ରହ୍ମପୁର ବଡ଼ଡାକ୍ତରଖାନାକୁ ଆସିବେ ବୋଲି ସୂଚନା ମିଳିଛି।
ଅନ୍ୟପକ୍ଷରେ ଜୁରଙ୍କ ମୃତ୍ୟୁ ଖବର ଗାଁରେ ପ୍ରଚାର ହେବା କ୍ଷଣି ଜେନାପୁର ଗ୍ରାମରେ ଉତ୍ତେଜନା ଦେଖାଦେଇଥିଲା। ସକାଳ ୮ଟାରେ ଶବ ଅଣାଯିବା ପରେ ମୃତକଙ୍କ ପରିବାରକୁ ଉଚିତ କ୍ଷତିପୂରଣ ପ୍ରଦାନ ଓ ଅସୁସ୍ଥଙ୍କୁ ଉତ୍ତମ ଚିକିତ୍ସା ପ୍ରଦାନ ଦାବିରେ ଜେନାପୁର ଗ୍ରାମବାସୀ ଚିକିଟିପେଣ୍ଠ ମୁଖ୍ୟରାସ୍ତାକୁ ଅବରୋଧ କରିଥିଲେ। ସକାଳ ସାଢ଼େ ୮ଟାରୁ ସାଢ଼େ ୧୧ଟା ପର୍ଯ୍ୟନ୍ତ ଟାୟାର୍ ଜାଳି ରାସ୍ତା ଅବରୋଧ କରାଯାଇଥିଲା। ମୃତକଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରାଯାଇଥିଲା। ପ୍ରଶାସନିକ ଅଧିକାରୀ ଓ ପୁଲିସ ଫୋର୍ସ ପହଞ୍ଚି ବୁଝାସୁଝା କରିଥିଲେ। କ୍ଷତିପୂରଣ ପ୍ରଦାନ ବାବଦରେ ରାଜ୍ୟ ସରକାର କଣ ନିଷ୍ପତ୍ତି ନେଇଛନ୍ତି, ତାହା ସନ୍ଧ୍ୟା ସୁଦ୍ଧା ଜଣାଇଦିଆଯିବ ବୋଲି ପ୍ରତିଶ୍ରୁତି ମିଳିବା ପରେ ରାସ୍ତା ଅବରୋଧ ହଟିଥିଲା। ଜୁରଙ୍କ ଶବ ସତ୍କାର ନସରୁଣୁ, ଲୋକନାଥଙ୍କ ମୃତ୍ୟୁ ଖବର ଗାଁରେ ପହଞ୍ଚିଥିଲା। ଏହି ସମୟରେ ପୁଲିସ ଛାଉଣିରେ ପରିଣତ ହୋଇଥିଲା ଗାଁ। ସମ୍ଭାବ୍ୟ ପରିସ୍ଥିତିକୁ ନଜରରେ ରଖି ଗାଁରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି।
ଗଞ୍ଜାମରେ ମଦମୃତ୍ୟୁ ସ୍ମୃତି ତାଜା
ବ୍ରହ୍ମପୁର: ଚିକିଟି ମଦମୃତ୍ୟୁ ଘଟଣା ପରେ ଗଞ୍ଜାମ ଜିଲ୍ଲାରେ ପୂର୍ବରୁ ପୁରୁଷୋତ୍ତମପୁର ଓ ରମ୍ଭା, ଗୋଳାବନ୍ଧ ମଦମୃତ୍ୟୁର ଭୟାନକ ସ୍ମୃତି ପୁଣି ତାଜା ହୋଇଛି। ୧୯୯୪ ମସିହା ଅଗଷ୍ଟ ମାସ ୪ ତାରିଖରେ ପୁରୁଷୋତ୍ତମପୁର ଅଞ୍ଚଳରେ ଅପମିଶ୍ରିତ ବିଷାକ୍ତ ମଦ ପିଇ ୫ ଜଣଙ୍କର ମୃତ୍ୟୁ ହୋଇଥିଲା ଓ ୫ ଜଣ ଦୃଷ୍ଟିଶକ୍ତି ହରାଇଥିଲେ। ଡିସେମ୍ବର ୨୦ ତାରିଖରେ ଜିଲ୍ଲାଜଜ୍ଙ୍କ ଦ୍ବାରା ଏହାର ତଦନ୍ତ ଆରମ୍ଭ ହୋଇଥିଲା। କିନ୍ତୁ ଏହି ତଦନ୍ତ ରିପୋର୍ଟ ସାର୍ବଜନୀନ ହୋଇନାହିଁ। ପୁଣି ୨୦୦୬ ମସିହା ମାର୍ଚ୍ଚ ଓ ଏପ୍ରିଲ୍ ମାସରେ ହୁମ୍ମା, ରମ୍ଭା ଓ ଗୋପାଳପୁର ଥାନା ଅଧୀନ ନୂଆଗୋଳାବନ୍ଧରେ ମଦମୃତ୍ୟୁ ତାଣ୍ଡବ ରଚିଥିଲା। ଏଥିରେ ମୋଟ ୨୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଶତାଧିକ ଗୁରୁତର ଅସୁସ୍ଥ ହୋଇ ଚିକିତ୍ସିତ ହୋଇଥିଲେ। ଏହି ଘଟଣା ସେତେବେଳେ ସମଗ୍ର ଓଡ଼ିଶାରେ ହଇଚଇ ସୃଷ୍ଟି କରିଥିଲା ଓ ତତ୍କାଳୀନ ଅବକାରୀ ମନ୍ତ୍ରୀ କାଳନ୍ଦୀ ବେହେରା ଇସ୍ତଫା ଦେଇଥିଲେ। ମଦ ଟ୍ରାଜେଡିର ବିଚାର ବିଭାଗୀୟ ତଦନ୍ତ ପାଇଁ ହାଇକୋର୍ଟର ଅବସରପ୍ରାପ୍ତ ଜଷ୍ଟିସ୍ ପ୍ରସନ୍ନ କୁମାର ପାତ୍ର କମିସନ୍ ଗଠନ କରାଯାଇଥିଲା। ୨୦୦୮ ଏପ୍ରିଲ୍ ୫ ତାରିଖରେ ଜଷ୍ଟିସ୍ ପାତ୍ର କମିସନ ସରକାରଙ୍କୁ ୯୧ ପୃଷ୍ଠାର ତଦନ୍ତ ରିପୋର୍ଟ ପ୍ରଦାନ କରିଥିଲେ।
ଅବକାରୀ ଅଧୀକ୍ଷକ ନିଲମ୍ବିତ, ରିପୋର୍ଟ ମାଗିଲେ ମନ୍ତ୍ରୀ
ଭୁବନେଶ୍ବର: ଚିକିଟି ମଦମୃତ୍ୟୁ ଘଟଣାରେ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ବ୍ରହ୍ମପୁରର ଅବକାରୀ ଅଧୀକ୍ଷକ ପ୍ରଦୀପ ପାଣିଗ୍ରାହୀଙ୍କୁ ନିଲମ୍ବିତ କରାଯାଇଛି। ଅବକାରୀ ବିଭାଗ ପକ୍ଷରୁ ଆଜି ଏହି ସୂଚନା ଦିଆଯାଇଛି। ବିଭାଗୀୟ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଆଜି ଏହି ପ୍ରସଙ୍ଗରେ ବିଭାଗର ପ୍ରମୁଖ ଶାସନ ସଚିବ ସୁଶୀଲ କୁମାର ଲୋହାନୀ ଓ ଅବକାରୀ କମିସନର୍ ନରସିଂହ ଭୋଳଙ୍କ ଆଲୋଚନା କରି ସବିଶେଷ ତଥ୍ୟ ମାଗିଛନ୍ତି।