ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୨ ଗୁରୁତର

ପୁଲିସ ଉପରେ ଆକ୍ରମଣ, ଗାଡ଼ି ଭଙ୍ଗାରୁଜା, ୨ବାଇକ୍‌ ପୋଡ଼ି

‌ବୈତରଣୀରୋଡ/ ପାଣିକୋଇଲି : ପାଣିକୋଇଲି ଥାନା ଅନ୍ତର୍ଗତ ଅମୃତିଆ ଗ୍ରାମରେ ଜମିବାଡ଼ିକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ଲାଗିଥିବା ବିବାଦ ଆଜି ସଂଘର୍ଷର ରୂପ ନେଇଛି। ଏହି ଘଟଣାରେ ୨ଜଣ ଗୁରୁତର ଆହତ ହୋ‌ଇଛନ୍ତି। ଜଣଙ୍କ ଅବସ୍ଥା ସଂକଟାପନ୍ନ ହୋବାରୁ ଯାଜପୁର ମୁଖ୍ୟ ଚିକିତ୍ସାଳୟରୁ କଟକ ସ୍ଥାନାନ୍ତର କରାଯାଇଛି। ଏଥିସହ ଉତ୍ତ୍ୟକ୍ତ ଲୋକେ ୨ଟି ବାଇକ ଓ ସାଇକେଲ ପୋଡ଼ି ଦେଇଥିବା ବେଳେ ପୁଲିସ ଗାଡ଼ି ଭଙ୍ଗାରୁଜା କରିଛନ୍ତି।

ଆଜି ଅପରାହ୍‌ଣ ୩ଟା ସମୟରେ ଅମୃ୍ତିଆ ଗାଁରେ ଗଣ୍ଡଗୋଳ ଖବର ପାଇଁ ଘଟଣାସ୍ଥଳରେ ତିନୋଟି ଗାଡ଼ିରେ ପୁଲିସ କର୍ମଚାରୀ ପହଞ୍ଚିଥିଲେ। କିଛି ଲୋକ ଉତ୍ତ୍ୟକ୍ତ ହୋଇ ପୁଲିସ ଗାଡ଼ି ଉପରକୁ ଆଖିବୁଜା ଟେକା ପଥର ମାଡ଼ କରିଥିଲେ। ଏଥିରେ ୩ଟି ଗାଡ଼ିର କାଚ ଭାଙ୍ଗିବା ସହିତ ପାଣିକୋଇଲି ଥାନା ଏଏସ୍‌ଆଇ ସଂଜୟ କୁମାର ଦାସ, କେନେଷ୍ଟବଳ ନାରାୟଣ ଦେହୁରୀ ଓ ସତ୍ୟବ୍ରତ ସାହୁ ଆହତ ହୋଇଛନ୍ତି। ନୂତନ ଥାନାଧିକାରିଣୀ ସସ୍ମିତା ସାହୁ ଅଳ୍ପକେ ଲୋକଙ୍କ ଆକ୍ରମଣରୁ ବର୍ତ୍ତିଯାଇଥିଲେ। ଲୋକଙ୍କ ଉଗ୍ରରୂପ ଦେଖି ପୁଲିସ ସେଠାରୁ ପଛଘୁଞ୍ଚା ଦେଇଥିଲା। ଆହତ ପୁଲିସ କର୍ମଚାରୀଙ୍କୁ ଚିକିତ୍ସା ପାଇଁ ମେଡିକାଲ ପଠାଯାଇଛି। ଲୋକେ ଘଟଣାସ୍ଥଳରେ ଦୁଇ ବାଇକ୍‌ ସହ ଗୋଟିଏ ସାଇକେଲକୁ ପୋଡ଼ି ଦେଇଛନ୍ତି।

ସୂଚନା ମୁତାବକ ଅମୃତିଆ ଗ୍ରାମର ବିଦ୍ୟାଧର ମହାପାତ୍ର ଓ କାହ୍ନୁ ଚରଣ ସ୍ବାଇଁଙ୍କ ପରିବାର ମଧ୍ୟରେ ଜମିବାଡିକୁ କେନ୍ଦ୍ରକରି ଦୀର୍ଘ ଦିନ ହେଲା ବିବାଦ ଲାଗି ରହିଥିଲା। ଜମି ବିବାଦକୁ ନେଇ କୋର୍ଟରେ କେସ ଚାଲୁରହିଛି। ଜମି ଉପରକୁ ଉଭୟ ପକ୍ଷ ନଯିବା ପାଇଁ ଭଦ୍ରଲୋକଙ୍କ ଉପସ୍ଥିତିରେ ଗତକାଲି ଥାନାରେ ନିଷ୍ପତ୍ତି ହୋଇଥିଲା। ହେଲେ ଆଜି କାହ୍ନୁ ସ୍ବାଇଁ ପୁଲିସ କଥାକୁ ଅବମାନନା କରି ଜମିରେ ହଳ କରିଥିଲା। ଏହାକୁ ନେଇ ବିଦ୍ୟାଧରଙ୍କ ଦୁଇ ପୁଅ ସାରଙ୍ଗ ଓ ତାପସ ଜମି ନିକଟରେ ପହଞ୍ଚି ଟ୍ରାକ୍ଟରକୁ ଅଟକାଇଥିଲେ। ଏହି ସମୟରେ ପୂର୍ବ ପ୍ରସ୍ତୁତି ଅନୁଯାୟୀ ରାସ୍ତା କଡ଼ରେ ଥିବା ଜନୈକ ବ୍ୟକ୍ତିଙ୍କ ଘରେ ଲୁଚି ରହିଥିବା କାହ୍ନୁ ସ୍ବାଇଁଙ୍କ ଦୁଇ ଶଳା ସମେତ କିଛି ଲୋକ ପହଞ୍ଚି ସାରଙ୍ଗ ଓ ତାପସକୁ ନିସ୍ତୁକ ପିଟିଥିଲେ। ଟ୍ରାକ୍ଟର ଚାଳକ ଗାଡ଼ି ଚଢ଼ାଇ ଦେବାରୁ ସାରଙ୍ଗ ଗାଡ଼ି ତଳେ ଚାପି ହୋଇ ଅଚେତ ହୋଇ ପଡ଼ିଥିବା ବେଳେ ଆକ୍ରମଣକାରୀ ତାଙ୍କ ଭାଇ ତାପସକୁ ମଧ୍ୟ ନିସ୍ତୁକ ମାଡ଼ମାରି ଲହୁ ଲୁହାଣ କରି ଦେଇଥିଲେ। ସାରଙ୍ଗ ମରିଯିବା ଭାବି ଟ୍ରାକ୍ଟର ମାଲିକ ଗାଡ଼ି ନେଇ ପଳାଇ ଯାଇଥିବା ବେଳେ ଅନ୍ୟ ୩ ଜଣ ଆକ୍ରମଣକାରୀ ନିକଟ ଘରେ ଲୁଚି ରହିଥିଲେ। ଲୋକେ ଆକ୍ରମଣକାରୀ ବିରୋଧରେ ବିହିତ ପଦକ୍ଷେପ ନେବା ଓ ଏହା ଘଟଣାର ମୁଖ୍ୟ କାର୍ପଟଦାରଙ୍କ ବିରୋଧରେ କାର୍ଯାନୁଷ୍ଠାନ ଦାବି କରି ବରୁଣ୍ଡେଇ- ଷଠିପୁର ରାସ୍ତାକୁ ଅବରୋଧ କରିଥିଲେ। ଏହି ସମୟରେ ପାଣିକୋଇଲି ପୁଲିସ ପହଞ୍ଚିବାରୁ ତାଙ୍କୁ ଗାଳିଗୁଳଜ କରିବା ସହିତ ଦୁଇଟି ବାଇକ୍ ଜାଳି ଦେଇଥିଲେ। ପୁଲିସ କର୍ମଚାରୀ ଅନ୍ୟ ଦୁଇଟି ଗାଡ଼ିରେ ପହଞ୍ଚି ଲୋକଙ୍କୁ ପିଟି ଘଉଡାଇଥିଲେ। ପ୍ରତିବାଦରେ ଉତ୍ତ୍ୟକ୍ତ ଲୋକେ ପୁଲିସ୍‌ ଗାଡ଼ିକୁ ପଥର ମାଡ଼ କରିଥିଲେ।

ଆକ୍ରମଣରେ ଗୁରୁତର ଆହତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଜଣଙ୍କର ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ସ୍ଥାନାନ୍ତର କରାଯାଇଛି। ମେଡିକାଲ ନେବା ବାଟରେ ଜଣକର ମୃତ୍ୟୁ ହୋଇଥିବା ମିଥ୍ୟା ଖବର ପ୍ରଚାର ପରେ ଗ୍ରାମବାସୀ ବାଇକ୍‌ ପୋଡ଼ିବା ସହିତ ପୁଲିସକୁ ଆକ୍ରମଣ କରିଥିବା କୁହାଯାଉଛି। କାହ୍ନୁଙ୍କ ସମେତ ୪ ଜଣଙ୍କୁ ପୁଲିସ ଉଠାଇଆଣି ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଛି। ଏହାକୁ ନେଇ ଅମୃତିଆ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଛି। ଥାନାରେ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ଘନଘନ ବୈଠକ ଚାଲିଛି। ଏସ୍‌ପି ଚରଣ ସିଂ ମୀନା ଘଟଣା ଉପରେ ନଜର ରଖିଛନ୍ତି।

ସମ୍ବନ୍ଧିତ ଖବର