ଟାଙ୍ଗୀ : ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗ କର୍ମଚାରୀଙ୍କୁ ଆଜି ଆଉ ଏକ ବଡ଼ ସଫଳତା ମିଳିଛି। ୭ ମୃତ ବିଦେଶାଗତ ପକ୍ଷୀ ସହ ଜଣେ ଶିକାରୀ ଗିରଫ ହେବାର ୨୪ ଘଣ୍ଟା ନପୂରୁଣୁ ଏକ ପକ୍ଷୀଧରା ରାକେଟ୍ ଧରାପଡ଼ିଛି। ଏହି ରାକେଟ୍ର ଦୁଇ ପେଷାଦାର ଶିକାରୀଙ୍କୁ ଗିରଫ କରାଯାଇଛି। ସେମାନଙ୍କଠାରୁ ଗୋଟିଏ ଦେଶୀ ବନ୍ଧୁକ, ୨ଶହ ଅଫୁଟା ଗୁଳି ଓ ଏକ ଦେଶୀ ଡଙ୍ଗା ସହ ପକ୍ଷୀ ଶିକାରରେ ବ୍ୟବହୃତ ବିଭିନ୍ନ ସାମଗ୍ରୀ ଜବତ ହୋଇଛି।
ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗ ରେଞ୍ଜର ଚୂଡାରାଣୀ ମୂର୍ମୁଙ୍କଠାରୁ ମିଳିଥିବା ସୂଚନା ଅନୁସାରେ ମଙ୍ଗଳାଯୋଡ଼ି କାଉଖିଆ ଖମ୍ବ ନିକଟରେ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ସୋମବାର ଦିନ ପାଟ୍ରୋଲିଂ ଚାଲିଥିବା ବେଳେ ସୋରଣ ଗ୍ରାମର ଦୁଇଜଣ ପେଷାଦାର ଶିକାରୀ ଓକିଲ ଖାଁ ଓ ଶେଖ୍ ଅନଓ୍ବାର ଧରା ପଡ଼ିଥିଲେ। ସେମାନଙ୍କଠାରୁ ୩ଟି ମୃତ ପରପଲ୍ ମୁରହେନ୍, ୪ ଜୀବିତ ଲାର୍ଜ ହୁଇସଲିଂ ଟିଲ୍, ଗୋଟିଏ ଜୀବିତ ଲିଟଲ୍ ଇଗନେଟ୍ ଓ ଗୋଟିଏ ଜୀବିତ ଓ୍ବାଟର୍ କୁକ୍କୁ ଉଦ୍ଧାର କରାଯାଇଥିଲା। ଦୁଇ ଶିକାରୀଙ୍କଠାରୁ ମଧ୍ୟ ଶହେ ଗ୍ରାମ୍ ଗୁଳି ତିଆରି ପାଉଡ଼ର, ଗ୍ରାମ୍ ଗନ ପାଉଡ଼ର, ଗୋଟିଏ ଛୁରି, ବ୍ୟାଗ୍ ଓ ଏକ ମୋବାଇଲ୍ ଫୋନ୍ ମଧ୍ୟ ଜବତ କରାଯାଇଛି।
ଏହି ଚଢ଼ଉରେ ବନ୍ୟପ୍ରାଣୀ ବିଭାଗ ଫରେଷ୍ଟର୍ ତ୍ରିନାଥ ବାରିକ, ଫରେଷ୍ଟ୍ ଗାର୍ଡ ଲିପିନା ପାଇକରାୟ, ଓ୍ବାଚର ସୁକାନ୍ତ ସ୍ବାଇଁ ପ୍ରମଖ ସାମିଲ ଥିଲେ। ଏହି ଦୁଇ ପେଷାଦାର ଶିକାରୀ ଗୁଳି ମାରି ବିଦେଶାଗତ ପକ୍ଷୀ ଶିକାର କରିବା ପରେ କଟା ମାଂସକୁ ବିଭିନ୍ନ ଅଞ୍ଚଳକୁ ଚାଲାଣ କରି ବେଶ୍ ଲାଭବାନ ହେଉଥିଲେ। ଅନେକ ସମୟରେ ଗୁଳି ନଫୁଟାଇ କଇଁ ନାଡ଼ରେ ଫୁରାଡନ୍ ବିଷ ରଖି ସେମାନେ ପକ୍ଷୀ ଶିକାର କରୁଥିଲେ। ଉଭୟ ଶିକାରୀଙ୍କୁ ସୋମବାର ଦିିନ କୋର୍ଟ ଚାଲାଣ କରାଯାଇଛି।