ନାକଟିଦେଉଳ : ସମ୍ବଲପୁର ଜିଲ୍ଳା ନାକଟିଦେଉଳ ବ୍ଲକ୍‌ ବାଟଗାଁ ପଞ୍ଚାୟତର ଗଦାଧରପୁର ଗାଁ’ରେ ଶନିବାର ସକାଳେ ଭାଲୁ ଆକ୍ରମଣରେ ଜଣେ ପୁରୁଷ ଓ ଜଣେ ମହିଳା ଗୁରୁତର ଭାବେ ଆହତ ହୋଇଛନ୍ତି। ବନ ବିଭାଗ ସୂଚନାନୁସାରେ ନାକଟିଦେଉଳ ରେଞ୍ଜ ଅଧୀନସ୍ଥ ଗଦାଧରପୁର ଗାଁ’ର ରବି ବେହେରା (୫୫) ଓ ସର ବେହେରା (୪୫) ଆଜି ସକାଳେ ଜମିକୁ ଚାଷ କରିବାକୁ ଯାଉଥିଲେ। ଏହି ସମୟରେ ଏକ ଭାଲୁ ସେମାନଙ୍କୁ ଅଚାନକ ଆକ୍ରମଣ କରିଥିଲା। ଫଳରେ ଉଭୟେ ଗୁରୁତର ଭାବେ ଆହତ ହୋଇଥିଲେ। ଗ୍ରାମବାସୀ ସେମାନଙ୍କୁ ଉଦ୍ଧାର କରି ସଙ୍ଗେ ସଙ୍ଗେ ନାକଟିଦେଉଳ ଡାକ୍ତରଖାନାକୁ ଆଣିଥିଲେ। ଏଠାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ଉଭୟଙ୍କୁ ବୁର୍ଲା ଡାକ୍ତରଖାନା ସ୍ଥାନାନ୍ତରିତ କରାଯାଇଛି।

Advertisment

ରବିଙ୍କ ଜଂଘରେ ଗଭୀର କ୍ଷତ ସୃଷ୍ଟି ହୋଇଥିବା ବେଳେ ସରଙ୍କ ହାତରେ ଆଘାତ ଲାଗିଛି। ବର୍ତମାନ ସେମାନଙ୍କ ଅବସ୍ଥା ଠିକ୍ ଥିବା ଜଣାପଡ଼ିଛି। ବନ ବିଭାଗ ପକ୍ଷରୁ ସେମାନଙ୍କୁ ଆବଶ୍ୟକ ସାହାଯ୍ୟ ଯୋଗାଇ ଦିଆଯିବ ବୋଲି ବାଟଗାଁ ଫରେଷ୍ଟର ଅନିଲ କିଷାନ ପ୍ରକାଶ କରିଛନ୍ତି। ସୂଚନା ଯୋଗ୍ୟ ଗତ ୧୬ ତାରିଖରେ ନାକଟିଦେଉଳ ରେଞ୍ଜ ଅଙ୍ଗାବିରା ଗ୍ରାମର ରାଜା ସ୍ବାଇଁ ଜଙ୍ଗଲକୁ ଯାଇଥିବା ବେଳେ ଭାଲୁ ଆକ୍ରମଣର ଶିକାର ହୋଇଥିଲେ। ନାକଟିଦେଉଳ ରେଞ୍ଜ୍‌ର ବାଟଗାଁ ଓ ଜାମୁଜୋରି ପଞ୍ଚାୟତରେ ଭାଲୁ ଓ ହାତୀ ଉପଦ୍ରବ ଯୋଗୁଁ ଲୋକେ ଅତିଷ୍ଠ ହୋଇ ପଡ଼ିଥିବା ବେଳେ ବହୁ ଲୋକଙ୍କ ଜୀବନ ମଧ୍ୟ ଯାଇଛି। ଜଙ୍ଗଲକୁ ନ ଯିବା ପାଇଁ ବନ ବିଭାଗ ବାରମ୍ବାର ସଚେତନ କରୁଥିଲେ ମଧ୍ୟ ଜନସାଧାରଣ ତାହା ମାନୁ ନଥିବାରୁ ହିଂସ୍ର ଜନ୍ତୁଙ୍କ ଆକ୍ରମଣର ଶିକାର ହେଉଥିବା କୁହାଯାଉଛି।