ହରଭଙ୍ଗା/ ପୁରୁଣାକଟକ : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଲୁଣିବାହଲ ପାଞ୍ଚିୟତ ଅନ୍ତର୍ଗତ କଣ୍ଟିଆପଦର ଗ୍ରାମରେ ଅଗ୍ନିକାଣ୍ଡ ଘଟି ଅନନ୍ତ ଭୋକ୍ତା ଏବଂ ସନନ୍ତ ଭୋକ୍ତାଙ୍କ ୨ବଖରା ଘର ସମ୍ପୂର୍ଣ୍ଣ ପୋଡ଼ି ନଷ୍ଟ ହୋଇଯାଇଛି। ଖବର ପାଇ ହରଭଙ୍ଗା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।
ସୂଚନା ଅନୁସାରେ, ସକାଳ ପ୍ରାୟ ୯.୩୦ ସମୟରେ ଘରେ ବାରିପଟେ ଥିବା ନଡ଼ାଗଦାରେ ହଠାତ ନିଆଁ ଲାଗି ଯାଇଥିଲା। ସେଠାରୁ ନିଆଁ ବ୍ୟାପି ଅନନ୍ତ ଓ ସନନ୍ତ ଦୁଇ ଭାଇଙ୍କ ଘରେ ନିଆଁ ଲାଗିଥିଲା। ଫଳରେ ଘରେ ଥିବା ଧାନ, ଚାଉଳ, ଲୁଗାପଟା ଅସବାବପତ୍ର ଆଦି ପୋଡ଼ି ଯାଇଥିଲା। ଉଭୟ ପରିବାର ସଦସ୍ୟମାନେ ଏବେ ବାସହରା ହୋଇ ଅନ୍ୟର ପିଣ୍ଡାରେ ଆଶ୍ରୟ ନେଇଛନ୍ତି। ଅଗ୍ନିଶମ ବାହିନୀ ଓ ଗ୍ରାମବାସୀମାନେ ମିଳିତ ଉଦ୍ୟମରେ ନିଆଁକୁ ଆୟତ୍ତ କରିଥିଲେ। ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ସେମାନଙ୍କୁ ସ୍ଥାନୀୟ ପଞ୍ଚାୟତ କିମ୍ବା ପ୍ରଶାସନ ପକ୍ଷରୁ କୌଣସି ସହାୟତା ମିଳିନଥିବା ଜଣାଯାଇଛି। କରୋନା ଆପଦା ସହ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଅଗ୍ନି ବିପନ୍ନ ପରିବାରଙ୍କୁ ତୁରନ୍ତ ସହାୟତା ପ୍ରଦାନ କରାଯିବାକୁ ଗ୍ରାମବାସୀ ଦାବି କରିଛନ୍ତି।