ଗାଁରେ ପଶି ପୁଣି ଉତ୍ପାତ କଲା ଭାଲୁ, ଆକ୍ରମଣରେ ଦୁଇ ଗୁରୁତର

ଦୁଇ ବାଇକ୍ ଭାଙ୍ଗିଲା, ଜାଲ ବିଛାଇ କାବୁ କଲା ବନ ବିଭାଗ

ଆନନ୍ଦପୁର ବନ୍ୟପ୍ରାଣୀ ବନଖଣ୍ତ ଅଧୀନ ବରାଙ୍ଗ ସଂରକ୍ଷିତ ଜଙ୍ଗଲ ନିକଟବର୍ତ୍ତୀ ଗାଁରେ ଗତ କିଛିଦିନ ହେଲା ହିଂସ୍ର ଭାଲୁ ଆତଙ୍କ ଖେଳାଇ ଆସିଛି। ଗତକାଲି ଦିନ ଦ୍ବିପ୍ରହରରେ ପୁରୁଣାବାନ୍ଧଗୋଡା ଗାଁ ଦାଣ୍ତରେ ଉତ୍ପାତ କରିବା ସହ ବନ ବିଭାଗ କର୍ମଚାରୀଙ୍କ ଏକ ବାଇକ୍‌କୁ କାମୁଡ଼ି ରାଗରେ ଜଙ୍ଗଲ ଭିତରକୁ ଟାଣି ନେଇଥିଲା। ବନ ବିଭାଗ କର୍ମଚାରୀ ବିଳମ୍ବିତ ରାତିଯାଏ ନିଆଁ ହୁଳା, ଲାଇଟ, ବାଣ ସହିତ ପୁରୁଣାବାନ୍ଧଗୋଡା ନଣ୍ତାବର ରାସ୍ତାକୁ ସିଲ କରିଦେଇଥିଲେ। ଏତେ ସ‌ତ୍ତ୍ବେ ବି ଅଧରାତିରେ ଗାଁ‌ରେ ପଶି ପୁଣି ଦୀର୍ଘସମୟ ଧରି ଉତ୍ପାତ କଲା ଭାଲୁ। ଭାଲୁକୁ ଘଉଡ଼ାଇବାକୁ ଯାଇ ଦୁଇଜଣ ଆକ୍ରମଣର ଶିକାର ହୋଇଛନ୍ତି। ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଉତ୍ତ୍ୟକ୍ତ ଭାଲୁଟି ଦୁଇ ଦୁଇଟି ବାଇକକୁ ଭାଙ୍ଗିବା ସହିତ କିଛି ବାସନକୁସନ ଭାଙ୍ଗିରୁଜି ଦେଇଛି। ଖବ ପାଇ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଜାଲ ବିଛାଇ ତାକୁ କାବୁ କରିଛନ୍ତି।

ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁଯାୟୀ ଅଧରାତିରେ ଭାଲୁଟି ଲମ୍ବୋଦର ପଟ୍ଟନାୟକଙ୍କ ଘର ଅଗଣା ଭିତରେ ପଶି ଯାଇଥିଲା। ଅଗଣାରେ ଥୁଆ ହୋଇଥିବା ତାଙ୍କ ପୁଅ ଅଙ୍କିତଙ୍କ ବାଇକକୁ କାମୁଡ଼ି ଭଙ୍ଗାରୁଜା କରିବା ସହିତ କିଛି ବାସନକୁସନକୁ କଚାଡ଼ି ଭାଙ୍ଗିଥିଲା। ଅଧରାତିରେ କଡମଡ ଶବ୍ଦ ଶୁଣି ଘର ଛାତଉପରୁ ଚଢି ଦେଖିଲା ବେଳକୁ ଭାଲୁଟି ବାଇକ୍‌ ଭାଙ୍ଗିବାରେ ବ୍ୟସ୍ତ ଥିଲା। ହୋହଲ୍ଲା କରିବାରୁ ଗାଁ ଲୋକ ଉଠି ଏକାଠି ହୋଇଥିଲେ। ନିଆଁ ହୁଳା ଦେଖାଇ ଭାଲୁଟିକୁ ଘଉଡ଼ାଇବାକୁ ଉଦ୍ୟମ କରୁଥିବା ସମୟରେ ଭାଲୁ ଉଗ୍ର ହୋଇ ଗୋଲଖ ବେହେରା(୬୨) ନାମକ ବ୍ୟକ୍ତିଙ୍କ ଉପରକୁ ଝାମ୍ପ ମାରିଥିଲା। ତାଙ୍କୁ ରକ୍ଷା କରିବାକୁ ଯାଇ ସୁଧାଂଶୁ ପଟ୍ଟନାୟକ (୪୦) ନାମକ ଯୁବକ ଭାଲୁ ହାବୁଡରେ ପଡ଼ିଯାଇଥିଲେ। ସେମାନକୁ ଭାଲୁ ଝୁଣି ଦେଇଥିଲା। ଉଭୟ ଗୁରୁତର ଆହାତଙ୍କୁ ଉଦ୍ଧାର କରାଯାଇ ସାଇଁକୁଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେପଟେ ଭାଲୁଟି ଲକ୍ଷ୍ମୀଧର ପଣ୍ତାଙ୍କ ବାଡ଼ିରେ ପଶି ଯାଇଥିଲା। ଭୋରରୁ ଖବର ପାଇ ଆନନ୍ଦପୁର ଡିଏଫ୍ଓ‌ ଅଜିତକୁମାର ଶତପଥୀଙ୍କ ନିର୍ଦ୍ଦେଶକ୍ରମେ ଏକ ସ୍ବତନ୍ତ୍ର ଉଦ୍ଧାରକାରୀ ଦଳ ଜାଲ ସହିତ ସାଜସରଞ୍ଜାମ ଧରି ପୁରୁଣାବାନ୍ଧଗୋଡ଼ାରେ ପହଞ୍ଚି ଥିଲେ। ପରେ ଗ୍ରାମବାସୀଙ୍କ ସହଯୋଗରେ ଭାଲୁଟିକୁ ଜାଲ ବିଛାଇ ଧରିବାକୁ ସକ୍ଷମ ହୋଇଥିଲେ। ଭାଲୁଟିକୁ ଏକ ସ୍ବତନ୍ତ୍ର ଗାଡ଼ିରେ ହଦଗଡ ରେଞ୍ଜ ପରିସରକୁ ନିଆଯାଇ ଆବଶ୍ୟକ ଚିକିତ୍ସା ପରେ ଜଙ୍ଗଲରେ ଛଡ଼ାଯିବ ବୋଲି ବନ ବିଭାଗ ସୂତ୍ରରୁ ପ୍ରକାଶ। ଭାଲୁର ଚିକିତ୍ସା କରୁଥିବା ଡାକ୍ତରୀ ଦଳଙ୍କ କହିବାନୁଯାଇ ଭାଲୁର ଶରୀରରେ ସେମିତି କିଛି କ୍ଷତ ନଥିଲେ ମଧ୍ୟ ସମ୍ଭବତ ମାଇ ଭାଲୁଟି ପ୍ରଜନନ କାରଣରୁ ଅତ୍ୟଧିକ ଉତକ୍ଷିପ୍ତ ହୋଇ ଏପରି ହିଂସ୍ର ଆଚରଣ କରିଥାଇପାରେ।

ଭାଲୁଟିକୁ କାବୁ କରାଯାଇଥିଲେ ମଧ୍ୟ ଗାଁରେ ଭୟର ବାତାବରଣ ରହିଛି। ଭାଲୁର ଏଭଳି ହରକତ ପାଇଁ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି। ଆହତଙ୍କ ଚିକିତ୍ସା ଖର୍ଚ୍ଚ ସହିତ ଭାଙ୍ଗିଥିବା ବାଇକର ମୂଲ୍ୟ ବନ ବିଭାଗ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି। ବନ୍ୟଜନ୍ତୁଙ୍କ କବଳରୁ ଗାଁକୁ ସୁରକ୍ଷା ଦେବା ସହିତ କେନ୍ଦୁଝର ଜିଲ୍ଲାରେ ଆନନ୍ଦପୁରର ବରାଙ୍ଗ ବନାଞ୍ଚଳକୁ ଏକ ହରିଣ କରିଡର ଭାବେ ଘୋଷଣା କରି ଏହାର ସୁରକ୍ଷା ଦିଗରେ ଅଧିକ ଯତ୍ନବାନ ହେବାକୁ ରାଜ୍ୟ ପରିବେଶ ଓ ଜଙ୍ଗଲ ବିଭାଗକୁ ଗ୍ରାମବାସୀଙ୍କ ତରଫରୁ ସ୍ଥାନୀୟ ସରପଞ୍ଚ ପ୍ରଦୀପକୁମାର ଧୀର, ପୂର୍ବତନ ବନ୍ୟପ୍ରାଣୀ ତତ୍ତ୍ବାବଧାରକ ନୃସିଂହ ଚରଣ ଧୀର, ଜିତେନ୍ଦ୍ର ପଟ୍ଟନାୟକ, ସନ୍ତୋଷ ଧୀର, ସୌମେନ୍ଦ୍ର ଧୀର, ଭୀମସେନ ମାଝୀ, ତାରିଣୀ ପଟ୍ଟନାୟକ, ଦେବବ୍ରତ ପଟ୍ଟନାୟକ, ପ୍ରଦୀପ୍ତ ପଟ୍ଟନାୟକ, ସୁଧାଂଶୁ ପଟ୍ଟନାୟକ, ସ୍ବରୂପ ମହାନ୍ତି ପ୍ରମୁଖ ଦୃଢ ଦାବି କରିଛନ୍ତି।

 

ସମ୍ବନ୍ଧିତ ଖବର