ବାରିପଦା/କୁଆମରା : ଜିଲ୍ଲା ପୁଲିସର ‘ଶିକାରୀମୁକ୍ତ ଶିମିଳିପାଳ ଅଭିଯାନକୁ ମିଳିଛି ଆଉ ଏକ ସଫଳତା। ଗତକାଲି ଖୁଣ୍ଟା ଥାନା କୁଆମରା, ସାଇଁକୁଳା ଓ ହାଟନୂଆଗାଁ ଅଞ୍ଚଳରେ ଚଢ଼ଉ କରି ୫ଟି ବନ୍ଧୁକ, ନଗଦ ୩ ଲକ୍ଷ ଟଙ୍କା ଓ ୨ଟି ମୋବାଇଲ୍‌ ଜବତ କରିଛି। ସାଇଁକୁଳା ଗ୍ରାମର ଶାନ୍ତନୁ ସାହୁ (୫୨) ଓ ଅଶ୍ବିନୀ କୁମାର ଦେ (୫୦)ଙ୍କୁ ଗିରଫ କରାଯାଇଛି। ସେମାନଙ୍କ ପାଖରୁ ଜବତ ବନ୍ଧୁକ ମଧ୍ୟରେ ରହିଛି ୨ଟି ଦେଶୀ, ୨ଟି ଏୟାର ଗନ୍ ଓ ଗୋଟିଏ ଛୋଟ ବନ୍ଧୁକ। ଭାରତୀୟ ଅସ୍ତ୍ରଶସ୍ତ୍ର ନିରୋଧ ଆଇନ ଅନୁଯାୟୀ ୧୯୫/୨୦୨୩ରେ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି ପୁଲିସ।

Advertisment

ଗିରଫ ଦୁଇ ଅଭିଯୁକ୍ତଙ୍କ ନାଁରେ ପୂର୍ବରୁ ହାତୀଦାନ୍ତ ତସ୍କରି ନେଇ ବାଲେଶ୍ବର ଜିଲ୍ଲା ନୀଳଗିରି ଥାନାରେ ମାମଲା ରହିଥିବା ବେଳେ ବାରିପଦା ଭଞ୍ଜପୁର ଥାନାରେ ମଧ୍ୟ ବିଭିନ୍ନ ଦଫାରେ ମାମଲା ରହିଥିବା ମୟୂରଭଞ୍ଜ ଏସ୍‌ପି ବାତୁଳ ଗଙ୍ଗାଧର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।