ଜନ୍ମରୁ ଶଯ୍ୟାଶାୟୀ ମାନିନୀ, କାମିନୀ

ମୁଣ୍ଡ ଉଠାଇ ପାରୁ ନାହାନ୍ତି, ଚାଲି ପାରୁ ନାହାନ୍ତି

ଭଂଜନଗର (ସୁରେଶ କୁମାର ନାଇଡୁ): ଖେଳିବା ବୁଲିବା ବୟସରେ ଦୁଇ ଭଉଣୀଙ୍କ ଜୀବନ ପାଲଟିଛି ଅଭିଶପ୍ତ। ଜନ୍ମରୁ ହିଁ ଶେଯରେ ବିତୁଛି ଜୀବନ। ଉଠି ପାରୁ ନାହାନ୍ତି କି ବସି ପାରୁ ନାହାନ୍ତି। ୨୪ ଘଣ୍ଟା ସେମାନଙ୍କ ମା’ଙ୍କ ନଜର। ବାପା କେରଳରେ ଦାଦନ ଖଟୁଛନ୍ତି। ଖାଇବା ପିଇବାଠୁ ଆରମ୍ଭ କରି ସମସ୍ତ ଆନୁଷଙ୍ଗିକ କାମ ଶେଯ ଉପରେ। ଡାକ୍ତର ରୋଗ ବି ଚିହ୍ନି ପାରୁ ନାହାନ୍ତି। ଗରିବ ଦାଦନ ପରିବାର ହୋଇଥିବାରୁ ଚିକିତ୍ସା ପାଇଁ ପଇସା ନାହିଁ। ଇଏ ହେଉଛି, ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ଗେଞ୍ଜା ପଞ୍ଚାୟତ ଆଦିବାସୀ ବହୁଳ ବନ୍ଧାଗୋଚ୍ଛା ଗ୍ରାମର ତିନି ବର୍ଷର ଝିଅ ମାନିନୀ ଓ ତାର ଦୁଇ ବର୍ଷର ସାନ ଭଉଣୀ କାମିନୀଙ୍କ ଦୁଃଖ କାହାଣୀ। ଜନ୍ମରୁ ଦୁଇ ଭଉଣୀଙ୍କ ଏଭଳି ଅବସ୍ଥାରେ ପଡ଼ିଛନ୍ତି। ପରିବାର ଲୋକେ ସହାୟତା ପାଇଁ ସରକାରୀ ବାବୁଙ୍କ ପାଖକୁ ଦୌଡ଼ୁଛନ୍ତି। ହେଲେ କୌଣସି ସୁଫଳ ମିଳୁନି। ସେପଟେ ସରକାରୀ ସହାୟତା ମିଳିଲେ ଦୁଇ ଝିଅ ଅନ୍ୟ ମାନଙ୍କ ଭଳି ଖେଳାବୁଲା କରି ପାରିବେ ବୋଲି ମା’ ଝୁମୁରୀ ଆଶା ବାନ୍ଧିଛନ୍ତି। ଏଥିପାଇଁ ସେ ଭଂଜନଗର ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି।

ବନ୍ଧାଗୋଛା ଗ୍ରାମର ମେଘ ନାଇକ ଓ ଝୁମୁରୀ ନାୟକ। ମେଘ ବର୍ତମାନ କେରଳରେ ଦାଦନ ଶ୍ରମିକ ଭାବେ କାମ କରୁଛନ୍ତି। ଚାରିବର୍ଷ ତଳେ ସେମାନଙ୍କ ପ୍ରଥମ କନ୍ୟାସନ୍ତାନ ମାନିନୀ ଜନ୍ମ ହୋଇଥିଲା। ହେଲେ ଶରୀର ସ୍ୱାଭାବିକ ଭାବେ ବଢିଥିଲେ ବି ମୁଣ୍ଡ ଉଠାଇ ପାରି ନଥିଲା। ଶେଯରେ ଶୋଇ ରହୁଥିଲା। ଏହାପରେ ଦ୍ୱିତୀୟ କନ୍ୟାସନ୍ତାନ କାମିନୀ ବି ସମଦଶା ଭୋଗିଥିଲା। ଦୁଇ ଶିଶୁକନ୍ୟାଙ୍କୁ ବାପା ମେଘ ଭଂଜନଗର ଉପଖଣ୍ଡ ଡାକ୍ତରଖାନାକୁ ଆଣିଥିଲେ। ଏହା ପରେ ବ୍ରହ୍ମପୁର ସିଟି ହସ୍ପିଟାଲରେ ଉଭୟଙ୍କ ଚିକିତ୍ସା କରା ଯାଇଥିଲା। ସମସ୍ତ ପରୀକ୍ଷା ନିରୀକ୍ଷା କରା ଯାଇଥିଲେ ବି କୌଣସି ସୁଫଳ ମିଳି ନଥିଲା। ଡାକ୍ତର ରୋଗ ବିଷୟରେ କିଛି ସ୍ପଷ୍ଟ କରିପାରି ନଥିଲେ। ଉଚ୍ଚ ମାନର ଚିକିତ୍ସା ଆବଶ୍ୟକ ଥିବାରୁ ଅନ୍ୟ କୌଣସି ବଡ଼ ଡାକ୍ତରଖାନାରେ ଦେଖାଇବାକୁ ପରାମର୍ଶ ଦେଇଥିଲେ। କିନ୍ତୁ ଅର୍ଥାଭାବରୁ ମେଘ ଓ ଝୁମୁରୀଙ୍କ ଚିନ୍ତା ବଢିବାରେ ଲାଗିଛି। ବଡ଼ ଡାକ୍ତରଖାନାରେ ଦେଖାଇବାକୁ ସେମାନଙ୍କ ପାଖରେ ସମ୍ବଳ ନାହିଁ। ମେଘ କେରଳରେ ଦାଦନ ଖଟି ଯାହା କିଛି ଅର୍ଥ ପଠାଉଛନ୍ତି ସେଥିରେ ପରିବାର ଚାଲୁଛି। ସେପଟେ ମା’ ଝୁମୁରୀ ଦୁଇ ଝିଅକୁ ଦିନ ରାତି ଏକ କରି ଜଗି ରହୁଛନ୍ତି। ମନରେ କେବଳ ଗୋଟିଏ ଚିନ୍ତା, କେବେ ମାନିନୀ ଓ କାମିନୀ ଶେଯରୁ ଉଠି ଅନ୍ୟ ପିଲାଙ୍କ ଭଳି ଖେଳିବୁଲି ପାଠ ପଢ଼ିବେ। ପାଖରେ ସ୍ୱାସ୍ଥ୍ୟକାର୍ଡ଼ ମଧ୍ୟ ନାହିଁ। ବେଳେ ବେଳେ ଝୁମୁରୀ ମଜୁରୀ ଖଟିବାକୁ ଯାଉଛନ୍ତି। କନ୍ଧମାଳ ଜିଲ୍ଲା ଜଗା ବଳିଆଙ୍କ ଭଳି ତାଙ୍କ ପିଲାଙ୍କୁ ବି ସରକାରୀ ସହାୟତା ମିଳିଲେ ସରକାରଙ୍କ ପାଖରେ ଚିର ଉପକୃତ ହୁଅନ୍ତେ, ଦୁଇ ଝିଅଙ୍କୁ ସରକାର ବଞ୍ଚାଇ ଦିଅନ୍ତୁ ବୋଲି କୋହଭରା କଣ୍ଠରେ ଝୁମୁରୀ କହନ୍ତି।

ସମ୍ବନ୍ଧିତ ଖବର