ପୁରୀ : ମହାପ୍ରଭୁଙ୍କ ସ୍ନାନଯାତ୍ରାରେ ବିଶୃଙ୍ଖଳା ପାଇଁ ଶ୍ରୀମନ୍ଦିର ପ୍ରଶାସନ କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ପୂରା ଘଟଣା ପ୍ରକରଣକୁ ଅନୁଧ୍ୟାନ କରିବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି। ସପ୍ତାହେ ଭିତରେ ମୁଖ୍ୟ ପ୍ରଶାସକଙ୍କ ନିକଟରେ ଚିଠିର ଜବାବ ରଖିବାକୁ ବିଧାୟକଙ୍କୁ କୁହାଯାଇଛି। ସେହିଭଳି ବିଧାୟକଙ୍କୁ ସ୍ନାନମଣ୍ଡପକୁ ପାଛୋଟି ନେବାରେ ସହଯୋଗ କରିଥିବା ଦୁଇ ସେବାୟତ ସୋମନାଥ ଖୁଣ୍ଟିଆ (ବୁଲୁ) ଓ ରାଜାରାମ ଖୁଣ୍ଟିଆଙ୍କୁ ନିଲମ୍ବିତ କରିଛି ଶ୍ରୀମନ୍ଦିର ପ୍ରଶାସନ। ନିଲମ୍ବନ ଆଦେଶ ନଉଠିବା ଯାଏ ଏହି ଦୁଇ ଜଣ ସେବା ନିବୃତ୍ତ ରହିବେ। ଏହାଛଡ଼ା ବ୍ୟବସ୍ଥାବଳୀ ଉଲ୍ଲଙ୍ଘନ କରିଥିବା ଅନ୍ୟ ସେବାୟତଙ୍କୁ ବି ନୋଟିସ୍ ଦେବା ପାଇଁ ମନ୍ଦିର ପ୍ରଶାସନ ସ୍ଥିର କରିଛି। ଖାଲି ସେତିକି ନୁହେଁ, ବିଶୃଙ୍ଖଳା ସୃଷ୍ଟି କରିଥିବା ସେବାୟତଙ୍କର ତାଲିକା ପ୍ରସ୍ତୁତ କରାଯାଇସାରିଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି। ରଥଯାତ୍ରା ପୂର୍ବରୁ ମନ୍ଦିର ପ୍ରଶାସନର ଏହି ଛାଟ ବିଶୃଙ୍ଖଳିତ ସେବାୟତଙ୍କ ପାଇଁ ଏକପ୍ରକାର ସତର୍କ ଘଣ୍ଟି।
ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଗତ ୧୭ ତାରିଖରେ ମହାପ୍ରଭୁଙ୍କର ସ୍ନାନଯାତ୍ରା ଅନୁଷ୍ଠିତ ହୋଇଥିଲା। ସ୍ନାନଯାତ୍ରାର ବହୁ ପୂର୍ବରୁ ନୀତି ସବ୍କମିଟି, ଛତିଶା ନିଯୋଗ ଓ ପରିଚାଳନା ବୈଠକ ବସି ସ୍ନାନଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥାବଳୀ ତିଆରି ହୋଇଥିଲା। ବ୍ୟବସ୍ଥାବଳୀରେ ସ୍ପଷ୍ଟ ଉଲ୍ଲେଖ ରହିଥିଲା କି ସେବା ସହ ସଂପୃକ୍ତ ସେବାୟତଙ୍କୁ ଛାଡ଼ିଦେଲେ ଅନ୍ୟ କେହି ସ୍ନାନମଣ୍ଡପ ଉପରକୁ ଯାଇ ପାରିବେ ନାହିଁ। ସ୍ନାନମଣ୍ଡପ ଉପରୁ ତୁଳସୀ, ସ୍ନାନ ପାଣି ବାଣ୍ଟି ପାରିବେନି। ଯିଏ ବି ଏଭଳି ବିଶୃଙ୍ଖଳା ସୃଷ୍ଟି କରିବ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ। ତଥାପି ବ୍ୟବସ୍ଥାବଳୀକୁ ଉଲ୍ଲଙ୍ଘନ କରି ଅନେକ ଅଣସ୍ବୀକୃତ ସେବାୟତ ସ୍ନାନମଣ୍ଡପ ଉପରେ ଚଢ଼ିଥିଲେ। ମହାପ୍ରଭୁଙ୍କୁ ସ୍ପର୍ଶ କରିବା ସହ ତୁଳସୀ, ସ୍ନାନ ପାଣି ବାଣ୍ଟିଥିଲେ। ସବୁଠୁ ବଡ଼ କଥା ହେଲା, ସେବା ନଥାଇ ବି ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ସ୍ନାନମଣ୍ଡପ ଉପରେ ଚଢ଼ିଥିଲେ। ଏକାଧିକ ସେବାୟତ ଶ୍ରୀ ଷଡ଼ଙ୍ଗୀଙ୍କ ହାତ ଧରି ସ୍ନାନମଣ୍ଡପ ଉପରକୁ ପାଛୋଟି ନେଇଥିଲେ। ଏଭଳି ଚରମ ବିଶୃଙ୍ଖଳାର ଖବର ଗଣମାଧ୍ୟମରେ ପ୍ରକାଶ ପରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ବିଧାୟକ ଶ୍ରୀ ଷଡ଼ଙ୍ଗୀଙ୍କୁ କରାଯାଇଥିବା ଚିଠି (୬୯୫୨)ରେ ଉଲ୍ଲେଖ ରହିଛି କି ଦୁଇ ଜଣ ସହଯୋଗୀଙ୍କ ସହ ସେ ସ୍ନାନ ବେଦୀ ଉପରକୁ ଯାଇ ଅଧିଷ୍ଠିତ ଶ୍ରୀଜିଉଙ୍କୁ ଦର୍ଶନ କରିଥିଲେ। ସ୍ନାନ ପୂର୍ଣ୍ଣିମା ଦିନ ସ୍ନାନ ବେଦୀରେ ସାହାଣମେଲା ବ୍ୟତୀତ ଅନ୍ୟ ସମୟରେ କୌଣସି ଦର୍ଶନାର୍ଥୀ ସ୍ନାନ ମଣ୍ଡପ ଉପରକୁ ଯାଇପାରିବେ ନାହିଁ। ଏ ସଂପର୍କରେ ସଂପୂର୍ଣ୍ଣ ଅବଗତ ଥାଇ ବି ବ୍ୟବସ୍ଥାବଳୀକୁ ଉଲ୍ଲଙ୍ଘନ କରି ପୂର୍ବାହ୍ଣ ୧୧ଟାରେ ବିଧାୟକ ଶ୍ରୀ ଷଡ଼ଙ୍ଗୀ ସ୍ନାନ ବେଦୀ ଉପରକୁ ଯାଇ ଶ୍ରୀଜିଉଙ୍କୁ ମୁଣ୍ଡିଆ ମାରିଥିଲେ। ଯାହା ସିସିଟିଭି ଫୁଟେଜ୍ରୁ ପରିଲକ୍ଷିତ ହୋଇଛି। କେଉଁ ପରିପ୍ରେକ୍ଷୀରେ ବ୍ୟବସ୍ଥାବଳୀକୁ ଉଲ୍ଲଙ୍ଘନ କରି ସ୍ନାନ ବେଦୀକୁ ଚଢ଼ିଲେ ବୋଲି ଶ୍ରୀମନ୍ଦିର ପ୍ରଶାସନ ବିଧାୟକଙ୍କୁ ପ୍ରଶ୍ନ କରିଛି। ଧାର୍ଯ୍ୟ ସମୟ ଭିତରେ ଉତ୍ତର ହସ୍ତଗତ ନହେଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବିଧାୟକଙ୍କୁ କରିଥିବା ଚିଠିଲେ ଉଲ୍ଲେଖ କରିଛନ୍ତି।
ସ୍ନାନପୂର୍ଣ୍ଣିମା ବିଶୃଙ୍ଖଳା ପ୍ରସଙ୍ଗରେ ସୋମନାଥ ଓ ରାଜରାମଙ୍କୁ ହୋଇଥିବା ଚିଠିରେ ବି ଶ୍ରୀମନ୍ଦିର ପ୍ରଶାସନ ସମାନ କଥା ଉଲ୍ଲେଖ କରିଛି। ସ୍ନାନ ପୂର୍ଣ୍ଣିମା ଦିନ ସାହାଣମେଲା ସମୟ ବ୍ୟତୀତ ଅନ୍ୟ ସମୟରେ ଭକ୍ତଙ୍କୁ ସ୍ନାନମଣ୍ଡପକୁ ଯିବାକୁ ଅନୁମତି ନାହିଁ। ତଥାପି ଜାଣିଶୁଣି ବିଧାୟକଙ୍କୁ ସ୍ନାନମଣ୍ଡପକୁ ନେଇ ଦୁଇ ଜଣ ବ୍ୟବସ୍ଥାବଳୀକୁ ଖୋଲା ଉଲ୍ଲଙ୍ଘନ କରିଛନ୍ତି। ଏ ଦୃଷ୍ଟିରୁ ଶ୍ରୀମନ୍ଦିର ଆଇନ ୨୧-ବି(ଏ) ଆଧାରରେ ଦୁଇ ଜଣଙ୍କୁ ନିଲମ୍ବିତ କରାଯିବା ସହ ସେବାରୁ ବାଦ୍ ଦିଆଯାଇଛି। ନିଲମ୍ବନ ଆଦେଶ ପ୍ରତ୍ୟାହାର ନହେବା ପର୍ଯ୍ୟନ୍ତ ଦୁଇ ଜଣ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସେବା କରିପାରିବେନି। ବିଧାୟକଙ୍କୁ ସ୍ନାନମଣ୍ଡପକୁ ନେବା ଓ ବ୍ୟବସ୍ଥାବଳୀକୁ ଉଲ୍ଲଂଘନ କରିବା ଘଟଣାକୁ ଶ୍ରୀମନ୍ଦିର ପ୍ରଶାସନ ଗୁରୁତର ଭାବେ ନେବା ସହ ଶ୍ରୀମନ୍ଦିର ଆଇନ ୧୯୫୫ ଧାରା ୨୧-ଏ ଆଧାରରେ ସୋମନାଥ ଓ ରାଜାରାମଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ନିଷ୍ପତ୍ତି ନେଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/jaga-15.jpg)