ଗଞ୍ଜାମରେ ଦୁଇଜଣ ଗୃହରକ୍ଷୀ କରୋନାରେ ଆକ୍ରାନ୍ତ

ବ୍ରହ୍ମପୁର: କରୋନା ମହାମାରୀ ଗଞ୍ଜାମ ଜିଲ୍ଲାରେ ସଙ୍ଗରୋଧ କେନ୍ଦ୍ର ଡେଇଁ ବାହାରେ ବ୍ୟାପିବା ଧାରା ଧୀରେ ଧୀରେ ଲମ୍ବୁଛି। ଜିଲ୍ଲାରେ ୧୫ରୁ ଅଧିକ ପଜିଟିଭ୍‌ ସଙ୍ଗରୋଧ ବାହାରୁ ଚିହ୍ନଟ ହେଲେଣି। ଏହାମଧ୍ୟରେ କିଛି ଓଏସ୍‌ଆରଟିସି ବସ୍‌ ଡ୍ରାଇଭର ଓ ସ୍ବାସ୍ଥ୍ୟକର୍ମୀ ରହିଥିଲେ। ଏବେ କରୋନା ଜିଲ୍ଲା ପୁଲିସ ବିଭାଗକୁ ଡେଇଁଛି। ପୋଲସରା ଥାନାର ଦୁଇଜଣ ଗୃହରକ୍ଷୀ କରୋନାରେ ଆକ୍ରାନ୍ତ ହୋଇଥିବା ଗଞ୍ଜାମ ପୁଲିସ ଏସ୍‌ପି ବ୍ରିଜେଶ କୁମାର ରାୟ ସୂଚନା ଦେଇଛନ୍ତି। ସେମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

 

ଏହି ଦୁଇ ଆକ୍ରାନ୍ତଙ୍କ ଘର ପୋଲସରା ସହରରେ ହୋଇଥିବା ସେମାନେ ପାରଳା ମହାରାଜା ଇଂଜିନିୟରିଂ କଲେଜ କୋଭିଡ଼୍‌ କେୟାର ସେଣ୍ଟର ଓ ‌ଶୀତଳାପଲ୍ଲୀ କୋଭିଡ୍‌ ହସ୍‌ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏହି ଆକ୍ରାନ୍ତ ଦ୍ବୟ ଜଗନ୍ନାଥପୁର ରେଳ ଷ୍ଟେସନ ଓ  ସଙ୍ଗରୋଧ କେନ୍ଦ୍ରରେ ଡ୍ୟୁଟି ବେଳେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ପୋଲସରା ଥାନାକୁ ସାନିଟାଇଜ୍‌ କରା ଯାଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଗଂଜାମ ଜିଲ୍ଲାରେ ୩୭୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୮୩ ଜଣ ସୁସ୍ଥ ହୋଇଛନ୍ତି।

ସମ୍ବନ୍ଧିତ ଖବର