ଆନନ୍ଦପୁର: ଶିମିଳିପାଳ ଅଭୟାରଣ୍ୟରେ ନିଆଁ ଲାଗିବା ପରେ ଗାଁମୁହାଁ ହୋଇଛନ୍ତି ବନ୍ୟ ପ୍ରାଣୀ। କିଛି ବନ୍ୟପ୍ରାଣୀଙ୍କ ପ୍ରାଦୁର୍ଭାବ ଦେଖିବାକୁ ମିଳିଛି ଆନନ୍ଦପୁର ଅଞ୍ଚଳରେ। ଦୁଇଟି ଜଙ୍ଗଲି ଗୟଳ ଆନନ୍ଦପୁର ଅଞ୍ଚଳରେ ପଶି ଆସିଛନ୍ତି। ଏବେ ଆନନ୍ଦପୁର ବ୍ଲକ ବାଉଁଶଗଡ଼ ପଦ୍ମପୁର ଦେଇ ଦୁଇଟି ଜଙ୍ଗଲି ଗୟଳ ଆସିଥିବା ଜଣାଯାଇଛି। ଉଭୟଙ୍କ ଆକ୍ରମଣରେ ଦୁଇଜଣ ଗୁରୁତର ହୋଇଛନ୍ତି। ଆହତମାନେ ହେଲେ ନୂଆ ପଦ୍ମପୁରର ଚାଷୀ ଧର ବେହେରା(୬୮) ଓ ପୁରୁଣା ପଦ୍ମପୁରର ତ୍ରିଲୋଚନ ସାହୁ(୬୫)।
ଏବେ ବୈତରଣୀ ନଦୀ ମଝିରେ ଥିବା ଟାପୁରେ ଦୁଇ ଗୟଳଙ୍କୁ ନିୟନ୍ତ୍ରଣ କରିବାକୁ ଯାଇଥିବା ଆନନ୍ଦପୁର ବନ ବିଭାଗ ଓ ଅଗ୍ନିଶମ ବାହିନୀ ନୟାନ୍ତ ହୋଇଥିବାର ସୂଚନା ମିଳିଛି।
ସୂଚନାଯୋଗ୍ୟ, ମୟୁରଭଞ୍ଜ ଜିଲା ମହୁଲଡିହା ଥାନା ଗୌଡିଆବାହାଳିର ଦମ୍ପତି ଗୋପୀନାଥ ମହାନ୍ତ ଓ ବୀଣାପାଣି ଆଜି ସକାଳୁ ମହୁଲ ଗୋଟାଇବାକୁ ନିଜ ଗାଁ ନିକଟରେ ଥିବା ଜଙ୍ଗଲକୁ ବାହାରିଥିଲେ। ଏହି ସମୟରେ ବାଟରେ ଦୁହେଁ ଭାଲୁ ହାବୁଡ଼ରେ ପଡ଼ିଥିଲେ। ଭାଲୁଟି ପ୍ରଥମେ ସ୍ତ୍ରୀ ବୀଣାପାଣିଙ୍କୁ ଆକ୍ରମଣ କରିଥିଲା। ସ୍ବାମୀ ଗୋପୀନାଥ ତାଙ୍କୁ ଉଦ୍ଧାର କରିବାକୁ ଯାଇ ଭାଲୁ ଆକ୍ରମଣର ଶିକାର ହୋଇଥିଲେ। ସ୍ଥାନୀୟ ଲୋକେ ଉଭୟଙ୍କୁ ଭାଲୁ କବଳରୁ ଉଦ୍ଧାର କରି ଆମ୍ବୁଲାନ୍ସ ଜରିଆରେ ଡାକ୍ତରଖାନା ପଠାଇଥିଲେ। ବୀଣାପାଣିଙ୍କ ମୁଣ୍ଡ ଓ ଆଖିରେ ଗଭୀର ଆଘାତ ଲାଗିଥିଲା। ଗୋପୀନାଥ ମଧ୍ୟ ଆହତ ହୋଇଥିଲେ।