ଖଲ୍ଲିକୋଟରେ ୨ ଆନ୍ତଃ-ରାଜ୍ୟ ଲୁଟେରାଙ୍କୁ ଏନ୍‌କାଉଣ୍ଟର

ଖଲ୍ଲିକୋଟ/ବ୍ରହ୍ମପୁର : ଜୁଲାଇ ୨ ତାରିଖରେ ଖଲ୍ଲିକୋଟ ଥାନା ଠାରୁ ମାତ୍ର କେଇ ମିଟର ଦୂରରେ ଫାଙ୍କା ଗୁଳି ଫୁଟାଇ ଗୋରାପଲ୍ଲୀ ଟୋଲ୍‌ ଗେଟ୍‌ କର୍ମଚାରୀଙ୍କଠୁ ୨୫ଲକ୍ଷ ଟଙ୍କା ଲୁଟ୍‌ କରିବା ମାମଲାରେ ଗତକାଲି ପୁଲିସ୍‌ ୬ଜଣଙ୍କୁ ଗିରଫ କରିଥିଲା। ଏହା ଏକ ବଡ଼ ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗ୍‌ ଓ ଏଥିରେ ଆହୁରି ଅନେକ ବ୍ୟକ୍ତି ସାମିଲ ଥିବା ପୁଲିସ୍‌ ସୂଚନା ଦେଇଥିଲା। ଆଜି ଭୋର ୩ଟାରେ ପୁଲିସ୍‌ ଏନ୍‌କାଉଣ୍ଟରରେ ଲୁଟେରା ଗ୍ୟାଙ୍ଗ୍‌ର ଅନ୍ୟ ଦୁଇ ସଦସ୍ୟ ଆହତ ହୋଇଛନ୍ତି। ସେମାନଙ୍କଠାରୁ ଦୁଇଟି ମାଉଜର ଓ ୩ଟା ଜୀବନ୍ତ ଗୁଳି ସହ ୨.୨୫ ଲକ୍ଷଟଙ୍କା ଜବତ କରାଯାଇଛି।

ଗତକାଲି ଲୁଟେରା ଗ୍ୟାଙ୍ଗ୍‌ର ୬ ସଦସ୍ୟ ଧରାପଡ଼ିବା ପରେ ପଚରାଉଚୁରା ସମୟରେ ଲୁଟ୍‌ରେ ଆହୁରି ୭ଜଣ ସାମିଲ୍‌ ଥିବା କଥା କହିଥିଲେ। ସେମାନଙ୍କ ତଥ୍ୟାନୁସାରେ ଅନ୍ୟ ସଦସ୍ୟଙ୍କ ମୋବାଇଲ୍‌ ଫୋନ୍‌ ଟ୍ରାକିଂ କରାଯାଇଥିଲା। ଟ୍ରାକିଂ ସୂଚନାନୁସାରେ ଅନୁଗୁଳ ଜିଲ୍ଲାର ସୁଶାନ୍ତ କୁମାର ପ୍ରଧାନ ଓ ଆନ୍ଧ୍ରପ୍ରଦେଶ ବିଶାଖପାଟଣା ଜିଲ୍ଲାର ଆର୍‌ ରାଜେଶ ଓରଫ ସୁରୀ ଏକ କାର୍‌ରେ ଖଲିକୋଟ-ବଡ଼ଘାଟି ଇଲାକାରେ ଥିବା ସୂଚନା ପାଇଥିଲା। ଏହାପରେ ଖଲ୍ଲିକୋଟ ଆଇଆଇସି ବିବେକାନନ୍ଦ ସ୍ୱାଇଁ ସଦଳବଳେ ସେମାନଙ୍କୁ ପିଛା କରିଥିଲେ। ସାନଘାଟି ନିକଟରେ ପୁଲିସ୍‌ ଉପରେ ଲୁଟେରାମାନେ ଗୁଳି ଚଳାଇଥିଲେ। ପୁଲିସ୍‌ ପାଲଟା ଗୁଳି ଚଳାଇଥିଲା। ପୁଲିସ୍‌ ଗୁଳିରେ ସୁଶାନ୍ତର ଡାହାଣ ଆଣ୍ଠୁରେ ଓ ସୁରୀର ବାମ ଆଣ୍ଠୁରେ ଗୁଳି ବାଜିଥିଲା। ଏହା ପରେ ସେମାନଙ୍କୁ ପ୍ରଥମେ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରେ ବ୍ରହ୍ମପୁର ବଡ଼ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଛି।

ସେମାନଙ୍କ ଠାରୁ ୨ଟି ମାଉଜର, ୩ ଜୀବନ୍ତ ଗୁଳି, ୨ଲକ୍ଷ ୨୫ ହଜାର ଟଙ୍କା ସମେତ ଏକ ଭିରାନା କାର୍‌ (ଏପି ୩୦ ଜି ୬୬୬୯) ଜବତ କରିଛି। ଏହି ଲୁଟେରା ଗ୍ୟାଙ୍ଗ୍‌ରେ ଆହୁରି ୫ଜଣ ସଦସ୍ୟଙ୍କୁ ଧରିବାକୁ ପୁଲିସ୍‌ ଉଦ୍ୟମ ଆରମ୍ଭ କରିଛି। ଖୁବ୍‌ ଶୀଘ୍ର ସେମାନଙ୍କୁ ଧରାଯିବ ବୋଲି ଗଞ୍ଜାମ ଏସ୍‌ପି ବୀରଜେଶ ରାଏ କହିଛନ୍ତି।

ସମ୍ବନ୍ଧିତ ଖବର