ବ୍ରହ୍ମପୁର : ବ୍ରହ୍ମପୁର ବଡ଼ ବଜାର ଥାନା ଅନ୍ତର୍ଗତ ପ୍ରେମନଗର ହାଉସିଂବୋର୍ଡ଼ ଛକ ରାସ୍ତା ଆଜି ସନ୍ଧ୍ୟାରେ ରଣକ୍ଷେତ୍ର ପାଲଟିଥିଲା। ମହାନଗର ନିଗମର ସଫେଇ କର୍ମଚାରୀ ଦୁଇ ଗୋଷ୍ଠୀ ପରସ୍ପରକୁ ରକ୍ତାକ୍ତ ଆକ୍ରମଣ କରିଥିଲେ। ରାସ୍ତା ଉପରେ ଗୋଡ଼େଇ ଗୋଡ଼େଇ ରଡ଼୍‌ରେ ଆକ୍ରମଣ କରିଥିଲେ। ଏଥିରେ ଉଭୟ ଗୋଷ୍ଠୀର ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରି ଏମ୍‌କେସିଜି ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବଡ଼ ବଜାର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିବା ସହ ତଦନ୍ତ ଆରମ୍ଭ କରିଛି।

Advertisment

ସୂଚନା ଅନୁସାରେ, ବିଏମ୍‌ସିର ଦୁଇ ସଫେଇ କର୍ମଚାରୀ ଗୋଷ୍ଠୀ ମଧ୍ୟରେ ଅପରାହ୍‌ଣ ପ୍ରାୟ ୫ଟା ବେଳେ ସଫେଇ କାମକୁ ନେଇ ଉଭୟ ପକ୍ଷ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇ ଯାଇଥିଲା। ହାଉସିଂ ବୋର୍ଡ଼ ଛକରେ ଗୋଟିଏ ଗୋଷ୍ଠୀର ଯୁବକମାନେ ସୁପର୍‌ଭାଇଜର୍‌ ଭାବେ କାମ କରୁଥିବା ଗେଟ୍‌ ବଜାର ହରିଜନ ସାହିର ରଞ୍ଜିତ ନାୟକଙ୍କୁ ଆକ୍ରମଣ କରିଥିଲେ। ରଞ୍ଜିତଙ୍କ ସହଯୋଗୀମାନେ ମୁକାବିଲା କରିଥିଲେ। ବିପକ୍ଷ ଗୋଷ୍ଠୀ ଲୁହାଛଡ଼ ଧରି ରଞ୍ଜିତଙ୍କୁ ରାସ୍ତାରେ ଗୋଡ଼ାଇ ପିଟିଥିଲେ। ଫଳରେ ରଞ୍ଜିତ ଆହତ ଅବସ୍ଥାରେ ତଳେ ପଡ଼ି ଯାଇଥିଲେ। ସେଠାରେ ଉପସ୍ଥିତ ଥିବା ଜଗା ରାଓଙ୍କ ଉପରେ ମଧ୍ୟ ଆକ୍ରମଣ ହୋଇଥିଲା। ତାଙ୍କ ମୁହଁରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ଉଭୟଙ୍କୁ ଉଦ୍ଧାର କରି ଏମ୍‌କେସିଜି ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବଡ଼ ବଜାର ଥାନା ଅଧିକାରୀ ପ୍ରଶାନ୍ତ କୁମାର ଭୂପତି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଏହି ଘଟଣାରେ ପୁଲିସ ଦୁଇ ଜଣଙ୍କୁ ଥାନାରେ ଅଟକ ରଖି ଜେରା କରୁଥିବା ସୂଚନା ମିଳିଛି। ସଫେଇ କାମ ଓ ଉପସ୍ଥାନକୁ ନେଇ ପୂର୍ବରୁ ମଧ୍ୟ ସୁପର୍‌ଭାଇଜର୍‌ ରଞ୍ଜିତଙ୍କ ସହିତ ବିପକ୍ଷ ଗୋଷ୍ଠୀର ଗଣ୍ଡଗୋଳ ହୋଇଥିଲା।