ନବରଙ୍ଗପୁର ଉପଜିଲ୍ଲାପାଳଙ୍କୁ ମାଡ଼ ଅଭିଯୋଗ : ଖାତିଗୁଡ଼ା ଥାନାରେ ମାମଲା, ୨ ଅଟକ

ନବରଙ୍ଗପୁର/ତେନ୍ତୁଳିଖୁଣ୍ଟି/ନନ୍ଦାହାଣ୍ଡି : ସାଧାରଣ ଜନତାଙ୍କ ଆକ୍ରୋଶର ଶିକାର ହୋଇଛନ୍ତି ନବରଙ୍ଗପୁର ଉପଜିଲ୍ଲାପାଳ। ସଂଘବଦ୍ଧ ଭାବେ ଆକ୍ରମଣ ହୋଇଥିବା ବେଳେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କନିଷ୍ଠ କିରାଣି ମଧ୍ୟ ଏଥିରୁ ବାଦ୍‌ ପଡ଼ି ନାହାନ୍ତି। ଅଭିଯୋଗ ପରେ ଖାତିଗୁଡ଼ା ପୁଲିସ ଦୁଇ ଜଣଙ୍କୁ ଅଟକ ରଖିଛି। ଗାଁରେ ପହଞ୍ଚି ପରିସ୍ଥିତିକୁ ଅନୁଧ୍ୟାନ କରିଛି। ଗିରଫ ଭୟରେ ପୂରା ଗାଁ ପୁରୁଷଶୂନ୍ୟ ହୋଇ ଯାଇଛି।

ସୂଚନା ଅନୁଯାୟୀ, ନନ୍ଦାହାଣ୍ଡି ବ୍ଲକ୍‌ ଝାଡ଼ବନ୍ଧଗୁଡ଼ା ପଞ୍ଚାୟତ ମହକୁମାର ୧ନମ୍ବର ଅଙ୍ଗନବାଡ଼ି କେନ୍ଦ୍ରରେ ବ୍ୟାପକ ଅନିୟମିତତା ହୋଇଥିବା ଗ୍ରାମବାସୀ ପୂର୍ବରୁ ଅଭିଯୋଗ କରିଥିଲେ। ହିତାଧିକାରୀଙ୍କୁ ବଣ୍ଟନ ବାବଦରେ ଚାଉଳ, ଅଣ୍ଡା ଏବଂ ଡାଲି ସଂଗ୍ରହ କରିବା ସତ୍ତ୍ବେ ଅଙ୍ଗନବାଡ଼ି କର୍ମୀ ବଣ୍ଟନ କରିନଥିଲେ। ନିଜ ନିକଟରେ ଗଚ୍ଛିତ କରି ରଖିଥିବା ଗ୍ରାମବାସୀ ପ୍ରଶାସନକୁ ଅବଗତ କରାଇଥିଲେ। ଏଭଳି ସଂଗିନ ଅଭିଯୋଗ ପରେ ଆଜି ନବରଙ୍ଗପୁର ଉପଜିଲ୍ଲାପାଳ ଭାସ୍କର ରାଇତ, କନିଷ୍ଠ କିରାଣି ଅଜୟ କୁମାର ଦାସ ଏବଂ ଦୁଇ ଜଣ ସୁରକ୍ଷା କର୍ମୀଙ୍କୁ ନେଇ ଗାଁରେ ପହଞ୍ଚିଥିଲେ। ସିଡିପିଓ ବିନୋଦିନୀ ପଟ୍ଟନାୟକ ମଧ୍ୟ ଗାଁକୁ ଯାଇଥିଲେ। ଅଙ୍ଗନବାଡ଼ି କେନ୍ଦ୍ରକୁ ଯାଇ ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ଏହି ସମୟରେ ଶହ ଶହ ସଂଖ୍ୟାରେ ଗ୍ରାମବାସୀ ଠେଙ୍ଗା ଓ ବାଡ଼ି ଧରି କେନ୍ଦ୍ର ନିକଟକୁ ଆସି ପାଟିତୁଣ୍ଡ କରିଥିଲେ। ପ୍ରଶାସନର ଜାଣତରେ ଏମିତି ଅନିୟମିତତା ହେଉଥିବା ଅଭିଯୋଗ କରି ପ୍ରବଳ ହୋହଲ୍ଲା କରିଥିଲେ। ପରିସ୍ଥିତି ଅଣାୟତ୍ତ ହେବାରୁ କନିଷ୍ଠ କିରାଣି ଅଜୟ କୁମାର ଦାସ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଏଥିରେ ଉତକ୍ଷିପ୍ତ ହୋଇ ଗ୍ରାମବାସୀ ଠେଲାପେଲା କରି ପରବର୍ତ୍ତୀ ସମୟରେ ମାଡ଼ ମାରିଥିଲେ। ଉପଜିଲ୍ଲାପାଳ ହସ୍ତକ୍ଷେପ କରିବାରୁ ତାଙ୍କୁ କେନ୍ଦ୍ର ମଧ୍ୟରେ ତାଲା ପକାଇ ରଖିବେ ବୋଲି ଧମକ ଦେଇଥିଲେ। ସାଥୀରେ ଯାଇଥିବା ଦୁଇ ଜଣ ସୁରକ୍ଷା କର୍ମୀ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇ ନଥିଲେ। ଏହାପରେ ଉତ୍ତ୍ୟକ୍ତ ଲୋକ ଉପଜିଲ୍ଲାପାଳଙ୍କୁ ଆକ୍ରମଣ କରିଥିଲେ। ବହୁ କଷ୍ଟରେ ଉପଜିଲ୍ଲାପାଳଙ୍କୁ ଉଦ୍ଧାର କରି ସୁରକ୍ଷା କର୍ମୀ ସେଠାରୁ ନେଇ ଚାଲି ଆସଥିଲେ। ଅନ୍ୟପଟେ ସିଡିପିଓଙ୍କୁ ଗ୍ରାମବାସୀ ‌ଟଣାଓଟରା କରିଥିବା ଅଭିଯୋଗ ହୋଇଛି।

ଆହତ ଉପଜିଲ୍ଲାପାଳଙ୍କୁ ତେନ୍ତୁଳିଖୁଣ୍ଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ସମଲେଇ ପ୍ରସାଦ ପଣ୍ଡା, ଡା.ବିପ୍ର ପ୍ରସାଦ କବି ଶତପଥୀ, ଡା.ସଚ୍ଚିକାନ୍ତ ‌‌ଲେଙ୍କା ପ୍ରମୁଖ ଚିକିତ୍ସା କରିଥିଲେ। ଖବର ପାଇଁ ଖାତିଗୁଡ଼ା ଥାନା ଅଧିକାରୀ ପଞ୍ଚାନନ ପରିଡ଼ା, ତେନ୍ତୁଳିଖୁଣ୍ଟି ଥାନା ଆଇଆଇସି ପ୍ରେମାନନ୍ଦ ସୁନାନି ଗାଁରେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିଥିଲେ। ଦୁଇ ଜଣଙ୍କୁ ଥାନାକୁ ଉଠାଇ ନେଇ ଯିବାରୁ ଗାଁ ଶୂନଶାନ ହୋଇ ଯାଇଛି। ଲୋକେ ନିଜ ନିଜ ଘରକୁ ଚାଲି ଯାଇଥିବା ବେଳେ ଜଣେ ବି ପୁରୁଷ ଗାଁରେ ନଥିବା ସୂଚନା ମିଳିଛି। ଖାତିଗୁଡ଼ା ଥାନାରେ ସୁଶାନ୍ତ ହରିଜନ, ଅଭିମନ୍ୟୁ ହରିଜନ, ମନ ଗୌଡ଼, ମନଧର ହରିଜନ, ଦୁଦୁ ହରିଜନ, ସୁନାଧର ଗୌଡ଼, ନବୀନ ଗୌଡ଼, ଦାମୋଦର ଗୌଡ଼, ନରେନ୍ଦ୍ର ଗୌଡ଼ଙ୍କ ସମେତ ଅନ୍ୟମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ପୁଲିସ ଏମାନଙ୍କୁ ଖୋଜିବା ଆରମ୍ଭ କରିଥିବା ଜଣାପଡ଼ିଛି। ଏନେଇ ଉପଜିଲ୍ଲାପାଳ ଶ୍ରୀ ରଇତଙ୍କୁ ଯୋଗାଯୋଗ କରିବାରୁ ଉକ୍ତ ଗାଁରେ ଅଙ୍ଗନବାଡ଼ି ଏବଂ ଆଶା କର୍ମୀଙ୍କୁ କରୋନା ସଂପର୍କରେ ସଚେତନ କରିବାକୁ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଥିପାଇଁ ସେ ଗାଁକୁ ଯାଇଥିବା ବେଳେ ପୂର୍ବରୁ ହୋଇଥିବା ଅଭିଯୋଗର ମଧ୍ୟ ତଦନ୍ତ କରୁଥିଲେ ବୋଲି ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ପୂର୍ବରୁ ମାଲକାନଗିରି ଜିଲ୍ଲା ମାଥିଲି ତହସିଲଦାର ମଧ୍ୟ ଅନୁରୂପ ଆକ୍ରମଣର ଶିକାର ହୋଇଥିଲେ।

ସମ୍ବନ୍ଧିତ ଖବର