ଦେବଗଡ଼ : ଦେବଗଡ଼ ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର ବଣିଆକିଲିଣ୍ଡା ଗ୍ରାମ ନିକଟରେ ବୁଧବାର ବାରକୋଟ ତହସିଲଦାରଙ୍କ ବଲେରୋ ଧକ୍କାରେ ଜଣେ ଯୁବ ବ୍ୟବସାୟୀ ଓ ତାଙ୍କର ପୁଅ ଗୁରୁତର ହୋଇଥିବା ଜଣାପଡ଼ିଛି।

Advertisment

ମିଳିଥିବା ସୂଚନା ଅନୁଯାୟୀ, ବୁଧବାର ଦିନ ବାରକୋଟ ତହସିଲଦାର କୌଣସି ସରକାରୀ କାମରେ ଦେବଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆସୁଥିଲେ। ବଣିଆକିଲିଣ୍ଡା ଗ୍ରାମ ନିକଟରେ ବସାଲଇ ପଟୁ ଦେବଗଡ଼ ଅଭିମୁଖେ ଏକ ବାଇକ୍‌ ଯୋଗେ ଆସୁଥିବା ବ୍ୟବସାୟୀ ରାଜେଶ ଗୋଏଲ (୪୪)ଓ ତାଙ୍କ ପୁଅ ରିଷଭ ଗୋଏଲଙ୍କ ସହ ଧକ୍କା ହୋଇଥିଲା। ବାଇକରୁ ରାସ୍ତା ଉପରକୁ ଛିଟିକି ପଡ଼ି ଉଭୟ ବାପ ପୁଅ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ତେବେ ରାଜେଶଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ଅଧିକ ଚିକିତ୍ସା ପାଇଁ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡ଼ିଛି। ଦେବଗଡ଼ ଥାନା ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିବା ସହ ଦୁର୍ଘଟଣାଗ୍ରସ୍ତ ବଲେରୋ ଓ ବାଇକ୍‌କୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।