ପଞ୍ଚମୁଖୀ ହୋଟେଲ ରୋଷେୟାକୁ ହତ୍ୟା, ଦୁଇ ‌ହୋଟେଲ କର୍ମଚାରୀ ଗିରଫ

ସମ୍ବଲପୁର : ସାମାନ୍ୟ କଥାକୁ ନେଇ ବୁର୍ଲା ହୀରାକୁଦ ଷ୍ଟେସନ୍‌ ପାଖ ପଞ୍ଚମୁଖୀ ହୋଟେଲର ରୋଷେୟା ଶରତ ଜେନା(୫୦)ଙ୍କୁ ହତ୍ୟା କରାଯାଇଛି। ହତ୍ୟା ମାମଲାରେ ହୋଟେଲର ୨ ଜଣ କର୍ମଚାରୀ ଚନ୍ଦ୍ରମଣି ବାଦୀ(୫୦) ଓ ମୁନା ନନ୍ଦଙ୍କୁ ଗିରଫ କରିଛି।

ପୁଲିସ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ, ପଞ୍ଚମୁଖୀ ହୋଟେଲ ମାଲିକ ମୁନା ବେହେରା ଅସୁସ୍ଥ ଥିବାରୁ ସେ ହୋଟେଲ୍‌ର ଦାୟିତ୍ବ ଚନ୍ଦ୍ରମଣି ବାଦୀକୁ ଦେଇଥିଲେ। ଏହାକୁ ନେଇ ଉକ୍ତ ହୋଟେଲ୍‌ରେ ୩ ବର୍ଷ ହେବ ରୋଷେୟା ଭାବେ କାମ କରୁଥିବା ବୁର୍ଲା ବୋର୍ଡ କଲୋନିର ଶରତ ଜେନା(୫୦) ଅସନ୍ତୁଷ୍ଟ ଥିଲେ। ଚନ୍ଦ୍ରମଣି ବାଦୀ ହୋଟେଲ୍‌ରେ ବାସନ ମାଜନ୍ତି ଓ ମୁନା ନନ୍ଦ ଅର୍ଡର ନେଇ ଲୋକଙ୍କୁ ଖାଇବା ଦିଅନ୍ତି। ଚନ୍ଦ୍ରମଣିଙ୍କୁ କାହିଁକି ହୋଟେଲ୍‌ ଦାୟିତ୍ବ ଦିଆଗଲା, ସେ ନେଇ ଶରତ ପ୍ରଶ୍ନ ଉଠାଇବା ସହ ମାଲିକକୁ ଏନେଇ କହିବି ବୋଲି କହିଥିଲେ। ଏହାକୁ ନେଇ ‌ସେମାନଙ୍କ ମଧ୍ୟରେ ବୁଧବାର ରାତିରେ ଝଗଡ଼ା ହୋଇଥିଲା। ଏଥିରେ ଚନ୍ଦ୍ରମଣି ଓ ମୁନା ନନ୍ଦ ରାଗିଯାଇ ବାଡ଼ି ଓ ଟାଙ୍ଗିଆ ବେଣ୍ଟରେ ପିଟି ପିଟି ଶରତଙ୍କୁ ହତ୍ୟା କରିଥିଲେ। ହତ୍ୟା କରିବା ପରେ ଶରତଙ୍କୁ ଉଭୟେ ହୋଟେଲ ଭିତରୁ ଘୋଷାଡ଼ି ଘୋଷାଡ଼ି ବାହାରକୁ ଆଣିଥିଲେ। ପରିଚୟ ଲୁଚାଇବାକୁ ପ୍ରୟାସ କରି ତାକୁ ପ୍ରଥମେ କାଦୁଅ ବୋଳି ଥିଲେ। ମୁହଁରୁ ଜଣା ପଡ଼ିଯାଇ ପାରେ ବୋଲି ଭାବି ଉଭୟେ ଖବର କାଗଜ ରଖି ତାର ମୁହଁକୁ ପୋଡ଼ିବାକୁ ପ୍ରୟାସ କରିଥିବା ପୁଲିସ କହିଛି।

ହୋଟେଲ୍‌ ମାଲିକ ମୁନା ବେହେରାଙ୍କ ଭାଇ ଗରୁଡ଼େଶ୍ବର ବେହେରାଙ୍କ କହିବା ଅନୁଯାୟୀ, ବୁଧବାର ସନ୍ଧ୍ୟାରେ ସେ ୩ ଜଣଙ୍କୁ ଖାଦ୍ୟ ତିଆରି ପାଇଁ ଜିନିଷ ଦେଇ ଘରକୁ ଯାଇଥିଲେ। ଗୁରୁବାର ସକାଳେ ଆସି ଦେଖିବା ବେଳକୁ ଢାବା ସାମ୍ନାରେ ଶରତଙ୍କ ମୃତଦେହ ପଡ଼ିଥିଲା। ବୁର୍ଲା ଥାନା ପୁଲିସ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରି ଉଭୟଙ୍କୁ ଗିରଫ କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର