ଭାଲୁ ସହ ଘଣ୍ଟାଏ ଲଢ଼ିଲେ ବୃଦ୍ଧ

ଆହତ ଅବସ୍ଥାରେ ହସ୍‌ପିଟାଲ୍‌ରେ ଭର୍ତ୍ତି, ଉଦ୍ଧାର କରିବାକୁ ଯାଇ ଯୁବକ ବି ଗୁରୁତର

କଳାବାଡ଼ିଆ : ଭାଲୁସହ ପ୍ରାୟ ଘଣ୍ଟାଏ କାଳ ଅଦମ୍ୟ ସାହସ ଦେଖାଇ ଲଢ଼ିଲେ ଜଣେ ୬୦ ବର୍ଷୀୟ ବୃଦ୍ଧ। ଭାଲୁ ଆକ୍ରମଣରେ ଗୁରୁତର ଆହତ ହୋଇଥିଲେ ବି ଶେଷ ଯାଏ ହାର୍‌ ମାନିନଥିଲେ। ତାଙ୍କ ଚିତ୍କାର ଶୁଣି ଉଦ୍ଧାର କରିବାକୁ ଯାଇଥିବା ଜଣେ ଯୁବକ ମଧ୍ୟ ଭାଲୁ ଆକ୍ରମଣରେ ଗୁରୁତର ହୋଇଛନ୍ତି। ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ରେଞ୍ଜ ଶିମିଳିପାଳ ପାଦଦେଶର ଶୋରିଷପାଳ ପଞ୍ଚାୟତ ଘଟିଡୁବା ଅଞ୍ଚଳରେ।

ଘଟିଡୁବା ଗ୍ରାମର ଜିତରାୟ ହାଁସଦା(୬୦) ନିକଟସ୍ଥ ଜଙ୍ଗଲକୁ ଗାଈ ଓ ଛେଳି ଚରାଇବାକୁ ଯାଇଥିଲେ। ଏହି ସମୟରେ ଏକ ଭାଲୁ ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲା। ପ୍ରାୟ ଘଣ୍ଟାଏ ଯାଏ ଭାଲୁ ସହିତ ଲଢ଼ି ନିଜ ଜୀବନ ବଞ୍ଚାଇଥିଲେ ଜିତରାୟ। ଭାଲୁ ଆକ୍ରମଣରେ ସେ ଗୁରୁତର ହୋଇପଡ଼ିଥିଲେ। ତାଙ୍କ ଚିତ୍କାର ଶୁଣି ସ୍ଥାନୀୟ ଅଞ୍ଚଳର ଶଙ୍କର ମାରାଣ୍ଡି (୩୦) ପହଞ୍ଚିବା ସହ ଜିତରାୟଙ୍କୁ ଉଦ୍ଧାର କରିବାକୁ ଯାଇ ସେ ବି ଭାଲୁ ଆକ୍ରମଣର ଶିକାର ହୋଇଥିଲେ। ପରେ ଭାଲୁଟି ଜଙ୍ଗଲକୁ ପଳାଇଥିଲା। ଗ୍ରାମବାସୀ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ବାଙ୍ଗିରିପୋଷି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସ୍ଥିତି ସଙ୍କଟାପନ୍ନ ହେବାରୁ ଉଭୟଙ୍କୁ ଗୁରୁତର ଅବସ୍ଥାରେ ବାରିପଦା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଖବର ପାଇ ବାଙ୍ଗିରିପୋଷି ବ୍ଲକ୍‌ର ପୂର୍ବତନ ଅଧ୍ୟକ୍ଷ ପ୍ରିୟ ମାରାଣ୍ଡି ପହଞ୍ଚି ଆତମାନଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିବା ସହିତ ୩ ହଜାର ଟଙ୍କା ସହାୟତା ପ୍ରଦାନ କରିଛନ୍ତି।

ସମ୍ବନ୍ଧିତ ଖବର