କୁତ୍ରା: ପ୍ରେମସମ୍ପର୍କକୁ ନେଇ କୁତ୍ରା ଥାନା ଅନ୍ତର୍ଗତ ତୁନମୁରା ପଞ୍ଚାୟତ କାଶୀପଡ଼ାରେ ଘଟିଛି ଡବଲ ମର୍ଡର। ପ୍ରେମିକ ଡ୍ରାଇଭରର ଛୁରାମାଡ଼ରେ ପ୍ରେମିକା ସହିତ ତାଙ୍କ ସହପାଠୀଙ୍କ ମୃତ୍ୟୁ ହୋଇଯାଇଛି। ମୃତଯୁବକ ଲାଞ୍ଜିବେର୍ଣ୍ଣା ରୁମାବାହାଲ ଗାଁର ପ୍ରତାପ ଲାକଡ଼ା(୨୬) ଓ ଯୁବତୀ ହେଉଛନ୍ତି କୁତ୍ରା ଥାନା ତୁନମୁରା ପଞ୍ଚାୟତ କାଶୀପଡ଼ାର ଲିପ୍‌ସା କେର୍କେଟା (୨୪)। ମୃତ ଯୁବତୀ ଲିପ୍‌ସାଙ୍କ ମା’ ସୁଷମାଙ୍କ କହିବା ଅନୁସାରେ, ରାଜଗାଙ୍ଗପୁର ଜରୁମାଲର ଯୁବକ ରାଜୁ ନାଗ ତାଙ୍କ ଘରର କାର୍ ଚଳାଉଥିଲା। ଇତିମଧ୍ୟରେ ଝିଅ ଲିପ୍‌ସାଙ୍କ ସହ ରାଜୁର ପ୍ରେମସମ୍ପର୍କ ଗଢ଼ି ଉଠିଥିଲା। କିଛିଦିନ ହେବ ରାଜୁ ଲିପ୍‌ସାଙ୍କୁ ମାନସିକ ଯନ୍ତ୍ରଣା ଦେଉଥିଲା। ଫଳରେ ଏମ୍‌ବିଏ ପରୀକ୍ଷା ଦେଉଥିବା ଲିପ୍‌ସାଙ୍କ ପାଠପଢ଼ାରେ ବାଧା ଉପୁଜିଥିଲା। ରାଜୁ ରବିବାର ସନ୍ଧ୍ୟାରେ ଲିପ୍‌ସାଙ୍କୁ ଫୋନ୍‌କରି ତମ ଘରକୁ ଆସୁଛି ବୋଲି କହିଥିଲା। ରାତି ପ୍ରାୟ ୧୦ଟା ସମୟରେ ରାଜୁ ଲିପ୍‌ସାଙ୍କ ଘରପାଖରେ ପହଞ୍ଚିଥିଲା।

Advertisment

କିଛିଦୂରରେ ରହି ଲିପ୍‌ସାକୁ ମୁଁ ନେବାକୁ ଆସିଛି ବୋଲି ପରିବାର ଲୋକଙ୍କୁ ଫୋନ୍‌ରେ କହିଥିଲା। ଲିପ୍‌ସାଙ୍କ ମା’ ସୁଷମା ଓ ବାପା ଜନ୍‌ କେର୍କେଟା ଏତେ ରାତିରେ ଝିଅକୁ ସେଠାକୁ ପଠାଇବା ପାଇଁ ମନା କରିଥିଲେ। ଏହାପରେ ସୁଷମା ରାଜୁ ନିକଟରେ ପହଞ୍ଚି କଥାହୋଇ ତାକୁ ଘରକୁ ଡାକିଥିଲେ। ଘରେ ରାଜୁ ଓ ଲିପ୍‌ସାଙ୍କ ମଧ୍ୟରେ ବଚସା ହୋଇଥିଲା। ଏହାପରେ ରାଜୁ ଲିପ୍‌ସାଙ୍କୁ ଛୁରୀରେ ଆକ୍ରମଣ କରିଥିଲା। ଝିଅକୁ ବଞ୍ଚାଇବାକୁ ଦୌଡ଼ି ଆସିଥିବା ବାପାମା’ଙ୍କୁ ମଧ୍ୟ ଆକ୍ରମଣକରି କୋଠରି ଭିତରେ ବନ୍ଦ କରି ଦେଇଥିଲା। ଏହାପରେ ହଲ୍‌ରେ ପୁଣି ଲିପ୍‌ସାଙ୍କୁ ଆକ୍ରମଣ କରିଥିଲା। ସହପାଠୀ ପ୍ରତାପ ଲାକ୍‌ଡ଼ା ଲିପ୍‌ସାଙ୍କୁ ବଞ୍ଚାଇବା ଉଦ୍ୟମ କରିବାରୁ ରାଜୁର ଆକ୍ରମଣର ଶିକାର ହୋଇଥିଲେ। ରାଜୁ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ଛୁରୀରେ ବାରମ୍ବାର ଭୁସିଥିଲା। ଏହାପରେ ଅଭିଯୁକ୍ତ ରାଜୁ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା।

ସ୍ଥାନୀୟଲୋକ ପହଞ୍ଚି ଉଭୟ ଲିପ୍‌ସା ଓ ପ୍ରତାପଙ୍କୁ କାର୍‌ ଯୋଗେ କୁତ୍ରା ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ଲିପ୍‌ସାଙ୍କୁ ମୃତ ଘୋଷଣା କରିଥିଲେ। ଗୁରୁତର ପ୍ରତାପଙ୍କୁ ରାଉରକେଲା ସ୍ଥାନାନ୍ତର କରିବା ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା। କୁତ୍ରା ଥାନାରେ ଲିଖିତ ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଜାରିରଖିଛି। ଆଜି ଉଭୟଙ୍କ ଶବ ବ୍ୟବଚ୍ଛେଦ ପରେ ପୁଲିସ ପରିବାରକୁ ହସ୍ତାନ୍ତର କରିଛି। ଘଟଣାସ୍ଥଳରେ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ତଦନ୍ତ କରିଛି। ଉଲ୍ଲେଖଯୋଗ୍ୟ, ଲିପ୍‌ସା ଓ ପ୍ରତାପ ରାଉରକେଲାର ଏକ ଘରୋଇ ଅନୁଷ୍ଠାନରେ ଏମ୍‌ବିଏ ପଢୁଥିଲେ। ଉଭୟ ପ୍ରାକ୍‌ଟିକାଲ୍ ପରୀକ୍ଷା ପାଇଁ ବାହାରକୁ ଯାଇଥିଲେ। ଫେରିବାପରେ ଲିପ୍‌ସାଙ୍କ ଘରେ ରହି ଯାଇଥିବା ସହପାଠୀ ପ୍ରତାପ ବି ପାଗଳ ପ୍ରେମିକର ଆକ୍ରୋଶର ଶିକାରହୋଇ ଜୀବନ ହାରିଥିଲେ।