ବେଙ୍ଗପୁରରୁ ୨ ସଂକ୍ରମିତ ଚିହ୍ନଟ, ଗାଁରେ ପୂରାଇ ଦେଲେନି

ବାଲିକୁଦା : ବଡ଼ଚଣା ବ୍ଲକ୍‌ ରଇପୁର ପଞ୍ଚାୟତ ଅନ୍ତର୍ଗତ ବେଙ୍ଗପୁର ଗ୍ରାମରୁ ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୪/୫ ଦିନ ହେଲା ଜ୍ବରରେ ଆକ୍ରାନ୍ତ ଏହି ଦୁଇଜଣ ମା’ ପୁଅ। ଆଜି ବଡ଼ଚଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପରୀକ୍ଷା କରିବା ପରେ ସେମାନେ କରୋନା ସଂକ୍ରମିତ ବୋଲି ଜଣାପଡ଼ିଥିଲା। ସେମାନଙ୍କୁ ଗୃହ ସଙ୍ଗରୋଧରେ ରହିବାକୁ ପରାମର୍ଶ ଦିଆଯାଇଥିଲା। ହେଲେ କେତେକ ଗ୍ରାମବାସୀ ସେମାନଙ୍କୁ ଗାଁରେ ପ୍ରବେଶ କରିବାକୁ ବାରଣ କରିଥିଲେ। ଫଳରେ ଗୋପାଳପୁର କ୍ଷେତ୍ରୀୟ ଚିକିତ୍ସାଳୟର ଡାକ୍ତର ସେମାନଙ୍କୁ ଯାଜପୁର କୋଭିଡ ସେଣ୍ଟରକୁ ପଠାଇଥିଲେ।

ମହିଳା ଜଣଙ୍କ ଗୁରୁତର ଶ୍ବାସରୋଗୀ। ତାଙ୍କୁ ଗୃହ ସଙ୍ଗରୋଧରେ ରହିବାକୁ ପରାମର୍ଶ ଦିଆଯିବାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟିହୋଇଛି। ଅନ୍ୟପକ୍ଷରେ ବେଙ୍ଗପୁର ଗ୍ରାମରେ ଏବେ ବି ବହୁ ପରିବାର ଜ୍ବରରେ ଆକ୍ରାନ୍ତ ହୋଇ ଘରେ ଅଛନ୍ତି। ତାର ହିସାବ ପ୍ରଶାସନ ପାଖରେ ନାହିଁ। କିଛି ଅମାନିଆ ପ୍ରବାସୀ ସଙ୍ଗରୋଧ କେନ୍ଦ୍ରରେ ନରହି ଗାଁରେ ରହୁଥିବା ଅଭିଯୋଗ ହୋଇଛି। ସେମାନେ ଘରେ ରହିବା ଖବର କାହାରି ପାଖରେ ପହଞ୍ଚି ପାରିଲାନାହିଁ। ଫଳରେ ସେମାନଙ୍କୁ ସଙ୍ଗରୋଧ କେନ୍ଦ୍ରକୁ ନିଆଯାଇନାହିଁ। ଗତକାଲି ପ୍ରଶାସନର ବିଫଳତାକୁ ନେଇ ଏକ ତଥ୍ୟଭିତ୍ତିକ ଖବର ସମ୍ବାଦରେ ପ୍ରକାଶ ପାଇଥିଲା। ଆଜି ତାହା ସତ୍ୟରେ ପରିଣତ ହେଲା। ସଂକ୍ରମିତ ଚିହ୍ନଟ ମା’ପୁଅଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କ କରୋନା ପରୀକ୍ଷା କରିବା ପାଇଁ ଦାବି ହେଉଛି।

ସମ୍ବନ୍ଧିତ ଖବର