ବିଜେପି ରାଜ୍ୟ ସଭାପତିଙ୍କ ମୁଣ୍ଡରେ ଲଗାଇଲେ ବନ୍ଧୁକ

୨ ଯୁବକ ଗିରଫ, ୨ଟି ଖେଳଣା ବନ୍ଧୁକ ଜବତ

ଭୁବନେଶ୍ୱର : ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଧମକ ଦେଇଛନ୍ତି ଦୁଇ ଜଣ ଯୁବକ। ପୁଣି ବିଜେପି ରାଜ୍ୟ କାର୍ଯ୍ୟାଳୟ ଭିତରେ। ଯଦିଓ ଉଭୟଙ୍କୁ ପୁଲିସ୍‌ ଗିିରଫ କରିଛି, ତେବେ ରାଜନୈତିକ ମହଲରେ ଏହି ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ଅଭିଯୁକ୍ତ ଯୁବକ ଦ୍ୱୟ ବିଜେପିର କର୍ମୀ ବୋଲି କୁହାଯାଉଥିବାରୁ ପ୍ରସଙ୍ଗଟି ଭିନ୍ନ ମୋଡ଼ ନେଇଛି।

ସୋମବାର ଦିନ ପ୍ରାୟ ୧୧ଟା। ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଚାଷ ସଂକ୍ରାନ୍ତୀୟ ଏକ ବୈଠକ ଚାଲିଥିଲା। ରାଜ୍ୟ କାର୍ଯ୍ୟକର୍ତ୍ତାମାନେ ଏଥିରେ ଉପସ୍ଥିତ ଥିଲେ। ଏହି ସମୟରେ ଦୁଇ ଜଣ ଯୁବକ କାର୍ଯ୍ୟାଳୟକୁ ଧସେଇ ପଶିଥିଲେ। କେହି କିଛି ବୁଝିବା ପୂର୍ବରୁ ଉଭୟ ସିଧା ସଭାପତି ବସନ୍ତ ପଣ୍ଡାଙ୍କ ପ୍ରକୋଷ୍ଠ ଭିତରକୁ ପଶିଯାଇଥିଲେ। ଆଖି ପିଛୁଳାକେ ଅଣ୍ଟାରୁ ବନ୍ଧୁକ କାଢ଼ି ଶ୍ରୀ ପଣ୍ଡାଙ୍କ ମୁଣ୍ଡରେ ଲଗାଇବାକୁ ଉଦ୍ୟମ କଲେ। ତେବେ ସଙ୍ଗେ ସଙ୍ଗେ ଉପସ୍ଥିତ କର୍ମୀମାନେ ଉଭୟଙ୍କୁ କାବୁ କରି ନେବା ସହ ପୁଲିସ୍‌କୁ ଖବର ଦେଇଥିଲେ। ଏହି ସମୟରେ ଯୁବକମାନେ କିଛି କାଗଜ ଦେଖାଉଥିବା ଲକ୍ଷ୍ୟ କରାଯାଇଥିଲା।

ଏହା ପରେ ପୁଲିସ୍‌ ଦୁଇ ଜଣଙ୍କୁ ଥାନାକୁ ନେଇଥିଲା। ଉଭୟଙ୍କୁ ପଚରାଉଚୁରା କରିବା ସହ ବନ୍ଧୁକ ଦୁଇଟି ଜବତ କରିଥିଲା। ଜଣାପଡ଼ିଥିଲା ଯେ ଦୁଇଟି ଯାକ ଖେଳଣା ବନ୍ଧୁକ। ଉଭୟଙ୍କ ପରିଚୟ ମିଳିଥିଲା। ଜଣେ ହେଲେ କଟକ ଜିଲ୍ଲା ଗୋବିନ୍ଦପୁର ଅଞ୍ଚଳର ସମ୍ବିତ ପଣ୍ଡା(୨୩) ଓ ଅନ୍ୟ ଜଣେ ହେଲେ ବାରଙ୍ଗ ଅଞ୍ଚଳର ପିନାକି ମହାନ୍ତି(୩୩)। ପୁଲିସ୍‌ ମାମଲା ରୁଜୁ କରି ଉଭୟଙ୍କୁ ଗିରଫ କରିଛି। ପିନାକି ରାଜଧାନୀ ଉପକଣ୍ଠ ବାରଙ୍ଗ ବ୍ଲକ୍‌ ଅଧୀନରେ ବିଜେପିର ଏକ ମଣ୍ଡଳର କର୍ମକର୍ତ୍ତା ବୋଲି କୁହାଯାଉଛି। ଆଉ ସମ୍ବିତ ବି ଦଳୀୟ କାର୍ଯ୍ୟାଳୟକୁ ଯା’ଆସ କରେ। ତେବେ ଅଭିଯୁକ୍ତ ଦ୍ୱୟ ବିଜେପିର କାର୍ଯ୍ୟକର୍ତ୍ତା ବୋଲି ହେଉଥିବା ଅଭିଯୋଗକୁ ଖଣ୍ଡନ କରିଛି ବିଜେପି।

ଶ୍ରୀ ପଣ୍ଡାଙ୍କୁ ସେମାନେ କାହିଁକି ବନ୍ଧୁକ ଦେଖାଇ ଧମକ ଦେଲେ, ତାହା ସ୍ପଷ୍ଟ ହୋଇପାରିନି। ଅଭିଯୁକ୍ତ ଦ୍ୱୟ ଗୋଟିଏ କାରଣ ଦର୍ଶାଉଥିଲା ବେଳେ ନିଜେ ଶ୍ରୀ ପଣ୍ଡା ଭିନ୍ନ କଥା କହିଛନ୍ତି।

ଅଭିଯୁକ୍ତ ଦ୍ୱୟଙ୍କ କହିବା ଅନୁଯାୟୀ ଗତ କିଛିଦିନ ତଳେ ଏକ ଓଡ଼ିଆ ଟିଭି ଚ୍ୟାନେଲ୍‌ରେ ପ୍ରସାରିତ କାର୍ଯ୍ୟକ୍ରମରେ ମା’ ଦୁର୍ଗାଙ୍କୁ ବିକୃତ କରି ପ୍ରଦର୍ଶନ କରାଯାଇଥିଲା। ତେଣୁ ଉଭୟ ଶ୍ରୀ ପଣ୍ଡାଙ୍କୁ ଫୋନ୍‌ କରି ଘଟଣା ବିଷୟରେ ଅବଗତ କରାଇବା ସହ ତୁରନ୍ତ ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଥିଲେ। ଘଟଣା ଉପରେ ଚ୍ୟାନେଲ୍‌ ସହ ଆଲୋଚନା କରିବେ ବୋଲି ଶ୍ରୀ ପଣ୍ଡା ପ୍ରତିଶ୍ରୁତି ଦେଇଥିଲେ। ହେଲେ ପୁନର୍ବାର ସେହି ଦୃଶ୍ୟ ପ୍ରଦର୍ଶନ କରାଯାଉଥିବା ଦେଖିବା ପରେ ଉଭୟ ଯୁବକ ଉତ୍‌କ୍ଷିପ୍ତ ହୋଇପଡ଼ିଥିଲେ। ଶ୍ରୀ ପଣ୍ଡା ଘଟଣା ଉପରେ ଗୁରୁତ୍ୱ ଦେଇ ନ ଥିବା ଜାଣିବା ପରେ ଆଜି ଏଭଳି କାଣ୍ଡ ଘଟାଇଥିବା କହିଥିଲେ। ଅନ୍ୟପଟେ ଶ୍ରୀ ପଣ୍ଡା ଗଣମାଧ୍ୟମକୁ କହିଛନ୍ତି, ରବିବାର ଦିନ ଯୁବକ ଦ୍ୱୟ ରାଜ୍ୟ କାର୍ଯ୍ୟାଳୟକୁ ଆସି ଆର୍ଥିକ ସହାୟତା ମାଗିଥିଲେ। ତାଙ୍କ ବାପାଙ୍କ ଦେହ ଅସୁସ୍ଥ ଥିବା କହିଥିଲେ। ମୁଁ ସୋମବାର ସେମାନଙ୍କ ଆସିବା ପାଇଁ କହିଥିଲି। କିନ୍ତୁ ସେମାନେ ଆଜି ଆସି ସିଧାସଳଖ ଧମକଚମକ ଦେଲେ।

ସନ୍ଧ୍ୟାରେ ଦଳର ବରିଷ୍ଠ ନେତା ମନମୋହନ ସାମଲଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ପୁଲିସ୍‌ ଡିଜିଙ୍କୁ ଭେଟି ଘଟଣା ସମ୍ପର୍କରେ ଅବଗତ କରାଇବା ସହ ସୁରକ୍ଷା ପ୍ରସଙ୍ଗରେ ଆଲୋଚନା କରିଥିଲେ। ଶ୍ରୀ ସାମଲ କହିଛନ୍ତି, ଅଭିଯୁକ୍ତ ଦ୍ୱୟ ଆଦୌ ବିଜେପିର ସଦସ୍ୟ ନୁହଁନ୍ତି। ଗତ କିଛି ଦିନ ହେଲା ରାଜନୈତିକ ଅସହିଷ୍ଣୁତା କାରଣରୁ ହିଂସାକାଣ୍ଡ କ୍ରମାଗତ ବୃଦ୍ଧି ପାଇଛି। କାହାର ଚକ୍ରାନ୍ତ ଓ ପ୍ରରୋଚନାରେ ଏହି ଘଟଣା ଘଟିଲା, ତାହାର ଠିକ୍‌ ତଦନ୍ତ କଲେ ସତ୍ୟ ସାମ୍ନାକୁ ଆସିବ। ଆଜିର ଏହି ଅଭାବନୀୟ ଘଟଣା ପରେ ଶାସକ ଦଳ ସହ ଅନ୍ୟ କୌଣସି ରାଜନୈତିକ ଦଳ ଏହାକୁ ନିନ୍ଦା ନ କରିବା ଦୁର୍ଭାଗ୍ୟଜନକ।

ସମ୍ବନ୍ଧିତ ଖବର