ରସୁଲପୁର : କୁଆଖିଆ ଥାନା ଅନ୍ତର୍ଗତ ଅତଲାପୁର ପଞ୍ଚାୟତରେ ଗତକାଲି ସନ୍ଧ୍ୟାରେ ଗଣ୍ଡଗୋଳ ଘଟି ୨ଜଣ ଆହତ ହୋଇଛନ୍ତି। ସୂଚନା ଅନୁସାରେ ଗତକାଲି ସନ୍ଧ୍ୟା ପ୍ରାୟ ୬.୩୦ ସମୟରେ ପୂର୍ବତନ ସରପଞ୍ଚ ପ୍ରଫୁଲ୍ଲ ସାହୁ ଓ ତାଙ୍କର କିଛି ସମର୍ଥକ ଏକ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରୁଥିଲେ। ଚିନ୍ତାମଣି ମନ୍ଦିର ନିକଟରେ ଶୋଭାଯାତ୍ରାରେ ବାଣ ଫୁଟାଯାଇଥିଲା। ବାଣ ବାକ୍ସରୁ ବାଣ ଫୁଟି ନିକଟରେ ଥିବା ଘର ଆଡ଼କୁ ଯାଉଥିବା ଦେଖି ନିକଟରେ ଥିବା ଜନୈକ ବ୍ୟକ୍ତି ଇମ୍ରାନ୍ ହୋସେନ ପାଟି କରିଥିଲେ। ଏଥିରେ ଉତ୍କ୍ଷିପ୍ତ ହୋଇ ଶୋଭାଯାତ୍ରାରେ ଯାଉଥିବା କିଛି ବ୍ୟକ୍ତି ଇମ୍ରାନ ହୋସେନଙ୍କୁ ଗାଳିଗୁଲଜ କରିବା ସହିତ ମାଡ଼ମାରିଥିବା ସେ କୁଆଖିଆ ଥାନାରେ ଅଭିଯୋଗ କରିଛନ୍ତି।
ଅନ୍ୟପକ୍ଷରେ ଏହାକୁ ନେଇ ଶୋଭାଯାତ୍ରା ମଧ୍ୟରେ ଦୁଇଗୋଷ୍ଠୀ ମଧ୍ୟରେ ଧସ୍ତାଧସ୍ତି ହୋଇଥିବା ଅପର ଗୋଷ୍ଠୀର ମଧ୍ୟ ଜଣେ ଆହତ ହୋଇଛନ୍ତି। ମାଡ଼ଖାଇ ଅଚେତ ହୋଇ ପଡ଼ିଯାଇଥିବା ଇମ୍ରାନ୍ଙ୍କୁ ତାଙ୍କ ପରିବାର ଲୋକେ ମଧୁବନ ଡାକ୍ତରଖାନାରେ ଚିକିତ୍ସା କରାଇଥିଲେ। ଏସଂପର୍କରେ ଇମ୍ରାନ କୁଆଖିଆ ଥାନାରେ ଅଭିଯୋଗ କରିଛନ୍ତି। ହେଲେ ପୁଲିସ କୌଣସି ପଦକ୍ଷେପ ନେଉନଥିବା ଇମ୍ରାନଙ୍କ ପରିବାର ଲୋକମାନେ ଅଭିଯୋଗ କରିଛନ୍ତି।
ଅନ୍ୟପକ୍ଷରୁ ଥାନାରେ କୌଣସି ଅଭିଯୋଗ ହୋଇନଥିବା ବେଳେ ଏହି ଘଟଣାରେ ପୁଲିସ କେସ୍ ନମ୍ବର ୧୩/୨୨ ରୁଜୁ କରି ଅଭିଯୁକ୍ତମାନଙ୍କୁ ଥାନାକୁ ଡକାଯାଇଛି ବୋଲି କୁଆଖିଆ ଥାନା ଅଧିକାରୀ ମନୋଜ କୁମାର ସ୍ବାଇଁ ସୂଚନା ଦେଇଛନ୍ତି। ଏହାକୁ ନେଇ ଗ୍ରାମରେ ଚାପା ଉତ୍ତେଜନା ଲାଗିରହିଛି।